୧୫ ରାଜ୍ୟରେ ଚଢ଼ଉ

ପିଏଫ୍ଆଇ ବିରୋଧରେ ଏନ୍ଆଇଏ-ଇଡିର ମେଗା ଅପରେସନ୍
ନୂଆଦିଲ୍ଲୀ, ୨୨ା୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍ଆଇଏ) ବୁଧବାର-ଗୁରୁବାର ମଧ୍ୟରାତ୍ରିରୁ ୧୫ ରାଜ୍ୟରେ ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଇଣ୍ଡିଆର ୯୩ ଠିକଣାରେ ଚଢଉ କରିଛି । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଛି । ରିପୋର୍ଟ ଅନୁଯାୟୀ ଗିରଫ ହୋଇଥିବା ୧୦୬ ଜଣଙ୍କ ମଧ୍ୟରେ ପିଏଫ୍ଆଇର ମୁଖିଆ ଓଏମ୍ଏ ସଲାମ ଅନ୍ତର୍ଭୁକ୍ତ ।
ଏହି ସର୍ଚ୍ଚ ଅପରେସନ୍ରେ ଏନ୍ଆଇଏ-ଇଡିର ୫୦୦ ଅଫିସର ସାମିଲ ହୋଇଛନ୍ତି । ଇଡି ମଧ୍ୟ ଯାଞ୍ଚରେ ଯୋଗ ଦେଇଛି । କେରଳ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ଆସାମ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ଦିଲ୍ଲୀ ପ୍ରଭୃତି ରାଜ୍ୟରେ ଚଢଉ ଜାରି ରହିଛି । କେବଳ କେରଳରେ ପିଏଫ୍ଆଇର ୫୦ରୁ ଅଧିକ କାର୍ଯ୍ୟାଳୟରେ ଏନ୍ଆଇଏ ଖାନ୍ତଲାସ ଚଳାଇଛି । କେରଳର ମଞ୍ଜେରୀଠାରେ ପିଏଫ୍ଆଇ ଚେୟାରମ୍ୟାନ୍ ସଲାମ୍ଙ୍କ ଘରେ ଏନ୍ଆଇଏ ଅଧିକାରୀମାନେ ବୁଧବାର ବିଳମ୍ବିତ ରାତ୍ରିରେ ଅତର୍କିତ ଚଢଉ କରିଥିଲେ ।
କାଡର୍ ଆତଙ୍କବାଦ ଓ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଡ ସହ ମାରଣାସ୍ତ୍ର ତାଲିମ୍ ଦେଇ ଆସୁଥିବା ଅଭିଯୋଗରେ ପିଏଫ୍ଆଇ ନେତା ଓ କର୍ମକର୍ତ୍ତାମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଘର ଓ କାର୍ଯ୍ୟାଳୟରୁ ଅନେକ ଡିଜିଟାଲ୍ ଉପକରଣ, ଫାଇଲ୍ ଓ ନଗଦ ଟଙ୍କା ଜବତ କରାଯାଇଛି । ଗିରଫ ବ୍ୟକ୍ତିମାନଙ୍କ ଜେରା ମଧ୍ୟ ଜାରି ରହିଛି ।
ଏହି ଖବର ପ୍ରଘଟ ହେବା ପରେ ପରେ ପିଏଫ୍ଆଇର କର୍ମକର୍ତ୍ତା ଓ ସଦସ୍ୟମାନେ ଆରମ୍ଭ କରିଥିଲେ ବିକ୍ଷୋଭ । କେରଳ, କର୍ଣ୍ଣାଟକ ପ୍ରଭୃତି ରାଜ୍ୟରେ ବହୁ ପିଏଫ୍ଆଇ କର୍ମକର୍ତ୍ତା ଏନ୍ଆଇଏ କାର୍ଯ୍ୟାନୁଷ୍ଠାନକୁ ରାଷ୍ଟ୍ର-ଆତଙ୍କ ଆଖ୍ୟା ଦେଇଛନ୍ତି । ସେମାନେ ଶୁକ୍ରବାର ଦେଶସାରା ହରତାଳ ଆହ୍ୱାନ ଦେଇଛନ୍ତି ।
ଏଣେ ନୂଆଦିଲ୍ଲୀରେ ଗୃହ ମନ୍ତ୍ରଣାଳୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ସେଥିରେ ରାଷ୍ଟ୍ରୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭାଲ୍, ଗୃହ ସଚିବ ଅଜୟ ଭଲ୍ଲା ଓ ଏନ୍ଆଇଏ ମହାନିଦେ୍ର୍ଦଶକ ଯୋଗ ଦେଇଥିଲେ ।
ଦୁଇଟି ବଡ ବିବାଦରୁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ପିଏଫ୍ଆଇ ସମ୍ପୃକ୍ତ ଥିବାର ସୁରାକ ମିଳିଥିଲା । ଜୁଲାଇରେ ପାଟନା ପୁଲିସ୍ ଫୁଲୱାରୀ ଶରିଫ୍ଠାରେ ରେଡ୍ କରିବାରୁ ଜଣାପଡିଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏଫ୍ଆଇ ଟାର୍ଗେଟ୍ରେ ଅଛନ୍ତି । ସେହିପରି କର୍ଣ୍ଣାଟକର ଉଡୁପି କଲେଜରେ ହିଜାବ ବିବାଦ ସୃଷ୍ଟି କରିଥିଲା ଏହି ପିଏଫ୍ଆଇ । ୧୨ ବର୍ଷ ପୂର୍ବେ ନିନ୍ଦା ଅଭିଯୋଗରେ ଜଣେ ପ୍ରଫେସରଙ୍କ ହାତ କଟାଯାଇଥିଲା । ଅଭିଯୁକ୍ତ ବ୍ୟକ୍ତି ପିଏଫ୍ଆଇ ସଦସ୍ୟ ବୋଲି ପରେ ଜଣାପଡିଥିଲା ।
୨୦୦୭ରେ ଯେଉଁ ଦିନ ଷ୍ଟୁଡେଣ୍ଟ ଇସ୍ଲାମିକ୍ ମୁଭ୍ମେଣ୍ଟ ଅଫ ଇଣ୍ଡିଆ (ସିମି)କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଭାରତ ସରକାର ବ୍ୟାନ୍ କଲେ, ତା’ର ଦିନକ ପରେ ପିଏଫ୍ଆଇ ଗଢାଯାଇଥିଲା । ମନିଥା ନୀତି ପସାରାଇ (ଏମ୍ଏନ୍ପି) ଓ ନ୍ୟାସନାଲ୍ ଡେଭଲପ୍ମେଣ୍ଟ ଫଣ୍ଡ (ଏନ୍ଡିଏଫ୍) ନାମକ ଦୁଇଟି ସଙ୍ଗଠନ ମିଶି ପିଏଫ୍ଆଇ ଗଢିଥିଲେ । ପ୍ରଥମେ ଏହା ଦାକ୍ଷିଣାତ୍ୟରେ ସକ୍ରିୟ ଥିଲା, ଏବେ ବିହାର-ୟୁପି ସମେତ ୨୦ ରାଜ୍ୟରେ ଏହାର ଶାଖାପ୍ରଶାଖା ଅଛି । ପିଏଫ୍ଆଇକୁ କେବଳ ଝାଡଖଣ୍ଡରେ ବ୍ୟାନ୍ କରାଯାଇଛି ଯାହା ବିରୋଧରେ ସଙ୍ଗଠନ କୋର୍ଟରେ ଅଫିସ୍ କରିଛି । ସୂତ୍ର ଅନୁଯାୟୀ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ପିଏଫ୍ଆଇ ଉପରେ ଅଙ୍କୁଶ ଲଗାଇବେ । ଏଥିପାଇଁ ଅଗଷ୍ଟରୁ ପ୍ରସ୍ତୁତି ଚାଲିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *