ବନ୍ଧୁକଧାରୀ ଦେଉଛନ୍ତି ସୁରକ୍ଷା
ଢେଙ୍କାନାଳ-ଭାପୁର ରାସ୍ତାରେ ବେଆଇନ ଗୋ-ଚାଲାଣ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭାପୁର- ଢେଙ୍କାନାଳ ରାସ୍ତାର କଙ୍କଡାହାଡ ଛକ ନିକଟରେ ବୁଧବାର ସକାଳ ସମୟରେ ଅତି ଦୟନୀୟଭାବରେ ଗୋ- ଚାଲାଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗୋଟିଏ ଟାଟା ଏସିରେ ୨୦ରୁ ଅଧିକ ଗୋରୁ ଚାଲାଣ ହେଉଥିବାବେଳେ ଗୋରୁ ଗାଡିକୁ ବନ୍ଧୁକଧାରୀ ଦୁର୍ବୃତ୍ତମାନେ ସୁରକ୍ଷା ଦେଇଥିବାର ଜଣାପଡିଛି । ବୁଧବାର ଦିନ ଏକ ଟାଟା ଏସିରେ ୨୦ ଅଧିକ ଗୋରୁ ଚାଲାଣ କରାଯାଉଥିବା ବେଳେ ଗ୍ରାମବାସୀ ଓ ବଜରଙ୍ଗ କ୍ଲବ ସଦସ୍ୟମାନେ ଗାଡିକୁ ଅଟକାଇ ଗୋରୁଗୁଡିକୁ ଉଦ୍ଧାର କରିଥିଲେ । ଗୋରୁ ଗାଡିଟିକୁ ସୁରକ୍ଷା ଦେଇ ତା’ପଛରେ ଏକ ସ୍କର୍ପିଓ ଓ ବୋଲେରୋରେ ୧୫ରୁ ଅଧିକ ଗୋରୁ ଗାଡିର ପିଛା କରୁଥିବାବେଳେ ଗାଡି ଅଟକାଇବାରୁ ସେମାନେ ଉତ୍କ୍ଷିପ୍ତ ହୋଇ ପଡିଥିଲେ । ସେମାନଙ୍କ ନିକଟରେ ଥିବା ବନ୍ଧୁକ ଦେଖାଇ ଗାଡି ଛାଡିଦେବାକୁ ଧମକ ଚମକ ଦେବା ସହିତ ସ୍ଥାନୀୟ ଲୋକଙ୍କୁ ଭୟଭୀତ ମଧ୍ୟ କରିଥିଲେ । ଏହା ଜଣାପଡିବା ପରେ ଗ୍ରାମର ଶତାଧିକ ଲୋକ ଏକତ୍ରିତ ହୋଇଯିବାରୁ ଗାଡି ଛାଡି ଗୋରୁ ବ୍ୟବସାୟୀ ଫେରାର ହୋଇଯାଇଥିଲେ ।
ଗୋରୁ ଗାଡିର ଡ୍ରାଇଭର ମଧ୍ୟ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବାର ଜଣାପଡିଛି । ଅତି ଅମାନୁଷିକ ଭାବରେ ଟାଟାଏସିରେ ୨୦ଟି ଗୋରୁ ଚାଲାଣ ହେଉଥିଲା । ସେମାନଙ୍କୁ ଦଉଡିରେ ଛନ୍ଦି ଆବଶ୍ୟକଠାରୁ ଅଧିକ ଗୋରୁ ଚାଲାଣ କରୁଥିବାରୁ ଦଳାଚକଟାରେ ଗୋଟିଏ ଗାଈର ମୃତୁ୍ୟ ହୋଇଛି । ଅନେକ ଗୋରୁ କ୍ଷତାକ୍ତ ହୋଇଛନ୍ତି । ଗାଈ ଗୁଡିକୁ ଉଦ୍ଧାର ପରେ ଚିକିତ୍ସା କରି ବଜରଙ୍ଗ କ୍ଲବର ସଦସ୍ୟମାନେ ସୁରକ୍ଷିତଭାବେ ଛାଡିଦେଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରତ୍ୟେକ ଦିନ ଏହି ରାସ୍ତାଦେଇ ଗାଈ ଗୋରୁ ଚାଲାଣ ହେଉଥିବା ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ ଉଠିଛି । ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଓ ବଜରଙ୍ଗ କ୍ଲବ ସଦସ୍ୟମାନେ ଦାବୀ କରିଛନ୍ତି ।