ସତର୍କ କରାଇଲେ ସିପି-ଡିସିପି
ପାର୍ବଣ ପାଇଁ ମାତିଛନ୍ତି ଠକ
ଭୁବନେଶ୍ୱର (ବୁ୍ୟରୋ): ଦୁଇବର୍ଷର କୋଭିଡ କଟକଣା ପରେ ବେଶ ଧୁମଧାମରେ ପାଳନ ହେବାକୁ ଯାଉଛି ଦୁର୍ଗାପୂଜା । ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ସହ ଆୟୋଜନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଯିବା ସହ ଛିନତାଇ ଗ୍ୟାଙ୍ଗ ଉପରେ କଡା ନଜର ରଖାଯାଇଛି । ପେଶାଦାର ଅପରାଧୀ ତଥା ଅଭ୍ୟାସଗତ ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରହିଥିବା କହିଛନ୍ତି ଟ୍ୱିନ୍ ସିଟି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ସୁରକ୍ଷା ଦୃଷ୍ଟିରୁ ପୁଲିସ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଏହାକୁ ନେଇ ସିପି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି, ଲୋକଙ୍କ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପାର୍ବଣ ସମୟରେ ନିଶା କାରବାର ବଢୁଥିବାରୁ ଏହା ଉପରେ କିପରି ରୋକ ଲଗାଯାଇପାରିବ ସେ ଦିଗରେ କମିଶନରେଟ ପୁଲିସ କାମ କରୁଛି । ବିଶେଷ କରି ସାଇବର ଅପରାଧୀମାନେ ପାର୍ବଣ ସମୟରେ ଲୋଭନୀୟ ଅଫର ଦେଖାଇ ବିଭିନ୍ନ ପ୍ରକାର ଠକେଇ କରୁଥିବାରୁ ଲୋକମାନେ ସାବଧାନ ରୁହନ୍ତୁ ବୋଲି ସେ କହିଛନ୍ତି ।
ସେପଟେ ଚାନ୍ଦା ଓ ଦାଦାବଟିକୁ ନାଁ ଯୋଜନାକୁ ବ୍ୟାପକ ଭାବେ ଲୋକଲୋଚନକୁ ଆଣିବା ପାଇଁ କମିଶନରେଟ୍ ପୁଲିସ୍ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଥିବାବେଳେ ବୁଧବାର ବରମୁଣ୍ଡା ବସଷ୍ଟାଣ୍ଡରେ ବିଭିନ୍ନ ବସ୍ ମାଲିକ ସଂଘ ସହ ବୈଠକ ହୋଇଛି । ପାର୍ବଣରେ ପୂଜା ଦେଖିବା ପାଇଁ ରାଜଧାନୀକୁ ବିଭିନ୍ନ ସ୍ଥାନରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ । ଯାତ୍ରୀ ବଢ଼ିବା ସହ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଓ ଦାଦାବଟି ଆଦାୟ ବଢିବା ଆଶଙ୍କାରେ କମିସନରେଟ ପୁଲିସ ପକ୍ଷରୁ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବସ୍ ମାଲିକ ସଂଘ ଭୁବନେଶ୍ୱର, ରାଜଧାନୀ ବସ୍ ମାଲିକ ସଂଘ, ଲିଙ୍ଗରାଜ ବସ୍ ମାଲିକ ସଂଘ ଭୁବନେଶ୍ୱର ଉପସ୍ଥିତ ଥିଲେ । ସବୁ ବସ୍ ମାଲିକଙ୍କୁ ଏନେଇ ସଚେତନ କରାଯାଇଛି । ଯଦି କେହି ଦାଦାବଟି ଆଦାୟ କରୁଛି ତେବେ ତୁରନ୍ତ ପୁଲିସ୍କୁ ଜଣାଇବାକୁ କୁହାଯାଇଛି ।
ଅନ୍ୟପଟେ ପାର୍ବଣରେ ସାଇବର ଫ୍ରଡ୍ରୁ ବର୍ତ୍ତିବା ପାଇଁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଡିସିପି ପ୍ରତୀକ୍ ସିଂହ । ଲୋଭନୀୟ ଅଫର ଦେଇ ସାଇବର ଠକ ଲୋକଙ୍କୁ ଲୁଟିପାରନ୍ତି । ତେଣୁ ସାବଧାନ ରୁହନ୍ତୁ । କୌଣସି ମେସେଜ୍କୁ କିମ୍ବା ଲିଙ୍କ୍କୁ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ । କିମ୍ବା ସେଥିରେ ବିଶ୍ୱାସ କରି ତାକୁ କ୍ଲିକ କରନ୍ତୁ ନାହିଁ । ସାଇବର ଠକ ଏବେ ବିଭିନ୍ନ ଉପାୟରେ ଠକିବାକୁ ଉଦ୍ୟମ କରୁଛନ୍ତି । ନୂଆ ନୂଆ ବାହାନା ଦେଖାଇ, ବିଭିନ୍ନ ଗିଫ୍ଟ କିମ୍ବା ଅଫରର ଲୋଭ ଦେଖାଇ କିମ୍ବା ଗିଫ୍ଟ କୁପନର ଲୋଭ ଦେଖାଇ ଲୁଟି ପାରନ୍ତି । କେତେବେଳେ ପୁରସ୍କାର ତ କେତେବେଳେ ଲଟେରୀ ଆଦିର ମଧ୍ୟ ଅଫର ଦେଇପାରନ୍ତି । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ଓ ମାମଲା ନଜରକୁ ଆସିଲେ ତୁରନ୍ତ ପୁଲିସ୍କୁ ଜଣାନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି ।