ମରାମତି ନାଁ ଧରୁନାହାନ୍ତି ପ୍ରଶାସନ କି ଠିକାଦାର
ନାଉଗାଁ (ଆପ୍ର): ନାଉଗାଁ ବ୍ଲକ୍ର କେତେକ ପଞ୍ଚାୟତର ଗାଁଗହଳି ରାସ୍ତା ଆଲୋକୀକରଣ କରାଯିବା ପାଇଁ ପଞ୍ଚାୟତ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି । କିନ୍ତୁ ନିମ୍ନମାନର ଉପକରଣ ଯୋଗୁ ବିଦୁ୍ୟତ ଖୁଣ୍ଟିରେ ଲାଇଟ ଲାଗିବାର ପ୍ରାୟ ୬ ମାସ ନ ପୁରୁଣୁ ଅଧିକାଂଶ ଲାଇଟି ଅଚଳ ହୋଇଯାଇଥିବା ଦେଖିବାକୁ ମିଳିଛି । ନିୟମ ମୁତବାକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯଦି ଲଗାଯାଇଥିବା ଲାଇଟି କୌଣସି ପ୍ରକାର ଖରାପ ହୁଏ, ତେବେ ସଂପୃକ୍ତ ଠିକାଦାର ଏହାକୁ ମାଗଣାରେ ମରାମତି କରିବା କଥା । ମାତ୍ର ବତର୍ମାନ ସୁଦ୍ଧା ସଂପୃକ୍ତ ଠିକାଦାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି କି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି । ଏପରିକି ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଯାହାଫଳରେ ଲକ୍ଷାଧିକ ଟଙ୍କା ପାଣିରେ ପଡିବାକୁ ଯାଉଛି ।
ଅନ୍ୟପଟରେ ଦାୟିତ୍ୱରେ ଥିବା ସଂପୃକ୍ତ ଠିକାଦାର ବିଦୁ୍ୟତ ଖୁଣ୍ଟ ଗୁଡିକରେ ନିମ୍ନମାନର ଲାଇଟ୍ ଲଗାଇ ଲାଇଟି ପ୍ରତି ୧୨ ହଜାର ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ଦର୍ଶାଇ ଅର୍ଥ ହରିଲୁଟ୍ କରି ନେଇଥିବା ଅଭିଯୋଗ ହେଉଛି । ଏପରିକି ଲାଇଟି ଲାଗିବା ସମୟରେ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କର ଦେଖା ନ ଥିବା ବେଳେ ମୋଟା ଅଙ୍କର ଉକ୍ରୋଚ ନେଇ କାର୍ଯ୍ୟାଳୟରେ ବସି ବିଲ୍ ମଂଜୁରୀ କରିଥିବା ନେଇ ଚର୍ଚ୍ଚା ହେଉଛି । ଏହାର ବିଧିବଦ୍ଧ ତଦନ୍ତ କରାଗଲେ ବଡ଼ ଧରଣର ଦୁର୍ନିତୀ ସାମ୍ନାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି ।