ୱାନ୍ ମ୍ୟାନ୍, ୱାନ୍ ପୋଷ୍ଟ

ଆଶାୟୀଙ୍କୁ ‘ନବସଂକଳ୍ପ’ ସ୍ମରଣ କରାଇଲେ ରାହୁଲ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ହେଲେ ଗେହଲଟ୍
ସଚିନ୍ ହୋଇପାରନ୍ତି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ (ଏଜେନ୍ସି): କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଦୌଡରେ ବର୍ତ୍ତମାନ ସୁଦ୍ଧା ୫ ଆଶାୟୀ ପ୍ରାର୍ଥୀ ହେବା ଆପାତତଃ ସ୍ପଷ୍ଟ ହୋଇଛି । ୩ଠ ପର୍ଯ୍ୟନ୍ତ ନାମାଙ୍କନ ଦାଖଲର ଅନ୍ତିମ ତାରିଖ ଆସନ୍ତା ୩ଠ ତାରିଖ ପର୍ଯ୍ୟନ୍ତ ଥିବାରୁ ଆଗାମୀ ଦିନରେ ହୁଏତ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି କିମ୍ବା ହ୍ରାସ ପାଇପାରେ । ତେବେ ଏସବୁ ମଧ୍ୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, କେରଳରୁ (ଭାରତ ଯୋଡୋ କାର୍ଯ୍ୟକ୍ରମ ପାଇଁ କେରଳରେ ଅଛନ୍ତି ରାହୁଲ) ଆଶାୟୀଙ୍କ ଉଦେ୍ଦଶ୍ୟରେ ଏକ ବଡ଼ ବାର୍ତ୍ତା ଦେଇଛନ୍ତି ।
ରାହୁଲ କହିଛନ୍ତି, କଂଗ୍ରେସର ଅଧ୍ୟକ୍ଷ ହେବା କେବଳ ଏକ ସାଂଗଠନିକ ପଦବୀ ନୁହେଁ ବରଂ ଏହା ବିଶ୍ୱାସ, ଆଦର୍ଶର ପ୍ରତୀକାତ୍ମକ ପଦବୀ ମଧ୍ୟ । ସୁତରାଂ ଯେଉଁମାନେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେମାନେ ପ୍ରଥମେ ଆଦର୍ଶଗତ, ନୀତିଗତ ଆଚରଣକୁ ପ୍ରାଥମିକତା ଦେବା ଉଚିତ୍ । ନିକଟରେ ରାଜସ୍ଥାନର ଉଦୟପୁରରେ ଆୟୋଜିତ ନବସଂକଳ୍ପ କାର୍ଯ୍ୟକ୍ରମ ଜରିଆରେ କଂଗ୍ରେସ ଏକ ପ୍ରତିଜ୍ଞା କରିଥିଲା । ତାହା ହେଉଛି ଗୋଟିଏ ବ୍ୟକ୍ତି ଓ ଗୋଟିଏ ପଦବୀ ନୀତିକୁ କଂଗ୍ରେସ କାର୍ଯ୍ୟକାରୀ କରିବ । ଏବେ ଯେତେବେଳେ କଂଗ୍ରେସର ସଭାପତି ପଦ ପାଇଁ ନିର୍ବାଚନ ହେଉଛି, ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରାର୍ଥୀ ଏହି ପ୍ରତିଜ୍ଞାର ପାଳନ କରିବେ ବୋଲି ଆଶା କରାଯାଉଛି ।
ପ୍ରକାଶ, ରାହୁଲଙ୍କ ଏପ୍ରକାର ବାର୍ତ୍ତା, ରାଜସ୍ଥାନର ୭୧ବର୍ଷୀୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ବୁଧବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁୂ ଭେଟି ତାଙ୍କ ସମ୍ମୁଖରେ ରଖିଥିବା ଡବଲ୍ ରୋଲ୍ ସର୍ତ୍ତ ପରିପ୍ରେକ୍ଷୀରେ ଆସିଥିବା କୁହାଯାଉଛି । କାରଣ ଗେହଲଟ୍ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ଛାଡିବାକୁ ଚାହୁଁନାହାନ୍ତି । ସିଧାସଳଖ କହିଲେ ସେ ମୁଖ୍ୟମନ୍ତ୍ରୀ ପଦ ସହ ଅଧ୍ୟକ୍ଷ ପଦ ସମ୍ଭାଳିବେ ବୋଲି ସର୍ତ୍ତ ରଖିଥିଲେ । ତେବେ ରାହୁଲଙ୍କ ଏପ୍ରକାର ବାର୍ତ୍ତା ଆସିବାର କିଛି ସମୟ ମଧ୍ୟରେ ଗେହଲଟ୍ ନିଜ ସ୍ୱର ବଦଳାଇଛନ୍ତି । ଦୁଇ ପଦରେ ଏକା ସଙ୍ଗରେ କାମ କରିବା ଉଚିତ୍ ନୁହେଁ ବୋଲି ଗେହଲଟ୍ କହିଛନ୍ତି । ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତ ଯେ, ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବା ପାଇଁ ପଦ ଛାଡିବା ଆବଶ୍ୟକତା ନାହିଁ, କିନ୍ତୁ ଯଦି ବିଜୟୀ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ ପଦ ଛାଡିଦେବେ ।
ଅନ୍ୟପକ୍ଷେ ଗେହଲଟ୍ଙ୍କ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ପରେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଯୁବ କଂଗ୍ରେସ ନେତା ସଚିନ୍ ପାଇଲଟ୍ ଦାୟିତ୍ୱ ନେବା ନିଶ୍ଚିତ ବୋଲି ମନେ କରାଯାଉଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ସଚିନ୍ ପାଇଲଟ୍ ଏବଂ ଗେହଲଟ୍ଙ୍କ ମଧ୍ୟରେ ଗତ ୨ବର୍ଷ ଧରି ତିକ୍ତତା ରହିଆସିଛି । ହାଇକମାଣ୍ଡଙ୍କ ନିଦେ୍ର୍ଦଶକ୍ରମେ ସଚିନ୍ଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିଲେ ମଧ୍ୟ ଗେହଲଟ୍ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ କୋଣଠେସା କରିଆସୁଥିବା ଅଭିଯୋଗ ହୋଇଆସୁଛି । ଏସବୁ ମଧ୍ୟରେ ସଚିନ୍, କେରଳ ଯାଇ ସେଠାରେ ରାହୁଲଙ୍କୁ ସାକ୍ଷାତ କରିଥିବା ବେଳେ ରାହୁଲଙ୍କ ପକ୍ଷରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶ୍ୱାସନା ମିଳିଥିବା ଜଣାପଡିଛି । ତେବେ ଗେହଲଟ୍ଙ୍କ ପୂର୍ବ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିବା ଅନେକ ନେତା ଏବେ ରାହୁଲଙ୍କ ତାଗିଦ୍ପୂର୍ଣ୍ଣ ପରାମର୍ଶ ଏବଂ ଏଥିଯୋଗୁ ଗେହଲଟ୍ଙ୍କ ସ୍ୱର ବଦଳିବାକୁୂ ନେଇ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *