୩ ହଜାର ହବିଷ୍ୟାଳୀଙ୍କ ପାଇଁ ୩ ଶିବିର
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକ
ପୁରୀ (ବୁ୍ୟରୋ) ଛତିଶାନିଯୋଗ ବୈଠକ ଓ ନୀତି ସବ୍କମିଟି ବୈଠକ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ସମ୍ପର୍କିତ ଆଲୋଚନା ହୋଇଥିବା ବେଳେ ହବିଷ୍ୟାଳୀମାନେ କିପରି ଠିକ୍ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେ ସଂପର୍କରେ ଆଲୋଚନା ହୋଇଥିଲା । ନିଯୋଗର ସଦସ୍ୟମାନେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ତେବେ ନିଯୋଗର କେତେକ ସଭ୍ୟମାନଙ୍କର ଅନେକ ସମସ୍ୟା ରହିଥିଲା ସେ ସଂପର୍କରେ କେତେକ ସମସ୍ୟାର ସମାଧାନ ହେଉଛି । ଆଉ କେତେକ ସମସ୍ୟା ପ୍ରଶାସକ ଓ ସେବାୟତଙ୍କ ମଧ୍ୟରେ ଆଲୋଚନ ହୋଇ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କାର୍ତ୍ତିକରେ ଶ୍ରୀମନ୍ଦିର ଅଧିକ ଭିଡ ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ହବିଷ୍ୟାଳୀମାନେ କିପରି ସୁରୁଖୁରୁରେ ପ୍ରଭୁଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ମହାପ୍ରସାଦ ସେବନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ପ୍ରାୟ ୨୫ଶହରୁ ୩ହଜାର ହବିଷ୍ୟାଳୀଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯାଉଛି । ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସ, ମୋଚିସାହି କଲ୍ୟାଣମଣ୍ଡପ ଓ ନୂତନଭାବେ ଉଦ୍ଘାଟିତ ହେବାକୁ ଥିବା ହବିଷ୍ୟାଳୀ ବିଲ୍ଡିଂରେ ହବିଷ୍ୟାଳୀଙ୍କ ରହଣୀ ପାଇଁ ବ୍ୟବସ୍ଥା କରାଯାଇଛି । ୩ ସ୍ଥାନରେ କିପରି ସେମାନେ ସୁରୁଖୁରୁରେ ରହିପାରିବେ ତା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ରହିବା, ଖାଇବା, ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ସେଠାରେ ସ୍ୱେଚ୍ଛାସେବୀମାନେ ରହି କାମ କରିବେ । ସୁଆର ମହାସୁଆର ନିଯୋଗ ଅବଢ଼ା ଦରବୃଦ୍ଧି ପାଇଁ କରିଥିବା ଦାବି ସଂପର୍କରେ ଆଲୋଚନା ଚାଲିଥିବା ବେଳେ ୩ ହବିଷ୍ୟାଳୀ ରହଣୀ କେନ୍ଦ୍ରରେ କିପରି ଠିକ୍ ସମୟରେ ମହାପ୍ରସାଦ ପହଞ୍ଚିପାରିବ ତା’ର ବନେ୍ଦାବସ୍ତ ସମ୍ପର୍କରେ ଆଲୋଚନା ହୋଇଥିଲା । ସୂର୍ଯ୍ୟାସ୍ତ ପୂର୍ବରୁ ହବିଷ୍ୟାଳୀମାନେ କିପରି ମହାପ୍ରସାଦ ସେବନ କରିବେ ସେଥିପାଇଁ ପ୍ରଶାସନ ତତ୍ପର ରହିବ । ହବିଷ୍ୟାଳୀ ଶିବିରରେ ସକାଳୁ ତୁଳସୀ ଚଉରାମୂଳେ ପୂଜା କରିବା, ଧର୍ମଶାସ୍ତ୍ର ଶୁଣିବା, ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଓ ଆକାଶଦୀପ ପ୍ରଜ୍ଜ୍ୱଳନ ସଂପର୍କରେ ବ୍ୟବସ୍ଥା କରାଯାଉଛି । କାର୍ତ୍ତିକ ମାହାତ୍ମ୍ୟ, ପୁରାଣଶାସ୍ତ୍ର ସଂପର୍କରେ ଦିବ୍ୟବାଣୀ ଶୁଣାଇବା ପାଇଁ ପୁରାଣ ପଣ୍ଡାଙ୍କ ବ୍ୟବସ୍ଥା କରାଯାଉଛି । ଭଜନ କୀର୍ତ୍ତନ ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ ସେ ଲାଗି ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ଆସନ୍ତା ଅକ୍ଟୋବର ୨୫ରେ ସୂର୍ଯ୍ୟପରାଗ ଓ ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଦୁଇ ଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ନୀତିକାନ୍ତି ସମ୍ପନ୍ନ କରାଯିବ । ଆସନ୍ତା ୨୭ରେ ହେବାକୁ ଥିବା ପରିଚାଳନା ବୈଠକରେ ଅନୁମୋଦନ ପରେ ନୀତି ଚୂଡାନ୍ତ ହେବ । ବୈଠକରେ ଏସ୍ପି କନୱାର ବିଶାଲ ସିଂଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତ୍ତମାନେ ଉପସ୍ଥିତ ଥିଲେ ।