ହିନ୍ଦୁ ବିରୋଧୀ ଘୃଣା ଅପରାଧ ୧ଠଠଠ% ବୃଦ୍ଧି

ୟୁଏସ୍ ରିସର୍ଚ୍ଚ ରିପୋର୍ଟ: ପାଶ୍ଚାତ୍ୟ ଦେଶରେ ମୁଖ୍ୟ ଏଜେଣ୍ଡା
ନୂଆଦିଲ୍ଲୀ/ ୱାଶିଂଟନ୍ (ଏଜେନ୍ସି): ବିଶ୍ୱସ୍ତରରେ ଏବେ ହିନ୍ଦୁ ବିରୋଧୀ ଆଭିମୁଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ପୃଥିବୀର କୋଣ ଅନୁକୋଣରେ ଏବେ ହିନ୍ଦୁଙ୍କ ପ୍ରତି ହିଂସା ପ୍ରାୟ ୧ଠଠଠ% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆମେରିକା ସ୍ଥିତ ଏକ ବୈଜ୍ଞାନିକ ଅନୁସନ୍ଧାନ ସଂଗଠନ (ୟୁଏସ୍ ରିସର୍ଚ୍ଚ) ନେଟୱାର୍କ କଣ୍ଟାଜିୟନ୍ ରିସର୍ଚ୍ଚ ଇନ୍ଷ୍ଟିଚୁ୍ୟଟ୍ ପକ୍ଷରୁ ଏନେଇ ଏକ ଅତ୍ୟନ୍ତ ଉଦ୍ବେଗଜନକ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ସାରା ଦୁନିଆରେ ଏବେ ହିନ୍ଦୁଙ୍କ ବିରୋଧରେ ହିଂସାକାଣ୍ଡ, ଘୃଣା ଅପରାଧ ଭଳି ଘଟଣା ଅହେତୁକ ଭାବେ ବୃଦ୍ଧି ପାଇଛି । କେବଳ ପାକିସ୍ତାନ କିମ୍ୱା ମୁସଲିମ୍ ରାଷ୍ଟ୍ର ନୁହେଁ, ବରଂ ଆମେରିକା, କାନାଡା ଭଳି ପାଶ୍ଚାତ୍ୟ ଦେଶଗୁଡିକରେ ମଧ୍ୟ ହିନ୍ଦୁଙ୍କ ଉପରେ ଆକ୍ରମଣାତ୍ମକ ବ୍ୟବହାର ସାଂଘାତିକ ଭାବେ ବୃଦ୍ଧି ପାଇଛି । ଏସମ୍ପର୍କରେ ସୂଚନା ଦେଇ ମୁଖ୍ୟ ବିଜ୍ଞାନ ଅଧିକାରୀ ତଥା ନେଟୱାର୍କ କଣ୍ଟାଜିୟନ୍ ରିସର୍ଚ୍ଚ ଇନ୍ଷ୍ଟିଚୁ୍ୟଟ୍ର ସହ ପ୍ରତିଷ୍ଠାତା ଜୋଏଲ୍ ଫିଙ୍କେଲଷ୍ଟାଇନ୍ କହିଛନ୍ତି, ପାଶ୍ଚାତ୍ୟ ଦେଶଗୁଡ଼ିକରେ ହିନ୍ଦୁମାନଙ୍କ ପ୍ରତି ବର୍ଣ୍ଣବୈଷମ୍ୟତା, ଜାତିଆଣମୂଳକ କଟାକ୍ଷ (ମିମ୍ସ) ଆଳରେ ଭୟଙ୍କର ଭାବେ ନିର୍ଯାତନା ତଥା ଘୃଣାଭାବ ବୃଦ୍ଧି ପାଇଁ ପ୍ରଚାର କରାଯାଉଛି । ଯାହାଦ୍ୱାରା ସ୍ଥାନୀୟ ନାଗରିକଙ୍କୁ ହିନ୍ଦୁଙ୍କ ପ୍ରତି ହିଂସାପରାୟଣ କରିବାରେ ଲାଗିଛି । ବିଶେଷ କରି ଭାରତୀୟ ହିନ୍ଦୁଙ୍କ ପ୍ରତି ସ୍ଥାନୀୟ ନାଗରିକମାନେ ମାତ୍ରାଧିକ ଅସହିଷ୍ଣୁ ହୋଇପଡିଛନ୍ତି । ଭାରତୀୟଙ୍କ ଉତ୍ଥାନକୁ ନେଇ ପାଶ୍ଚାତ୍ୟ ଦେଶରେ ବରଦାସ୍ତ କରାଯାଉନାହିଁ । ସୁତରାଂ ଭାରତୀୟ ହିନ୍ଦୁଙ୍କ ବିରୋଧରେ ଘୃଣା, ଇସଲାମ୍ବିରୋଧୀ ତଥା ଶତ୍ରୁତାର ଏକ ବିଷାକ୍ତ ବାତାବରଣ ସୃଷ୍ଟି କରାଯାଉଛି । ଏସବୁ ପଛରେ ହ୍ୱାଇଟ୍ ସୁପରମେସିଷ୍ଟ (ଗୋରା ଲୋକେ) ଏବଂ ଇସଲାମ୍ ସହ ଜଡିତ ଲୋକେ ସବୁଠୁ ଆଗରେ ରହିଛନ୍ତି । ଏହିମାନେ ହିଁ ହିନ୍ଦୁଙ୍କ ବିରୋଧରେ ବିଭିନ୍ନ ପ୍ରକାର ଭଡ୍କାଉ ମତମନ୍ତବ୍ୟ ଦେଇ ଲୋକଙ୍କୁ ଉତ୍ତେଜିତ କରିବାରେ ଲାଗିଛନ୍ତି ବୋଲି ଫିଙ୍କେଲଷ୍ଟାଇନ୍ କହିଛନ୍ତି । ସେହିପରି କଣ୍ଟାଜିୟନ୍ ରିସର୍ଚ୍ଚ ଇନ୍ଷ୍ଟିଚୁ୍ୟଟ୍ ନିଜ ରିପୋର୍ଟରେ ଦର୍ଶାଇଛି, ନିଜ ଦେଶର ଲୋକମାନଙ୍କୁ ଏକଜୁଟ୍ କରିବା ପାଇଁ ହ୍ୱାଇଟ୍ ସୁପରମେସିଷ୍ଟ (ଗୋରା ଲୋକେ) ଏବଂ ଇସଲାମ୍ ସହ ଜଡିତ ଲୋକେ ଏବେ ସୋସିଆଲ ମିଡିଆର ବହୁଳ ବ୍ୟବହାର କରୁଛନ୍ତି । ଏମାନେ ହିନ୍ଦୁଙ୍କ ବିରୋଧରେ ଏଖ ଅଭିଯାନ ପ୍ରସ୍ତୁତ କରିଛନ୍ତି । ଏହା ଅନୁସାରେ, ଆମେରିକା, କାନାଡା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆରେ ରହୁଥିବା ହିନ୍ଦୁଙ୍କ ବିରୋଧରେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ପ୍ରକାର ମତାମତ ଦିଆଯାଇ ଘୃଣାଭାବ ସୃଷ୍ଟି କରାଯାଉଛି । ଏହାଛଡା ଭିନ୍ନ ଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଭାରତୀୟ ମୁଖ୍ୟତଃ ହିନ୍ଦୁଙ୍କ ବିରୋଧରେ ମଧ୍ୟ ଘୃଣାଭାବ ସୃଷ୍ଟି କରାଯାଉଛି । ସୂଚନାଯୋଗ୍ୟ, ଏହି ପ୍ରକ୍ରିୟାରେ ଆମେରିକା ସର୍ବାଗ୍ରେ ରହିଛି । ଆମେରିକାରେ ସର୍ବାଧିକ ହିନ୍ଦୁ ବିରୋଧୀ ହିଂସା ତଥା ଘୃଣା ଅପରାଧ ବୃଦ୍ଧି ପାଇଛି । ଆମେରିକା ପଛକୁ ଏହି ଧାରାରେ କାନାଡା ଏବଂ ତୃତୀୟରେ ବି୍ରଟେନ୍ ରହିଛି । ଅଷ୍ଟ୍ରେଲିଆ ମଧ୍ୟ ଏହି ତାଲିକାରେ ରହିଛି । ସେହିପରି ଏଫ୍ବିଆଇର ୨ଠ୨ଠ ରିପୋର୍ଟ ଅନୁସାରେ ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କ ବିରୋଧରେ ଗତ କିଛି ମାସ ମଧ୍ୟରେ ହିଂସା ତଥା ଘୃଣା ଅପରାଧ ୫ଠଠ% ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *