ହେଟ୍ ସ୍ପିଚ୍: ଟିଭି ଚାନେଲ୍କୁ ସୁପ୍ରିମ୍ ତିରସ୍କାର

-ଆଙ୍କରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ -ସରକାର ନୀରବ ଦ୍ରଷ୍ଟା କାହିଁକି?
ନୂଆଦିଲ୍ଲୀ (ଏଜେନ୍ସି): ବୈଦୁ୍ୟତିକ ଗଣମାଧ୍ୟମରେ ସାକ୍ଷାତାକାର ଆଳରେ ଘୃଣା ମନ୍ତବୃ ଦିଆଯାଉଛି । ଟିଭି ଚ୍ୟାନେଲ ଓ ଅନ୍ୟାନ୍ୟ ମିଡିଆରେ ଦିଆଯାଉଥିବା ଏଭଳି ମନ୍ତବ୍ୟ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍ କେଏମ୍ ଜୋସେଫ୍ଙ୍କୁ ନେଇ ଗଠିତ ବେଞ୍ଚ୍ କହିଛନ୍ତି, ମତବ୍ୟକ୍ତ କରିବାର ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ବି ଟିଭି ଚ୍ୟାନେଲରେ ଘୃଣା ଉଦ୍ରେକକାରୀ ଭାଷଣକୁ ଅନୁମତି ଦିଆଯାଇପାରିବ ନାହିଁ । ବୁଧବାର ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ଜୋସେଫ କହିଛନ୍ତି, ଘୃଣା ଉଦ୍ରେକ ପାଇଁ ଟିଭି ଚ୍ୟାନେଲଗୁଡ଼ିକୁ ଏକ ପ୍ଲାଟଫର୍ମ ଭାବେ ବ୍ୟବହାର କରାଯାଉଛି । ରାଜନୈତିକ ଦଳଗୁଡ଼ିକୁ ଏହାକୁ ନିଜର ସ୍ୱାର୍ଥସାଧନ ପାଇଁ ବ୍ୟବହାର କରୁଛନ୍ତି ।
ଜଷ୍ଟିସ୍ ଯୋଶେଫ୍ ଓ ଜଷ୍ଟିସ୍ ହୃଷିକେଶ ରାୟ ଆହୁରି କହିଛନ୍ତି, ଟିଭି ବିତର୍କ ସମୟରେ ଆଙ୍କରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାର୍ଯ୍ୟକ୍ରମ ପ୍ରସାରଣ ବେଳେ ଯେପରି ଘୃଣା ମନ୍ତବ୍ୟ ଦିଆନଯାଏ ସେଥିପ୍ରତି ଆଙ୍କର ଅତ୍ୟନ୍ତ ସଜାଗ ରହି ଅନୁଧ୍ୟାନ କରିବା ଆବଶ୍ୟକ । ଆମ ଦେଶ କେଉଁଆଡେ ଯାଉଛି? ଘୃଣା ବକ୍ତବ୍ୟ ସାମାଜିକ ସଂହତି ମୂଳ ଭିତ୍ତିକୁ ପ୍ରଭାବିତ କରିଥାଏ । ଏହାକୁ ଅନୁମତି ଦିଆଯାଇପାରିବ ନାହିଁ । ଟିଭି ଶୋ’ ପରିଚାଳନା ପାଇଁ ଏକ ବ୍ୟବସ୍ଥା ନିର୍ଦ୍ଧାରଣ କରାଯାଉ । ଯାହାଙ୍କୁ ସମାଲୋଚନା କରୁଛ ସେମାନଙ୍କ ମାନସିକ ଅବସ୍ଥା କିପରି ରହୁଛି ତାହା ଚିନ୍ତା କର । ଏହା ଜଣଙ୍କୁ ଧୀରେସୁସ୍ଥେ ହତ୍ୟା କରିବା ଭଳି ହେଉଛି । ମୁଖ୍ୟଧାରାରେ ଥିବା ମିଡିଆ ବା ସୋଶାଲ ମିଡିଆରେ ଅନିୟନ୍ତ୍ରିତ ଘୃଣା ମନ୍ତବ୍ୟ ଓ ଆଙ୍କରଙ୍କ ଭୂମିକା ଅତି ଜଟିଳ ବୋଲି ଜଷ୍ଟିସ୍ ଜୋସେଫ୍ ମନ୍ତବ୍ୟ ଦେଇଛନ୍ତିି ।
ସରକାରଙ୍କୁ ଇଙ୍ଗିତ କରି ବେଞ୍ଚ୍ କହିଛନ୍ତି, ଏହାକୁ ହାଲ୍କା ଭାବେ ନିଆଯିବା ଅନୁଚିତ । ଘୃଣା ମନ୍ତବ୍ୟର ପ୍ରତିରୋଧ ପାଇଁ ପଦ୍ଧତି ନିର୍ଦ୍ଧାରଣ କରାଯିବ ଉଚିତ । ଉତ୍ତରାଖଣ୍ଡରେ ଅନୁଷ୍ଠିତ ଧର୍ମ ସଂସଦ ସମୟରେ ଦିଆଯାଇଥିବା ଏଭଳି ମନ୍ତବ୍ୟର ପ୍ରତିରୋଧ ପାଇ ରାଜ୍ୟ ସରକାର କି ପଦକ୍ଷେପ ନେଇଥିଲେ? ଧର୍ମରେ ଘୃଣାର ସ୍ଥାନ ନାହିଁ । ବେଞ୍ଚ୍ କହିଛନ୍ତି, ସମାଜକୁ ଦୁର୍ବଳ କରୁଥିବା ଘୃଣା ବୟାନ ପ୍ରସଙ୍ଗରେ ସରକାର ମୂକ ଦର୍ଶକ ସାଜିଛନ୍ତି କାହିକି? କେନ୍ଦ୍ର ସରକାର ବିରୋଧ ମନୋଭାବ ପରିତ୍ୟାଗ କରି କୋର୍ଟକୁ ସହଯୋଗ କରନ୍ତୁ ବୋଲି ବେଞ୍ଚ କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ କେଏମ୍ ନଟରାଜ ପ୍ରତିନିଧିତ୍ୱ କରି କହିଥିଲେ, ୧୪ ରାଜ୍ୟର ସରକାର ଘୃଣା ବୟାନ ଉପରେ ପଦକ୍ଷେପ ନେଇଛନ୍ତି । ଘୃଣା ବୟାନ ଉପରେ ବିଭିନ୍ନ ସମୟରେ ଦାୟର ମାମଲାଗୁଡ଼ିକର ଶୁଣାଣି ଉକ୍ତ ଦୁଇଜଣିଆ ବେଞ୍ଚ୍ କରୁଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବରକୁ ଧାର୍ଯ୍ୟ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *