ଏଏସ୍ଆଇ ଚିଠି ତର୍ଜମା ପରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି
ଭୁବନେଶ୍ୱର, ୨୩ା୯ (ବୁ୍ୟରୋ): ରତ୍ନ ଭଣ୍ଡାରରେ କ’ଣ ଅଛି? ସେଥିରେ କେତେ ପରିମାଣର ମହାପ୍ରଭୁଙ୍କ ସମ୍ପତ୍ତି ଅଛି? ସବୁ ଠିକ୍ ଅଛି ନା ନାହିଁ? ରତ୍ନ ଭଣ୍ଡାର ଖୋଲି ଏସବୁର ଉତ୍ତର ପାଇବାକୁ ପ୍ରାୟ ୧୫ ଦିନ ହେବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଚିଠି ଲେଖିଛନ୍ତି । ହେଲେ ଏନେଇ ଚୁଡ଼ାନ୍ତ ନିଷ୍ପତ୍ତି ପ୍ରକାଶ ପାଇପାରୁନାହିଁ । ଏହି ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ନେଇ ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପ୍ରତିକ୍ରିୟା ରଖିଥିବାବେଳେ ତାଙ୍କୁ ଘେରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ରତ୍ନଭଣ୍ଡାର ସୁରକ୍ଷିତ ଥିବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି, ରତ୍ନ ଭଣ୍ଡାରକୁ କିଏ ଦେଖିଛି? ମୁଁ ଦେଖିଛି ନା ଆଉ କିଏ ଦେଖିଛନ୍ତି? ଏଏସ୍ଆଇ ଯେଉଁ ଚିଠି ଲେଖିଛନ୍ତି, ତାକୁ ତର୍ଜମା କରାଯିବା ପରେ ରତ୍ନ ଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ସବୁ ପକ୍ଷ ସହ ଆଲୋଚନା ପରେ ରତ୍ନଭଣ୍ଡାର ନେଇ କୌଣସି ନିଷ୍ପତ୍ତି ହେବ । ହେଲେ ରତ୍ନ ଭଣ୍ଡାରକୁ କେହି ଦେଖି ନାହାନ୍ତି ବୋଲି ହସି ହସି କହିଛନ୍ତି ଆଇନମନ୍ତ୍ରୀ ଶ୍ରୀ ସାରକା ।
ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ଶ୍ରୀ ମିଶ୍ର । କିଛି ଅଜଣା କାରଣକୁ ନେଇ ସରକାର ଭୟଭୀତ ହୋଇ ପଡ଼ିଛନ୍ତି । ନିର୍ବାଚନ ଆସୁଛି, ତେଣୁ ସରକାର ଅଧିକ ଭୟଭୀତ ହେବା ସ୍ୱାଭାବିକ । ସେଥିନିମନ୍ତେ ସେ ସଠିକ ଉତ୍ତର ଦେଉ ନାହାନ୍ତି କି ପଦକ୍ଷେପ ନେଉ ନାହାନ୍ତି । ଏଏସ୍ଆଇ ଚିଠି ଲେଖି ସାରିବା ପରେ ରତ୍ନ ଭଣ୍ଡାର ମରାମତି କରିବାକୁ ସରକାର ଆଇନତଃ ବାଧ୍ୟ । କାରଣ ଏଏସଆଇର କାର୍ଯ୍ୟ ହେଉଛି ରକ୍ଷଣାବେକ୍ଷଣ କରିବା । ବହୁ ବର୍ଷ ହେଲା ରତ୍ନ ଭଣ୍ଡାରର ପୁନରୁଦ୍ଧାର, ଗଣତି, ଓଜନ ହୋଇନି । ଲୋକେ ଆଶଙ୍କା କରୁଛନ୍ତି ରତ୍ନଭଣ୍ଡାରରୁ ମାହାପ୍ରଭୁଙ୍କ ରତ୍ନ ଚୋରି ହୋଇଯାଇଛି । ହେଲେ ସରକାର ସତ ପଦାକୁ ଆଣିବାରେ ପଛଘୁଞ୍ଚା ଦେଉଛନ୍ତି । ସୂଚନାଯୋଗ୍ୟ, ଗତ ୮ ତାରିଖରେ ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଅରୁଣ ମଲ୍ଲିକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରତ୍ନ ଭଣ୍ଡାର ଅନୁଧ୍ୟାନ ପାଇଁ ଚିଠି ଲେଖିଥିଲେ । ହେଲେ ଏଯାଏ ରାଜ୍ୟ ସରକାର କିଛି ପଦକ୍ଷେପ ଗ୍ରହଣ କରି ନଥିବା ନଜରକୁ ଆସିଛି ।