ଗହଲୋତ ହେବେ ପ୍ରାର୍ଥୀ, ଓହରିଲେ ଦିଗ୍ଗୀ

ନୂଆଦିଲ୍ଲୀ, ୨୩ା୯: ଏଆଇସିସି ଅଧ୍ୟକ୍ଷ ପଦ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଭିତରେ ତତ୍ପରତା ବୃଦ୍ଧି ପାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗହଲୋତ ସଭାପତି ପଦ ପାଇଁ ପ୍ରାର୍ଥୀ ହେବେ ବୋଲି ବିଧିବଦ୍ଧଭାବେ ଘୋଷଣା କରିଛନ୍ତି । ସେ କହିଛନ୍ତି, ଗୁରୁବାର ସନ୍ଧ୍ୟାରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଭାରତ ଯୋଡ ଯାତ୍ରାରେ ଥିବା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ । ସେମାନେ ତାଙ୍କ ସପକ୍ଷରେ ମତ ଦେଇଛନ୍ତି । ଆଲୋଚନା ସମୟରେ ରାହୁଲ ଗାନ୍ଧୀ ଏକ ନେତା ଏକ ପଦବୀ ଉପରେ ଗୁରୁତ୍ୱ ଦେଇଥିବା ଗେହଲଟ ସୂଚନା ଦେଇଛନ୍ତି । ସଭାପତି ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ପ୍ରଶ୍ନର ଉତ୍ତରରେ ଗହଲୋତ କହିଛନ୍ତି ଯେ ସୋନିଆ ଗାନ୍ଧୀ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବେ । ରାଜ୍ୟ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ଅଜୟ ମାକେନ୍ ଏବଂ ଶ୍ରୀମତୀ ଗାନ୍ଧୀ ଏ ସମ୍ପର୍କରେ ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ପଦ ଛାଡିÿଲେ ବି ସେ ନିଜ ଅନୁଗତଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ଲାଗି ଗୋଟି ଚଳାଉଛନ୍ତି । ଏମାନଙ୍କ ମାଧ୍ୟମରେ କ୍ଷମତା ନିଜ ହାତରେ ରଖିବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧୀଙ୍କ ଘନିଷ୍ଠଭାବେ ପରିଚିତ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଅଧିକ । ପାଇଲଟଙ୍କୁ ଦୂରେଇ ରଖିବା ଲାଗି ଗେହଲଟ ବାଚସ୍ପତି ସିପି ଯୋଶୀ, ଗୋବିନ୍ଦ ସିଂହ ଦୋତସରା, ରଘୁ ଶର୍ମା, ବିଡି କାଲେ, ଶାନ୍ତିଲାଲ ଧରୱାଲଙ୍କ ସପକ୍ଷରେ ଲବି ଚଳାଇଛନ୍ତି । ରାଜସ୍ଥାନ ରାଜନୀତି ଏହାକୁ ନେଇ ବେଶ୍ ସରଗରମ ହୋଇ ଉଠିଛି । ସଚିନ ପାଇଲଟ୍ ଦଳୀୟ ହାଇକମାଣ୍ଡଙ୍କ ସହିତ ଆଲୋଚନା କରି ଜୟପୁର ଫେରିଛନ୍ତି । ସେ ଦିଲ୍ଲୀରୁ ଫେରିବା ପରେ ରାଜନୀତି ଆହୁରି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀ ରେସ୍ରେ ସର୍ବାଗ୍ରେ ସଚିନ ପାଇଲଟ୍ ଥିବା ବେଳେ ତାଙ୍କୁ ସଂଖ୍ୟାଧିକ ବିଧାୟକ ସମର୍ଥନ କରୁଥିବା ସୂଚନା ମିଳିଛି । ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରାଜେନ୍ଦ୍ର ଗୁଦ୍ଧା କହିଛନ୍ତି ଯେ ସଚିନଙ୍କୁ ସେ କିମ୍ବା ତାଙ୍କ ସହିତ ସମ୍ପର୍କ ରଖିଥିବା ବିଧାୟକମାନେ ବିରୋଧ କରନ୍ତି ନାହିଁ । ଗୁଦ୍ଧା ହେଉଛନ୍ତି ଅଶୋକ ଗେହଲଟ୍ଙ୍କ ଘନିଷ୍ଠ । ୨୦୨୦ରେ ରାଜେନ୍ଦ୍ର ଏବଂ ଆଉ ୫ ବିଏସ୍ପି ବିଧାୟକ କଂଗ୍ରେସରେ ଯୋଗଦେଇଥିଲେ ।
ଗହଲୋତ ଏକ ନେତା ଏକ ପଦବୀକୁ ଗ୍ରହଣ କରିବେ ବୋଲି କହୁଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ ଲାଗି ତାଙ୍କର ଆନ୍ତରିକତା ନ ଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ଏହି ପରିପ୍ରେକ୍ଷୀରେ ସଭାପତି ପଦ ପାଇଁ ଆଶାୟୀ ଥିବା ଜି-୨୩ ନେତା ଶଶି ଥରୁରଙ୍କ ସମର୍ଥକ ପୃଥ୍ୱୀରାଜ ଚଭନ କହିଛନ୍ତି ଯେ ଦଳରେ ଏକ ପୂର୍ଣ୍ଣକାଳୀନ ସଭାପତି ଆବଶ୍ୟକ । ଯିଏ କି ସମୟ ଦେଇ ଦଳ ପାଇଁ କାମ କରିପାରିବ । ସଭାପତି ପଦ ପାଇଁ ଅନ୍ୟତମ ଆଶାୟୀ ଶଶି ଥରୁର ଓ ନିଜ ସମର୍ଥକଙ୍କ ସହିତ ଆଲୋଚନା କରିଥିଲେ ବି ଏପର୍ଯ୍ୟନ୍ତ ପ୍ରାର୍ଥୀ ହେବା ଉପରେ କିଛି ସ୍ପଷ୍ଟ କରିନାହାନ୍ତି । ସୋନିଆଙ୍କୁ ଭେଟିବା ପରେ ଅନ୍ୟତମ ଆଶାୟୀ ତଥା ସାଂସଦ ଦିଗ୍ବିଜୟ ସିଂହ (ଦିଗ୍ଗୀ) ରେସ୍ରୁ ଓହରି ଗଲେ ବୋଲି ନିଜେ ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *