ଆମ ପ୍ରତିଭାର ବିକାଶ ହୋଇଛି
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତି ମା’
ଭୁବନେଶ୍ୱର (ବୁ୍ୟରୋ): ଗୁରୁବାର ସନ୍ଧ୍ୟାରେ ନବୀନ ନିବାସରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମା’ମାନେ ଜାତୀୟ ପତାକା ତିଆରି ଦାୟିତ୍ୱ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମାଙ୍କ କାର୍ଯ୍ୟର ପ୍ରଶଂସା କରି କହିଥିଲେ ଆପଣଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଭରସା ରହିଛି । ଆପଣମାନେ ମଧ୍ୟ ଗାଁ ଗାଁରେ ବିକାଶର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଓ ଭରସାକୁ ସାକାର କରିପାରିଛନ୍ତି ।
ଜାତୀୟ ପତାକା ତିଆରି ପରି ଏକ ମର୍ଯ୍ୟଦାପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିଥିବାରୁ ମିଶନ ଶକ୍ତିର ମା’ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ମିଶନ ଶକ୍ତିରେ ସାମିଲ ହୋଇ ଆମେ ଗର୍ବିତ ବୋଲି ସେମାନେ ପ୍ରକାଶ କରିବା ସହ ଏଥିପାଇଁ ଆଜି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାର ବିକାଶ ହୋଇପାରିଛି ବୋଲି ସେମାନେ କହିଥିଲେ । ସୂଚନାଯୋଗ୍ୟ, ଚଳିତ ବର୍ଷ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା’ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ୱ ଦେଇଥିଲେ । ପର୍ଯ୍ୟାୟକ୍ରମେ ୩୦ ଜିଲ୍ଲାର ମିଶନ୍ ଶକ୍ତି ମା’ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ।