ଆହୁରି ୭ ଦିନ ବର୍ଷିବ

ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଲୀ-ଏନ୍ସିଆରରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିବା ଫଳରେ ଅନେକ ଅଞ୍ଚଳରେ ବର୍ଷା ବିତ୍ପାତଜନିତ ପରିସ୍ଥିତି ଉତ୍ପନ୍ନ ହୋଇଛି । ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଭିନ୍ନ ଭିନ୍ନ ସ୍ଥାନରେ ଜଳ ପ୍ରଳୟ ଦେଖାଦେଇଛି । ରାସ୍ତାଘାଟରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିବା ବେଳେ ଗାଡିମଟର ଆଦି ବୁଡିଯାଇଛି । ନୋଏଡା, ଗୁରୁଗ୍ରାମ ଆଦି ଅଞ୍ଚଳରେ ଟ୍ରାଫିକ୍ ଜାମ୍ ସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀ ଏନ୍ସିଆର ଅଞ୍ଚଳରେ ପ୍ରାୟ ୧୬% ଅଧିକ ଅର୍ଥାତ୍ (୪ଠ ମିଲିମିଟର) ବର୍ଷା ହୋଇଛି । ସେହିପରି ଆଗାମୀ ୨୪ଘଣ୍ଟାରୁ ୩୬ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି କୁହାଯିବା ସହ ୟେଲୋ ଆଲର୍ଟ ଜାରି କରାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ-କଲେଜ ବନ୍ଦ ରଖିବାକୁ ସରକାରଙ୍କ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ସରକାରୀ ତଥା ଘରୋଇ କମ୍ପାନୀର କର୍ମଚାରୀମାନଙ୍କୁ ମଧ୍ୟ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୮-୨୯ ସେପ୍ଟେମ୍ବର ସୁଦ୍ଧା ମୌସୁମୀ ଦିଲ୍ଲୀ-ଏନ୍ସିଆରରୁ ବିଦାୟ ନେଇପାରେ । ସୂଚନାଯୋଗ୍ୟ ଦିଲ୍ଲୀ ଏନ୍ସିଆର୍କୁ ବାଦ୍ଦେଲେ ଗତ ୪୮ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ, ହରିଆଣା, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି । ଉତ୍ତରପ୍ରଦେଶରେ ଇଟାୱା ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷାଜନିତ ଅଘଟଣରେ ୯ଜଣଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ସେହିପରି କାନ୍ପୁର ଏବଂ ଶାହଜାହନ୍ପୁର ଅଞ୍ଚଳରେ ଘଡଘଡି ମାରିବା କାରଣରୁ ଜଣେ ମହିଳାଙ୍କୁ ମିଶାଇ ୩ଜଣଙ୍କ ମୃତୁ୍ୟ ହୋଇଛି । ରାଜ୍ୟର ୨୬ ସହରରେ ଲଗାଣ ବର୍ଷା ଜାରି ରହିଛି । ସେହିପରି ଫିରୋଜପୁରରେ ଲଗାଣ ବର୍ଷା ମଧ୍ୟରେ ନଦୀରୁ ଏକ ବିଶାଳକାୟ କୁମ୍ଭୀର ଜନବସତି ଅଞ୍ଚଳକୁ ଚାଲିଆସିଥିବା ଜଣାପଡିଛି । ରାଜସ୍ଥାନରେ ମଧ୍ୟ ବିଜୁଳି ଘଡଘଡି ସହ ଲଗାଣ ବର୍ଷା ଜାରି ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ହରିଆଣାରେ ୭ଠ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *