ମାଥିଲୀରେ ଅନୁପ୍ରବେଶ
ଗାଁ ବସାଇବା ପାଇଁ ୫ କିମି ଜଙ୍ଗଲ କାଟିଲେ ଛତିଶଗଡ଼ ଅଧିକାରୀ
ମାଲକାନଗିରି, ୨୩ା୯(ଆପ୍ର): ଆନ୍ଧ୍ର ପରେ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଉପରେ ଛତିଶଗଡ଼ ଆଖି ପକାଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତରେ ପ୍ରାୟ ୫ କିମି ସଂରକ୍ଷିତ ଜଙ୍ଗଲକୁ ଜବର ଦଖଲ କରିଛି । କମାରପାଲି ଗ୍ରାମ ପରିସୀମାରେ ଥିବା ଏହି ଜଙ୍ଗଲକୁ ଛତିଶଗଡ଼ ପ୍ରଶାସନ ପକ୍ଷରୁ ସଫା କରାଯାଇ ମାପ ଚୁପ କରାଯାଇଛି । ଚିନ୍ତଲନାଡ଼ ଗାଁର ସୀମା ନିର୍ଦ୍ଧାରଣ ଆଳରେ ପ୍ରଶାସନିକ ଅଧିକାରୀମାନେ ଓଡ଼ିଶାରେ ପ୍ରବେଶ କରିଥିବା ସମୟରେ କମାରପାଲି ଲୋକେ ବିରୋଧ କରିବାରୁ ଉଭୟପକ୍ଷ ମୁହାଁମୁହିଁ ହୋଇଛନ୍ତି । କମାରପାଲ ଗ୍ରାମବାସୀ ବିରୋଧ କରିଥିଲେ ବି ସେମାନେ ଜବରଦସ୍ତ ଗଛ କାଟିଛନ୍ତି । କମାରପାଲି ଲୋକଙ୍କଠାରୁ ଖବର ପାଇ ମାଥିଲି ବିଡିଓଙ୍କ ନିଦେ୍ର୍ଦଶରେ ତହସିଲଦାର ଚନ୍ଦନ କୁମାର ଭୋଇ ଏବଂ ସାଲିମି ବନପାଳ ଶିବଜିତ୍ ମଣ୍ଡଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଶାସନିକ ଅଧିକାରୀ ଓ ଗ୍ରାମବାସୀଙ୍କ ଦୃଢ଼ ପ୍ରତିବାଦ ପରେ ଛତିଶଗଡ଼ ଅଧିକାରୀମାନେ ଭୁଲ ସ୍ୱୀକାର କରିଥିବା ସୂଚନା ମିଳିଛି ।
ସପ୍ତାହେ ହେଲା ଛତିଶଗଡର ରାଜସ୍ୱ ÿଓ ବନ ବିଭାଗ ଅଧିକାରୀ ଏବଂ ଚିନ୍ତଲନାଡ଼ ଗ୍ରାମବାସୀ କମାରପାଲିରେ ମାପଚୁପ ନାଁରେ ଗଛକାଟି ଚାଲିଥିଲେ । ଉକ୍ତ ଅଞ୍ଚଳକୁ ନିଜର କହି ସେମାନେ ପ୍ରାୟ ୫ କିମି ଜଙ୍ଗଲ ସଫା କରିଦେଇଥିଲେ । ଜଙ୍ଗଲ କାଟି ସେଠାରେ ଜନବସତି ସ୍ଥାପନ କରିବେ ବୋଲି ଜଣାଯାଇଛି । ଚିନ୍ତଲନାଡ଼ ଏବଂ କମାରପାଲି ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଲାଗି ରହିଥିବା ସୀମା ବିବାଦ ଗଛ କାଟିବା ପରେ ବିବାଦ ଜଟିଲ ହେବାରୁ ଉଭୟ ପକ୍ଷର ଅଧିକାରୀ ଓ ସ୍ଥାନୀୟ ଲୋକେ କମାରପାଲି ପଞ୍ଚାୟତ କାର୍ଯ୍ୟାଳୟରେ ଶାନ୍ତି ବୈଠକରେ ମିଳିତ ହୋଇ ଆପୋଷ ସମାଧାନ କରିଛନ୍ତି । ଛତିଶଗଡର ତହସିଲଦାର, ଚିନ୍ତଲନାଡ ଗ୍ରାମବାସୀ, ସରପଞ୍ଚ,
ବନପାଳ ପ୍ରମୁଖ ଯୋଗଦେଇ ଲିଖିତ ଭାବେ ଭୁଲ ସ୍ୱୀକାର କରିଛନ୍ତି । ଚୁକ୍ତିନାମାରେ ଚିନ୍ତଲନାଡର ସୀମା ନିର୍ଦ୍ଧାରଣ ବେଳେ କମାରପାଲି ଜଙ୍ଗଲରେ ଅନୁପ୍ରବେଶ କରିଥିବା ଦର୍ଶାଇଛନ୍ତି । ସେହିପରି ଭବିଷ୍ୟତରେ ସୀମା ନିର୍ଦ୍ଧାରଣ ହେଲେ ଉଭୟ ରାଜ୍ୟର ଅଧିକାରୀ ଓ ଗ୍ରାମବାସୀଙ୍କୁ ସୂଚନା ଦିଆଯିବ ଓ ଆଗାମୀ ଏଭଳି ଭୁଲର ପୁନରାବୃତ୍ତି ନ କରିବା ଉଲ୍ଲେଖ ଥିବା ମାଥିଲି ତହସିଲଦାର ଚନ୍ଦନ କୁମାର ଭୋଇ କହିଛନ୍ତି ।
ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳରେ ଏବେବି ଛତିଶଗଡ଼ ପ୍ରଶାସନ ପଥର ଖୁଣ୍ଟି ପୋତିଥିବା ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ଓଡିଶା କିମ୍ବା ଛତିଶଗଡ଼ ସରକାର ଲାଇନ ସଫା କରିନାହାନ୍ତି । ଫଳରେ ଏହି ଅଞ୍ଚଳ ଜଙ୍ଗଲରେ ପରିଣତ ହୋଇଛି । ଫଳରେ ଛତିଶଗଡ଼ ପକ୍ଷରୁ ଓଡ଼ିଶା ଅଞ୍ଚଳକୁ ଅନୁପ୍ରବେଶ ସହଜ ହେଉଥିବା କୁହାଯାଉଛି ।