ପାହାଡ଼ ଧସି ଘାଟିରାସ୍ତା ବନ୍ଦ

ଫୁଲବାଣୀ/ଦାରିଙ୍ଗବାଡ଼ି/ ସୋରଡ଼ା, ୨୧ା୯(ବୁରୋ): ଦୁଇଦିନ ହେଲା ଚାଲିଥିବା ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲାର ଗାଜଲବାଡ଼ି ଘାଟି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ୩ ସ୍ଥାନରେ ପାହାଡ଼ ଧସି ଯାତାୟାତ ବାଧାପ୍ରାପ୍ତ ହୋଇଛି । ସଦାରିଙ୍ଗବାଡ଼ି-ସୋରଡ଼ା ରାସ୍ତା ବନ୍ଦ ହୋଇଯିବାରୁ ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହନ ଅଟକି ରହିଛି । ବସ୍ୟାତ୍ରୀ, ରୋଗୀ ନାହିଁ ନ ଥିବା ହଇରାଣ ହୋଇଛନ୍ତି ।
ଗାଜଲବାଡ଼ି ଘାଟିର ୩, ୪ ନଂ ଏବଂ ୫ ନଂ ବୁଲାଣି ରାସ୍ତାରେ ଭୂ-ସ୍ଖଳନ ହୋଇଛି । ଯାହାଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ସେହିପରି ବ୍ରହ୍ମପୁରରୁ ଦାରିଙ୍ଗିବାଡ଼ିକୁ ଯାତାୟାତ ବନ୍ଦ ହେବାରୁ ଲୋକମାନେ ବର୍ଷାରେ ନାହିଁ ନ ଥିବା ହଇରାଣ ହୋଇଛନ୍ତି । ଦାରିଙ୍ଗିବାଡ଼ିରୁ ବ୍ରହ୍ମପୁର ଦୀର୍ଘ ରାସ୍ତା ବୁଲିକରି ଯିବାକୁ ପଡ଼ୁଛି । ଅଧିକ ସମସ୍ୟା ଭୋଗିଛନ୍ତିି ବ୍ରହ୍ମପୁର ବଡ଼ ମେଡିକାଲକୁ ଯାଉଥିବା ରୋଗୀ ।
ଆହୁରି ପାହାଡ଼ ଧସିବା ଆଶଙ୍କା ଥିବାରୁ ଦାରିଙ୍ଗବାଡ଼ି ଓ ସୋରଡ଼ା ପୁଲିସ ରାସ୍ତାର ଉଭୟ ପାର୍ଶକୁ ବନ୍ଦ କରିଦେଇଛନ୍ତି । ରାସ୍ତା ସଫା ନ ହେବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପୁଲିିସ ପକ୍ଷରୁ କୁହାଯାଇଛି । ଏହା ସୋରଡ଼ାକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଏବଂ ଦାରିଙ୍ଗବାଡ଼ିକୁ ଉକ୍ତ ରାସ୍ତା ଦେଇ ବସ ଯାତାୟାତ କରିଥାଏ । ତେଣୁ ସମସ୍ୟା ଜଟିଳ ହୋଇଛି । ବିଶେଷକରି ଦୈନିକ ରାସନ ସାମଗ୍ରୀ ପାଇଁ ଉକ୍ତ ଅଞ୍ଚଳବାସୀ ବ୍ରହ୍ମପୁର ଉପରେ ନିର୍ଭର କରିଥାନ୍ତି । ପନିପରିବା ପାଇଁ ପରିବହନରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଏସବୁ ବନ୍ଦ ହେବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ଆଶଙ୍କା ପ୍ରକାଶ ପାଇଛି । ଜନଜୀବନ ସୁରକ୍ଷା ନିମିତ୍ତ ରାସ୍ତା ବ୍ଲକିଂ କରାଯାଇ ଓ ସୋରଡ଼ା ପୁଲିସ ସହ ଯୋଗସୂତ୍ର ସ୍ଥାପନ କରାଯାଇଛି ବୋଲି ଥିବା ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *