ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣ

ଭୁବନେଶ୍ୱର, ୨୧ା୯ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରେ ନିଯୁକ୍ତ କରାଇଛନ୍ତି । ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଭିସି ଜରିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରକୁ ତୃଣମୂଳ ସ୍ତରରେ ଅଭିବୃଦ୍ଧିର ଏକ ଇଞ୍ଜିନ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଏକସଙ୍ଗେ ଭୁବନେଶ୍ୱରର ଲୋକସେବା ଭବନ ସମ୍ମିଳନୀ କକ୍ଷ ଏବଂ ଜୟଦେବ ଭବନରେ ଆୟୋଜିତ ହୋଇଥିଲା । ସମସ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଭିଡିଓ କନଫରେନସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ମୋଟ ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳିଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଓ ଏହାର ଗ୍ରାମାଞ୍ଚଳରେ ୭୦%ରୁ ଅଧିକ ଲୋକ ବିଭିନ୍ନ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ପ୍ରାଣୀପାଳନ ଓ ମତ୍ସ୍ୟ ଉତ୍ପାଦନ ମାଧ୍ୟମରେ ନିଜର ଆୟ ବୃଦ୍ଧି କରିପାରୁଛନ୍ତି । ରାଜ୍ୟ ସରକାର ଏହି କୃଷକଙ୍କ ଜୀବନକୁ ଅଧିକ ଆରାମଦାୟକ କରିବା, ରୋଜଗାର ବଢାଇବା ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରକୁ କୃଷକ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଉଦ୍ୟୋଗୀଙ୍କ ପାଇଁ ଅଭିବୃଦ୍ଧିର ଏକ ଇଞ୍ଜିନ ଭାବରେ ଚିହ୍ନଟ କରାଯାଇଛି ।
ଗ୍ରାମାଞ୍ଚଳରେ ଲୋକଙ୍କ ପ୍ରୋଟିନ କ୍ୟାଲୋରୀ ଆବଶ୍ୟକତା ପୂରଣ କରିବା, ପୁଷ୍ଟିସାଧନ ଓ ସର୍ବୋପରି ଖାଦ୍ୟ ସୁରକ୍ଷା ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରର ସ୍ୱତନ୍ତ୍ର ଭୂମିକା ରହିଛି । ତେଣୁ ଏହି ବିଭାଗର ଅଧିକାରୀମାନେ ସେମାନଙ୍କ ଦାୟିତ୍ୱ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଅନୁଭବ କରିବା ଉଚିତ । ୫-ଟି ଉପକ୍ରମ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ, ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା, ଟିମ୍ ସ୍ପିରିଟ୍ରେ କାମ କରିବା ଓ ବୈଷୟିକ ଜ୍ଞାନର ପ୍ରୟୋଗ ଦ୍ୱାରା ତୃଣମୂଳ ସ୍ତରରେ ପ୍ରକୃତ ପରିବର୍ତ୍ତନକୁ ସୁନିଶ୍ଚିତ କରିହେବ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ପାଇଁ ରାସ୍ତା ତିଆରି ହୋଇପାରିବ । ନବନିଯୁକ୍ତ କର୍ମଚାରୀମାନେ ସ୍ୱଚ୍ଛତା ବଜାୟ ରଖିବା ସହ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରା ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *