୩ଠଠ ଏସ୍ଏଚ୍ଜିଙ୍କୁ ୮.୭୯ କୋଟି ଋଣ
ମେଗା ସମନ୍ୱୟ ମେଳା
ହିଞ୍ଜିଳିକାଟୁ (ଆପ୍ର): ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପକ୍ଷରୁ ପଞ୍ଚାୟତ ସମ୍ମିଳନୀ କକ୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ କରିବା ପାଇଁ ବ୍ଲକ୍ସ୍ତରୀୟ ମେଗା ସମନ୍ୱୟ ମେଳା ଅନୁଷ୍ଠିତ ହୋଇଥିଲା । ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହିଞ୍ଜିଳିକାଟୁ ବ୍ଲକ୍ ଉପାଧ୍ୟକ୍ଷ ସୁନୀଲ ଗନ୍ତାୟତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଅଗ୍ରଣୀ ଜିଲ୍ଲା ବ୍ୟାଙ୍କ ଅଧିକାରୀ ଶିବପ୍ରସାଦ ନନ୍ଦ ମଞ୍ଚାସୀନ ଥିଲେ । ବ୍ଲକ୍ ଜୀବୀକା ମିଶନର ପ୍ରକଳ୍ପ ପରିଚାଳକ ପ୍ରକାଶ ଚନ୍ଦ୍ର ବଳିଆରସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମହିଳାମାନେ ଯେପରି ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ଦୃଷ୍ଟିଦେଇ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ଲାଗି ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ । ଏହି ଅବସରରେ ହିଞ୍ଜିଳିକାଟୁ ପୌର ପରିଷଦ ଓ ବ୍ଲକ୍ର ୩୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୮କୋଟି ୭୯ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ପକ୍ଷରୁ ବ୍ଲକ୍କୁ ମିଶନ ଶକ୍ତି ବିଭାଗ ଦ୍ୱାରା ୧୦୨୯ଗୋଟି ଋଣ ପ୍ରଦାନ କରାଯାଇଥିବା ବେଳେ ପୂର୍ବରୁ ୩୮୨ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଛି । ସେହିପରି ଋଣ ଅର୍ଥର ସଦ୍ବିନିଯୋଗ କରି ସ୍ୱାବଲମ୍ବୀ ହେବା ଲାଗି ମହିଳା ଗୋଷ୍ଠୀଙ୍କୁ ମୁଖ୍ୟ ଅତିଥି ତଥା ଶ୍ରୀ ଗନ୍ତାୟତ ପରାମର୍ଶ ଦେଇଥିଲେ । ବ୍ଲକ୍ କାର୍ଯ୍ୟକ୍ରମ ପରିଚାଳକ (ବିପିସି) ଫଣି ଭୂଷଣ ବେହେରା ଉପସ୍ଥିତ ସମସ୍ତ ପ୍ରଶାସନିକ ଅଧିକାରୀ ଓ ବ୍ୟାଙ୍କ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।