କାର୍ରୁ ମିଳିଲା କ୍ୱିଣ୍ଟାଲେ ରୁପା
କଟକ, ୨୨ ।୯(ବୁ୍ୟରୋ): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗ ହାତରେ ଲାଗିଛି ରୂପା ଇଟା । ସିଏ ବି ଗୋଟିଏ କି ଦୁଇଟି ନୁହେଁ ଗାଡ଼ିର ସିକ୍ରେଟ ଚାମ୍ବର ଭିତରୁ ପ୍ରାୟ ୪୭ ଖଣ୍ଡ ରୂପା ଇଟା ଜବତ କରିଛି ଅବକାରୀ ବିଭାଗ । ଏଥିସହ ରୂପା ପାଉଁଜି, ଗୋଡ ମୁଦି, ଚୁଡ଼ି, ବ୍ରେସଲେଟ ଓ ନଗଦ ୧୨ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛି । ଏହି ଘଟଣାରେ ୨ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି । ଅଟକ ରହିଥିବା ୨ ଜଣ ହେଉଛନ୍ତି ଡ୍ରାଇଭର ଦିଲ୍ଲୀପ ମଣ୍ଡଳ ଓ ହେଲପର ଅତନୁ ପାଲ । ଉଭୟ ଖଡ଼ଗପୁରର ବାସିନ୍ଦା ବୋଲି ସୂଚନା ମିଳିଛି ।
ସୂଚନାନୁସାରେ, ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡକୁ ଆଜି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରୁ ପଞ୍ଚିମବଙ୍ଗର ଖଡ଼ଗପୁରକୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଛି । ଏହି ଖବର ପାଇ ଅବକାରୀ ଟିମ୍ ଟାଙ୍ଗୀ ଟୋଲ ଗେଟ ଛକି ରହିଥିଲା । ଏହି ସମୟରେ ପଶ୍ଚିମବଙ୍ଗର ନମ୍ବର ଥିବା ଏକ ସନ୍ଦିଗ୍ଧ କାର କଟକ ପଟୁ ଆସୁଥିଲା । ଉକ୍ତ କାରକୁ ଅଟକାଇ ପଚାରିବାରୁ କାର ଚାଳକ ଆସ୍କାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କହିଥିଲା । ତେବେ କାର ଭିତରେ ଗଞ୍ଜେଇ ଥିବା ସନେ୍ଦହରେ ଗାଡ଼ି ଭିତରେ ଯାଞ୍ଚ କରିଥିଲା ଅବକାରୀ ଟିମ୍ । କାର ଭିତରେ ତନତନ କରି ଯାଞ୍ଚ କରିବା ବେଳେ କାରର ସିଟ୍ କାଟି ତା’ ତଳେ ସିକ୍ରେଟ ଚାମ୍ବର ଥିବା ଦେଖିôବାକୁ ମିିଳିଥିଲା । ଏହି ସିକ୍ରେଟ ଚାମ୍ବର ଭିତରେ ଗଞ୍ଜେଇ ଥିବା ସନେ୍ଦହରେ ଯାଞ୍ଚ କରାଯାଇଥିଲା । ମାତ୍ର ସେଥିରୁ ଗଞ୍ଜେଇ ପରିବର୍ତ୍ତେ ୧ କ୍ୱିଣ୍ଟାଲରୁ ଅଧିକ ରୂପା ଇଟାସହ ବହୁ ଚାନ୍ଦି ଅଳଙ୍କାର ଓ ନଗଦ ୧୧ ଲକ୍ଷ ୯୦ ହଜାର ଟଙ୍କା ମିଳିଥିଲା ।
ଅବକାରୀ ବିଭାଗର କର୍ମଚାରୀମାନେ ୨ ଜଣଙ୍କୁ ଅଫିସ୍କୁ ଆଣି ଛାନ୍ଭିନ୍ କରିଥିଲା । ଏହି ରୁପା ଇଟା ଇଶତ ହଳଦିଆ ରଙ୍ଗର ଦେଖାଯାଉଥିବା ବେଳେ ସେଥିରେ କିଛି ସୁନା ମିଶିଥିବା ଅନୁମାନ କରାଯାଉଛି । ଯାଞ୍ଚବେଳେ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଏସ୍ଟି ଅଧିକାରୀ । ଏହି ଗାଡ଼ିଟି ଆସ୍କାରୁ ଖଡ଼ଗପୁର ଅଭିମୁଖେ ଯାଉଥିଲା ।
ଗାଡ଼ିରେ କେବଳ ଡ଼୍ରାଇଭର ଓ ହେଲପର ଥିବାରୁ ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି । ତେବେ ଏହି ରୁପା ଇଟା ଆସିକା ଅଞ୍ଚଳର ବାପୁ ନାମକ ଯୁବକଙ୍କର ବୋଲି କହିଛନ୍ତି ଡ୍ରାଇଭର । ସେ ଜଣେ ଚାନ୍ଦି ବ୍ୟବସାୟୀ ହୋଇଥିବା ବେଳେ ଏହି ରୁପା ଇଟା ଓ ଟଙ୍କା ଖଡ଼ଗପୁର ପଠାଉଥିଲେ ବୋଲି କହିଛନ୍ତି ଗାଡ଼ି ଡ୍ରାଇଭର । ଗାଡ଼ିରେ ପଶ୍ଚିମବଙ୍ଗର ନମ୍ବରପ୍ଲେଟ ଥିବାବେଳେ ଏହାର ମାଲିକଙ୍କ ବିଷୟରେ ଖୋଳତାଡ଼ ଆରମ୍ଭ କରିଛି ପୁଲିସ । ଜବତ ରୁପା ଇଟାର ମୂଲ୍ୟ ଆକଳନ କରିବାକୁ ଜିଏସ୍ଟି ବିଭାଗ ଅଧିକାରୀ ତଦନ୍ତ କରୁଛନ୍ତି । ଅନ୍ୟପଟେ ଜିଏସ୍ଟି ଆସିଷ୍ଟାଣ୍ଟ କମିଶନର ଆଶିଷ ସାହୁ କହିଛନ୍ତି, ଜବତ ହୋଇଥିବା ରୂପା ଅଳଙ୍କାରର ତଦନ୍ତ କରାଯାଉଛି । ଏହାର ମାଲିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଅଟକ ଥିବା ୨ ଜଣଙ୍କୁ ପଚରା ଉଚୁରା କରିବା ପରେ ସମସ୍ତ କଥା ଜଣାପଡ଼ିବ । ଜିଏସ୍ଟି ବିଭାଗ ଏଥିରେ କାର୍ଯ୍ୟାନୁଷ୍ଠାନ ନେବ । ସେହିପରି ଆୟକର ବିଭାଗକୁ ମଧ୍ୟ ଏହାର ତଦନ୍ତ ପାଇଁ ସୂଚନା ଦିଆଇଛି । ଏହାସହ ଏତେ ପରିମାଣର ଟଙ୍କା, ରୁପା ଇଟା ଓ ଚାନ୍ଦି ଅଳଙ୍କାର କାହାର ଓ ସେ ଜିଏସ୍ଟି ଫାଙ୍କିଛନ୍ତି କି ତାହା ଉପରେ ତଦନ୍ତ ଚାଲିଛି ।