ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ, ୨୩ା୯: ଭାରତୀୟ ହକି ଟିମ୍ର ପୂର୍ବତନ ଅଧିନାୟକ ତଥା ଓଡ଼ିଶାର ଅଲିମ୍ପିଆନ୍ ଦିଲୀପ ତିର୍କୀ ହୋଇଛନ୍ତି ହକି ଇଣ୍ଡିଆର ନୂଆ ସଭାପତି । ଦିଲୀପ ଶୁକ୍ରବାର ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇ ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆର ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି । ଏତଦ୍ଭିନ୍ନ, ସେ ହକି ଇଣ୍ଡିଆର ପ୍ରଥମ ଖେଳାଳି-ସଭାପତି ହୋଇଛନ୍ତି । ଏଥିସହିତ ଓଡ଼ିଶା ଓ ଦେଶର ହକି ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ଦିଲୀପଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ତିର୍କୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ହକି ଇଣ୍ଡିଆ ନିର୍ବାଚନ ଅକ୍ଟୋବର ୯ ସୁଦ୍ଧା ହେବାର କାର୍ଯ୍ୟକ୍ରମ ଥିଲା । ତେବେ କୌଣସି ପଦବୀ ପାଇଁ କେହି ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ଆଗୁଆ ଫଳାଫଳ ଘୋଷଣା କରାଯାଇଥିଲା । ଦିଲୀପ ଚଳିତ ମାସ ୧୮ ତାରିଖରେ ହକି ଇଣ୍ଡିଆର ସଭାପତି ପଦବୀ ପାଇଁ ତାଙ୍କ ନାମାଙ୍କନ ଦାଖଲ କରିଥିଲେ । ତେବେ ଶୁକ୍ରବାର ସର୍ବୋଚ୍ଚ ପଦ ପାଇଁ ଅନ୍ୟ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଉତ୍ତର ପ୍ରଦେଶ ହକିର ମୁଖ୍ୟ ରାକେଶ କତ୍ୟାଲ ଓ ହକି ଝାଡ଼ଖଣ୍ଡର ଭୋଳାନାଥ ସିଂହ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ ।
ପୂର୍ବତନ ଫୁଲ୍ବ୍ୟାକ୍ ୪୪ବର୍ଷୀୟ ତିର୍କୀ ଅତୀତରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଥିଲେ । ଏବେ ସେ ଓଡ଼ିଶା ହକି ପ୍ରମୋସନ୍ କାଉନ୍ସିଲ୍ର ଅଧ୍ୟକ୍ଷ ଅଛନ୍ତି । ସେ ମଧ୍ୟ ହକି ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ରହିଛନ୍ତି । ତିର୍କୀ ୧୯୯୮ ବ୍ୟାଙ୍କକ୍ ଓ ୨୦୧୨ ବୁସାନ୍ ଏସିଆଡ୍ରେ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିଥିବା ଭାରତୀୟ ଟିମ୍ର ସଦସ୍ୟ ଥିଲେ । ଏହାଛଡ଼ା ସେ କୁଆଲାଲମ୍ପୁର ଠାରେ ୨୦୦୩ ଏସିଆ କପ୍ ଓ ୨୦୦୭ରେ ଚେନ୍ନାଇ ଠାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୧୯୯୯ରେ କାଂସ୍ୟ ପଦକ ପାଇଥିଲେ ।