ଦ୍ୱିତୀୟ ଟି-୨୦ ହାରିଲା ଅଷ୍ଟ୍ରେଲିଆ
ନାଗପୁର, ୨୪ା୯ (ଏଜେନ୍ସି): ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ୍ ସହାୟତାରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଟି-୨୦ ଆନ୍ତର୍ଜାତିକରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରିଛି । ଏଥିସହିତ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ପହଞ୍ଚିଛି । ରବିବାର ହେବାକୁ ଥିବା ତୃତୀୟ ମ୍ୟାଚ୍ ନିର୍ଣ୍ଣାୟକ ହେବ ।
ଭାରତୀୟ ଟିମ୍ ୭.୨ ଓଭର୍ରେ ୪ ୱିକେଟ୍ ହରାଇ ୯୨ ରନ୍ କରି ବିଜୟୀ ହୋଇଥିଲା । ଅଧିନାୟକ ରୋହିତ ଶର୍ମା ୨୦ ବଲ୍ରୁ ୪ ଚୌକା ଓ ୪ ଛକା ସହାୟତାରେ ୪୬ ଓ ଦିନେଶ କାର୍ତ୍ତିକ ୨ ବଲ୍ରୁ ୧୦ ରନ୍ କରି ଅପରାଜିତ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଲୋକେଶ ରାହୁଲ ୧୦, ବିରାଟ କୋହଲି ୧୧, ହାର୍ଦ୍ଦିକ ପାଣ୍ଡ୍ୟା ୯ ରନ୍ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ନ ପାରି ଆଉଟ୍ ହୋଇଥିଲେ । ବିପକ୍ଷ ବୋଲର୍ ଆଦାମ୍ ଜାମ୍ପା ୩ଟି ଓ ପାଟ୍ କମିନ୍ସ ଗୋଟିଏ ୱିକେଟ୍ ନେଇଥିଲେ ।
ଏହା ପୂର୍ବରୁ ବିଦର୍ଭ କ୍ରିକେଟ୍ ଷ୍ଟାଡିୟମ୍ରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଏକାଦଶରେ ରିଷଭ ପନ୍ତ ଓ ଯଶପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲା । ଉମେଶ ଯାଦବ ଓ ଭୁବନେଶ୍ୱର କୁମାରଙ୍କୁ ବାଦ୍ ଦିଆଯାଇଥିଲା ।
ବର୍ଷା ଯୋଗୁଁ ଆଉଟ୍ଫିଲ୍ଡ ଓଦା ଥିବା କାରଣରୁ ମ୍ୟାଚ୍ ଧାର୍ଯ୍ୟ ସମୟରେ ହୋଇ ନ ପାରି ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଅମ୍ପାୟାରମାନେ ଦୁଇ ଥର ପଡ଼ିଆ ପରିଦର୍ଶନ କରିବା ପରେ ମ୍ୟାଚ୍କୁ ୮ ଓଭର୍ ବିଶିଷ୍ଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା, ଯେଉଁଥିରେ ଗୋଟିଏ ବୋଲର୍ ଦୁଇ ଓଭର୍ ବୋଲିଂ କରିପାରିବେ । ଦୁଇ ଓଭର୍ ପାୱାର-ପ୍ଲେ ହେବ ।
ଅଧିନାୟକ ଆରୋନ୍ ଫିଞ୍ଚ୍ ଓ କାମେରନ୍ ଗ୍ରୀନ୍ ଅଷ୍ଟ୍ରେଲିଆର ଇନିଂସ୍ ଓପନ୍ କରିଥିଲେ । ଦ୍ୱିତୀୟ ଓଭର୍ରେ ଏହି ଯୋଡ଼ି ଭାଙ୍ଗିଥିଲା । ପୂର୍ବ ମ୍ୟାଚ୍ରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ଗ୍ରୀନ୍ ୫ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଗ୍ଲେନ୍ ମ୍ୟାକ୍ସୱେଲ୍ ପୁଣି ଥରେ ବିଫଳ ହୋଇଥିଲେ । ସେ ଖାତା ଖୋଲି ନ ପାରି ଅକ୍ଷର ପଟେଲ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଟିମ୍ ଡେଭିଡ୍ (୨) ବି ଅକ୍ଷରଙ୍କ ଯାଦୁକରୀ ସ୍ପିନ୍ରୁ ବର୍ତ୍ତି ନ ଥିଲେ ।
ଜୋର୍ଦାର ପ୍ରଦର୍ଶନ କରୁଥିବା ଫିଞ୍ଚ୍ ୧୫ ବଲ୍ରୁ ୩୧ ରନ୍ କରି ବୁମ୍ରାଙ୍କ ଶିକାର ହୋଇଥିଲେ । ୫ ଓଭର୍ରେ ୪୬ ରନ୍ ମଧ୍ୟରେ ଚାରି ୱିକେଟ୍ ପଡ଼ିଥିଲା । ଏହାପରେ ମାଥୁ୍ୟ ୱେଡ୍, ଷ୍ଟିଭ୍ ସ୍ମିଥ୍ଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ ।
ଶେଷ ବଲ୍ରେ ସ୍ମିଥ୍ (୮) ରନ୍ଆଉଟ୍ ହୋଇଥିଲେ । ୱେଡ୍ ୨୦ ବଲ୍ରୁ ୪୩ (୪ ଚୌଜା ଓ ୩ ଛକା ସହାୟତାରେ) ଅପରାଜିତ ଥିଲେ । ଅଷ୍ଟ୍ରେଲୀୟ ଟିମ୍ ଧାର୍ଯ୍ୟ ୮ ଓଭର୍ରେ ୫ ୱିକେଟ୍ ହରାଇ ୯୦ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଅକ୍ଷର ୧୩ ରନ୍ ଦେଇ ୨ଟି ଏବଂ ବୁମ୍ରା ଗୋଟିଏ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *