ପୁରୁଣା ରୂପକୁ ଫେରିବ ଆଇପିଏଲ୍
ମହିଳା ଆଇପିଏଲ୍ ବି ଆସନ୍ତା ବର୍ଷ ଠାରୁ ଆରମ୍ଭ କରିବାକୁ ଯୋଜନା
ନୂଆଦିଲ୍ଲୀ, ୨୨ା୯ (ଏଜେନ୍ସି): ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍ ଆଇପିଏଲ୍ ଏବେ ତା’ର ପୁରୁଣା ରୂପକୁ ଫେରିବାକୁ ଯାଉଛି ଅର୍ଥାତ୍ ହୋମ୍-ଆୱେ ଫର୍ମାଟ୍କୁ । ଏବେ ୧୦ ଟିମ୍ ନିଜ ଧାର୍ଯ୍ୟ ଭେନୁ୍ୟରେ ଖେଳୁଥିବାର ଦେଖିବାକୁ ମିଳିବେ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏ ସମ୍ପର୍କରେ ରାଜ୍ୟ ୟୁନିଟ୍ଗୁଡ଼ିକୁ ମେଲ୍ ମଧ୍ୟ କରିଛନ୍ତି । ଏଥିରେ କୁହାଯାଇଛି ଯେ ଜୁନ୍ ମାସରେ ପୁରୁଷ ଆଇପିଏଲ୍କୁ ୧୦ ଟିମ୍ ସହିତ ହୋମ୍-ଆୱେ ଫର୍ମାଟ୍ରେ ଆୟୋଜନ କରାଯିବ ।
ଗାଙ୍ଗୁଲି ଏଥିରେ ଉଲ୍ଲେଖ କରିଛନ୍ତି – “ଆଇପିଏଲ୍କୁ ଆସନ୍ତା ବର୍ଷ ଠାରୁ ଘରୋଇ ଗ୍ରାଉଣ୍ଡ ଓ ବିରୋଧୀ ଟିମ୍ର ଗ୍ରାଉଣ୍ଡ ଫର୍ମାଟ୍ରେ ଆୟୋଜନ କରିବୁ । ସମସ୍ତ ୧୦ ଟିମ୍ ନିଜ ଘରୋଇ ମ୍ୟାଚ୍ ନିଜର ଧାର୍ଯ୍ୟ ସ୍ଥାନରେ ଖେଳିବେ ।”
କରୋନା ମହାମାରୀ ଯୋଗୁଁ ଲିଗ୍ ରୁଦ୍ଧଦ୍ୱାର ମଧ୍ୟରେ ଆୟୋଜିତ ହୋଇଥିଲା । ଲିଗ୍ର ମ୍ୟାଚ୍ଗୁଡ଼ିକ ବଛା ବଛା ଗ୍ରାଉଣ୍ଡରେ ବାୟୋ-ବବଲ୍ ମଧ୍ୟରେ ଖେଳାଯାଉଥିଲା । ୨୦୨୦ ସିଜନ୍ କେତେକ ବଛା ବଛା ସ୍ଥାନରେ ହୋଇଥିଲା । ୨୦୨୧ ସିଜନ୍ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚ୍ ଦିଲ୍ଲୀ, ଅହମ୍ମଦାବାଦ, ମୁମ୍ବାଇ ଓ ଚେନ୍ନାଇରେ ଆୟୋଜିତ ହୋଇଥିଲା । ଆଇପିଏଲ୍ ୨୦୨୨ ମଧ୍ୟ ମୁମ୍ବାଇ, ପୁନେ, କୋଲକାତା ଓ ଅହମ୍ମଦାବାଦରେ ଖେଳାଯାଇଥିଲା ।
ପୂର୍ବ ସିଜନ୍ରେ ଦୁଇଟି ନୂଆ ଟିମ୍ – ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ସାମିଲ୍ ହୋଇଥିଲେ । ନବାଗତ ଗୁଜରାଟ ଟିମ୍ ଫାଇନାଲ୍ରେ ରାଜସ୍ଥାନ ରୟାଲ୍ସକୁ ହରାଇ ମୁକୁଟ ଜିତିଥିଲା ।
ଫେବ୍ରୁଆରୀ-ମାର୍ଚ୍ଚରେ ଡବ୍ଲୁ୍ୟଆଇପିଏଲ୍
ବୋର୍ଡ ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ମହିଳାଙ୍କ ଆଇପିଏଲ୍ ମଧ୍ୟ ଆୟୋଜନ କରିବ । ଏ ସମ୍ପର୍କରେ ମଧ୍ୟ ବୋର୍ଡ ରାଜ୍ୟ ୟୁନିଟ୍ଗୁଡ଼ିକୁ ଜଣାଇ ଦେଇଛି । ଆସନ୍ତା ମାସରେ ହେବାକୁ ଥିବା ଏଜିଏମ୍ରେ ଏହାର ଫର୍ମାଟ୍ ଚୂଡ଼ାନ୍ତ ହୋଇପାରେ ।
ଏହାଛଡ଼ା ବୋର୍ଡ ୧୫ ବର୍ଷରୁ କମ୍ ମହିଳା ଦିନିକିଆ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ କରିବ । ଏହାର ପ୍ରଥମ ଇଭେଣ୍ଟ ଡିସେମ୍ବର ୨୬ରୁ ଜାନୁଆରୀ ୧୨ ଯାଏଁ ପାଞ୍ଚଟି ସ୍ଥାନ – ବେଙ୍ଗାଲୁରୁ, ରାଞ୍ଚି, ରାଜକୋଟ୍, ଇନେ୍ଦାର, ରାୟପୁର ଓ ପୁନେରେ ଖେଳାଯିବ ।