ରିସର୍ଟ ନିକଟରୁ ମିଳିଲା ମୃତଦେହ
ଡେରାଡୁନ୍ (ଏଜେନ୍ସି): ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାରେ ଜଣେ ୧୯ବର୍ଷୀୟା ରିସେପ୍ପନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ରାଜ୍ୟବ୍ୟାପୀ ତୀବ୍ର ଉତ୍ତେଜନା ଦେଖାଦେଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଲକିତ୍ ଆର୍ଯ୍ୟ ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ ତଥା ସହକର୍ମୀ (ମ୍ୟାନେଜର୍ ସୌରଭ ଭାସ୍କର ଏବଂ ସହକାରୀ ମ୍ୟାନେଜର ଅଙ୍କିତ ଗୁପ୍ତା)ଙ୍କୁ ପୁଲିସ୍ ଶନିବାର ଦିନ ଗିରଫ କରିଛି । ଏସବୁ ମଧ୍ୟରେ ପୁଲକିତ୍ଙ୍କ ବିରୋଧରେ ଆଉ ଏକ ବଡ ପ୍ରମାଣ ମିଳିଛି । ତାଙ୍କରି ରିସର୍ଟ ନିକଟରୁ ହିଁ ଅଙ୍କିତାଙ୍କ ମୃତଦେହକୁ ଜବତ କରାଯାଇଛି । ଅଙ୍କିତାଙ୍କ ମୃତଦେହକୁ ଖୋଜି ବାହାର କରିବା ପାଇଁ ରାଜ୍ୟ ପ୍ରଶାସନ ରାଜ୍ୟ ଡିଜାଷ୍ଟର୍ ମ୍ୟାନେଜମେଣ୍ଟ୍ ଫୋର୍ସ (ଏସ୍ଡିଆର୍ଏଫ୍) ମୁତୟନ କରିଥିଲା । ଏସ୍ଡିଆରଏଫ୍ ଯବାନ ମୃତଦେହକୁ ରିସୋର୍ଟ ନିକଟବର୍ତ୍ତୀ ଅଞ୍ଚଳରୁ ହିଁ ଠାବ କରିଥିଲେ । ଅନ୍ୟପକ୍ଷେ ମୃତଦେହ ଜବତ ହେବା ପରେ ସ୍ଥାନୀୟ ଲୋକେ ବେଶ୍ ଉତ୍ତ୍ୟକ୍ତ ହୋଇ ରିସୋର୍ଟରେ ନିଆଁ ଲଗାଇଦେଇଥିଲେ । ଅନ୍ୟପକ୍ଷେ ପୁଲକିତ୍ଙ୍କ ବାପା ବିନୋଦ ଆର୍ଯ୍ୟ ଏବଂ ଭାଇ ଅଙ୍କିତ ଆର୍ଯ୍ୟ ପ୍ରଦେଶ ବିଜେପିର ଜଣେ ଜଣେ ସକ୍ରିୟ ନେତା ଥିବା ବେଳେ ଶନିବାର ଉଭୟଙ୍କୁ ଦଳ ବହିଷ୍କାର କରିଛି ।
ଅଙ୍କିତ ଆର୍ଯ୍ୟ ଉତ୍ତରାଖଣ୍ଡ ପଛୁଆ ବର୍ଗ ଡେପୁଟି ଚେୟାରମ୍ୟାନ୍ ଥିବା ବେଳେ ଶନିବାର ତାଙ୍କୁ ଏହି ପଦରୁ ଅପସାରଣ କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନିଦେ୍ର୍ଦଶରେ ଅଭିଯୁକ୍ତଙ୍କ ରିସୋର୍ଟ ଉପରେ ବୁଲ୍ଡୋଜର ଚଲାଯାଇ ଏହାକୁ ସମ୍ପୂର୍ଣ୍ଣ ଧୂଳିସାତ୍ କରିଦେଇଛି ପ୍ରଶାସନ । ଏହି ଘଟଣାର ଏସ୍ଆଇଟି ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ଧାମୀ । ଘଟଣାରେ ଜଡ଼ିତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଡେପୁଟି ଇନ୍ସପେକ୍ଟର ଜେନେରାଲ ପି. ରେଣୁକା ଦେବୀଙ୍କ ନେତୃତ୍ୱରେ ତକ୍ରାଳ ପ୍ରଭାବରେ ଏକ ଏସ୍ଆଇଟି ଟିମ୍ ଗଠନ କରାଯାଇଛି । ଏହା ଏକ ହୃଦୟ ବିଦାରକ ଘଟଣା କହି ମୁଖ୍ୟମନ୍ତ୍ରୀ ଧାମୀ ଶୋକ ପ୍ରକାଶ କରିବା ସହ ସମ୍ପୃକ୍ତ ଥିବା ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରକାଶ, ସ୍ଥାନୀୟ ଅଞ୍ଚଳରେ ନିଜ ଦବ୍ଦବା ଆଳରେ ଋଷିକେଶ ଯମକେଶ୍ୱର ଠାରେ ସମ୍ପୂର୍ଣ୍ଣ ବେଆଇନ୍ ଭାବେ ଚିଲାପାୱାର ହାଉସ୍ ନାମରେ ଏକ ରିସୋର୍ଟ କରିଥିଲେ ବିନୋଦ ଆର୍ଯ୍ୟ । ତେବେ ଏହି ରିସୋର୍ଟକୁ ସେ ନିଜ ସାନପୁଅ ପୁଲକିତଙ୍କ ନାମରେ କରିଦେଇଥିଲେ । ସେବେଠାରୁ ପୁଲକିତ୍ ଏହାର ବୁଝାଶୁଝା କରୁଥିଲେ । ଏହି ରିସୋର୍ଟରେ ପୌରି ଗରୱାଲ ଅଞ୍ଚଳର ଅଙ୍କିତା ଭଣ୍ଡାରୀ ଜଣେ ରିସେପ୍ପନିଷ୍ଟ ଭାବେ କାମ କରୁଥିଲେ । ତେବେ ଗତ ସୋମବାର ଅଙ୍କିତା ହଠାତ୍ ନିଖୋଜ ହୋଇଯାଇଥିଲେ । ଅଙ୍କିତାଙ୍କ ନିଖୋଜ ସମ୍ପର୍କରେ ତାଙ୍କ ପରିବାର ଲୋକେ ପୁଲିସ୍ରେ ଅଭିଯୋଗ କରିଥିବା ବେଳେ ପୁଲକିତ ମଧ୍ୟ ନିଜ ଉପରୁ ସନେ୍ଦହକୁ ଦୂର କରିବା ପାଇଁ ଅଙ୍କିତାଙ୍କ ନିଖୋଜ ସମ୍ପର୍କରେ ଏଫଆଇଆର୍ ରୁଜୁ କରାଇଥିଲେ । ଏସବୁ ମଧ୍ୟରେ ଅଙ୍କିତାଙ୍କ ହ୍ୱାଟ୍ସଆପ୍ ମେସେଜ୍ କିନ୍ତୁ ସବୁକିଛି ଗୁମର ଖୋଲିଦେଇଥିଲା । ଅଙ୍କିତାଙ୍କୁ ଦୀର୍ଘଦିନ ଧରି ପୁଲକିତ ଦେହବ୍ୟବସାୟ (ରିସୋର୍ଟକୁ ଆସୁଥିବା ଭିଆଇପିମାନଙ୍କ ସହ ରାତି କଟାଇବା) ପାଇଁ ବାଧ୍ୟ କରୁଥିବା ଅଙ୍କିତାଙ୍କ ହ୍ୱାଟ୍ସଆପ୍ ମେସେଜ୍ରୁ ଜଣାପଡିଥିଲା । ଫଳରେ ଅଙ୍କିତା, ପୁଲକିତଙ୍କ କଥାରେ ରାଜି ନହେବାରୁ ପୁଲକିତ ଓ ତାଙ୍କର ଦୁଇ ଜଣ ସହଯୋଗୀ ମିଳିତ ଭାବେ ତାଙ୍କୁ ହତ୍ୟା କରିଥିବା ଅଙ୍କିତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଥିଲା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇବା ସହ ନାରାବାଜି କରିଥିଲେ ।