ବେତନଟୀ ତହସିଲ୍ରେ ଜମି କେଳେଙ୍କାରୀ
ବୈଶିଙ୍ଗା (ଆପ୍ର): ରାଜ୍ୟରେ ଭୂ-ସଂସ୍କାର ଆଇନକୁ ଫୁ’ କରିଛନ୍ତି ବଡ଼ ବଡ଼ ଜମି ମାଲିକ । ସିଲିଂ ମାମଲା ଥାଇ ବି ଜମି ଅନ୍ୟକୁ ହସ୍ତାନ୍ତର କରିବା ସହିତ ଆଇନ ଉଲଂଘନ କରି ତହସିଲ ଅଫିସ୍ରେ ଜମିର ଘରବାଡ଼ି ପଟ୍ଟା କରିବାରେ ଜମି ମାଲିକ ସଫଳ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲ ଅଧୀନ ବୈଶିଙ୍ଗା ଅଞ୍ଚଳରେ ସିଲିଂ ଉଦବୃତ ଜମିର ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।
ଅଭିଯୋଗକାରୀ ହରିଜନ, ଆଦିବାସୀ ଓ ସାଧାରଣବର୍ଗର ଭୂମିହୀନ ହିତାଧିକାରୀ ହୋଇଥିବାରୁ ସେମାନଙ୍କୁ ଧମକ ଚମକ ଦିଆଯାଇ ଦଖଲ କରୁଥିବା ଜମିକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡ କରାଯିବା ପରେ ଉକ୍ତ ସିଲିଂ ଜମିକୁ ଘରବାଡ଼ିରେ ପରିଣତ କରାଯାଇଛି । ଯେଉଁଥି ପାଇଁ ପୂର୍ବରୁ ବାଲି ଓ ମୋରମ ଦୁର୍ନୀତିରେ ରେକର୍ଡ କରିଥିବା ବେତନଟୀ ତହସିଲ୍ ଏବେ ପୁଣି ଏହି ସିଲିଂ ଜମି ଦୁର୍ନୀତି ନେଇ ପୁଣି ଥରେ ସନେ୍ଦହ ଘେରରେ । ବହୁ ଦିନ ଧରି ତହସିଲଦାର ପଦବୀ ଖାଲି ପଡ଼ିଥିବା ବେଳେ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାରଙ୍କ ନାମରେ ଆର୍ଡିସିଙ୍କ ସମେତ ବାରିପଦା ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତା’ ସହିତ ମେମ୍ବର ସେକ୍ରେଟାରୀ ବୋର୍ଡ ଅଫ୍ ରେଭନୁ୍ୟ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗର ନକଲ ପ୍ରଦାନ କରିଛନ୍ତି ।
ଅଭିଯୋଗରେ ଉକ୍ତ ଘଟଣା ସହିତ ଅତିରିକ୍ତ ତହସିଲଦାରଙ୍କ ସମେତ ସୁପରଭାଇଜର ଓ ବୈଶିଙ୍ଗା ଆର୍ଆଇଙ୍କ ସମ୍ପୃକ୍ତି ରହିଥିବା ଦର୍ଶାଯାଇଛି । ଅଭିଯୋଗକାରୀ ହେଲେ ବେତନଟୀ ତହସିଲ୍, ବୈଶିଙ୍ଗା ରାଜସ୍ୱ ନିରୀକ୍ଷକ ଅଧୀନ ଦୁର୍ଗାପୁର ଗ୍ରାମର ମଧୁସୁଦନ, ଦାଶରଥି ମାଝି, କ୍ଷେତ୍ରମୋହନ ଦଳେଇଙ୍କ ପୁଅ ଲକ୍ଷ୍ମୀଧର ଓ ବେଣୁଧର, ଶୁକ ସିଂ, ବଣୁ ସିଂଙ୍କ ପତ୍ନୀ ସୋମବାରୀ, ଜରା ସିଂ, ପାଣ୍ଡୁ ସିଂ, ଦିଲା ସିଂ, ଡୁମା ଦଳେଇ ଓ ରବି ଦଳେଇଙ୍କ ସମେତ ଅନ୍ୟ ଦରଖାସ୍ତକାରୀ । ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେମାନେ ଆଦିବାସୀ, ହରିଜନ ଓ ସାଧାରଣ ବର୍ଗର ଭୂମିହୀନ ଓ ଗରିବ ପ୍ରଜା ହିସାବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବେତନଟୀ ତହସିଲଦାରଙ୍କ ମାଧ୍ୟମରେ ଓଏଲ୍ଆର୍ ସିଲିଂ ମୋକଦ୍ଦମା ୧୦/୧୯୭୪ମୂଳେ ସିଲିଂ ଉଦବୃତ ଜମି ପାଇଥିଲେ । ଏହି ଜମିରେ ସମସ୍ତେ ଚାଷକରି ପରିବାର ଭରଣପୋଷର କରିବା ସହିତ ଭୋଗଦଖଲ କରି ବେତନଟୀ ତହସିଲ କାର୍ଯ୍ୟାଳୟରୁ କେ ଫର୍ମ ପାଇଥିଲେ । ପରବର୍ତ୍ତୀ ସମୟରେ ତହସିଲଦାର ବେତନଟୀଙ୍କ ଦ୍ୱାରା ବିଭିନ୍ନ ସିଲିଂ ଲିଜ୍ କେସ ନଂ ଯଥା ୩୧/୦୩, ୧୭/୦୩, ୨୯/୦୩, ୩୦/୦୩,୧୫/୦୩,୨୫/୦୩, ୨୬/୦୩, ୧୯/୦୩, ୮୨/୦୪, ୮୧/୦୪, ୮୫/୦୪, ୮୬/୦୪ ଓ ୮୮/୦୪ ଏବଂ ଆଉ କିଛି ସିଲିଂ ଲିଜ୍ ମକଦ୍ଦମାରେ ସମସ୍ତଙ୍କୁ ଆଦେଶପ୍ରାପ୍ତ ହୋଇଥିଲା । ସେହି ସମୟରେ ଚକବନ୍ଦୀ କାର୍ଯ୍ୟପାଇଁ ଉକ୍ତ ମୌଜାରେ ବିଜ୍ଞପ୍ତି ହୋଇ ନ ଥିବାରୁ ରେକର୍ଡ କିପରଙ୍କୁ ଚକବନ୍ଦୀ ଅଧିକାରୀଙ୍କୁ ଲିଖିତ ସୂଚନା ଦେବାପାଇଁ ନିଦେ୍ର୍ଦଶ ଦେଇଥିଲେ । ପରନ୍ତୁ ତାହା ନ ହେବାରୁ ଚକବନ୍ଦୀରେ ପୃଥକ ରେକର୍ଡ ଉପଭୋକ୍ତାଙ୍କ ନାମରେ ସମ୍ଭବ ହୋଇପାରିନଥିଲା । ରେକର୍ଡ ସଂଶୋଧନ ପାଇଁ ଆରଡିସି କଟକଙ୍କ ଅଦାଲତରେ ମାମଲା ବ୍ୟକ୍ତିଗତ ଭାବେ ହିତାଧିକାରୀ ଆଗତ କରିଥିଲେ । ଆର୍ଡିସିଙ୍କ ରାୟର ନକଲ ଦରଖାସ୍ତକାରୀମାନେ ସଠିକ ସମୟରେ ବେତନଟୀ ତହସିଲଦାରଙ୍କ ନିକଟରେ ଦାଖଲ ମଧ୍ୟ କରିଥିଲେ । ସେଥି ମଧ୍ୟରୁ ଆରପି କେସ ନଂ ୧୩୧/୧୮ରେ ଉଚ୍ଚନ୍ୟାୟାଳୟ କଟକଙ୍କ ଡବ୍ଲୁ୍ୟପି(ସି) ନଂ ୬୯୪୧ ଅଫ ୨୦୨୦ ତା ୧୯ା୧୧ା୨୦୨୦ରିଖରେ ଫଇସଲା ହୋଇ ଏକ ନିଦେ୍ର୍ଦଶନାମା ଦିଆଯାଇଥିଲା । ଯାହାକି ଆରପି ନଂ ୧୩୧/୧୮(ମଧୁସୁଦନ ମାଝୀ)ଙ୍କ ଆଦେଶରେ ଲିପିବଦ୍ଧ ହୋଇଛି । ଉଚ୍ଚନ୍ୟାୟାଳୟର ଆଦେଶକୁ ଅବମାନନା କରି ତହସିଲଦାର ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀମାନେ ଉଦେ୍ଦଶ୍ୟମୂଳକ ଭାବେ ହିତାଧିକାରୀଙ୍କୁ ଧମକଚମକ ଦେଇ ଅସାଧୁ ଉପାୟରେ ସେମାନେ ଦଖଲ କରୁଥିବା ୧୯ଏକର ଜମିକୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ପାଣିଷଣ୍ଢା ଗ୍ରାମର ଗୋଲାମ ଖାନ୍ଙ୍କ ପୁଅ ଜାଏଦ ଅଲ୍ଲୀଙ୍କ ନାମରେ ଏମସି ନଂ ୧୬୨୯/୨୦ ଆଧାରରେ ଖାତା ନଂ ୨୪୨/୧୬ କ୍ରମେ ରେକର୍ଡ କରିଦେଇଥିବା ଅଭିଯୋଗ ହୋଇଛି । ଯାହାକି ବିକ୍ରେତାଙ୍କ ସିଲିଂ ବହିର୍ଭୂତ ଜମିକୁ ସେମାନଙ୍କୁ ଦିଆଯାଇଛି । ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ତହସିଲ କାର୍ଯ୍ୟାଳୟର ଦୁର୍ନୀତି ଲୋକଲୋଚନକୁ ଆସିବ ବୋଲି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ହିତାଧିକାରୀଗଣ । ଏଥିସହିତି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କୁ ଅଭିଯୋଗ କରିଛନ୍ତି । ଆର୍ଡିସି ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ତଦନ୍ତ ଆଦେଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି ଅଭିଯୋଗକାରୀଙ୍କ ତରଫରୁ ନିୟୋଜିତ ଓକିଲ ମନୋଜ କୁମାର ପଣ୍ଡା ।
ତହସିଲଦାର ନମିତା ଧଳଙ୍କୁ ପଚାରିବାରେ, ଦୀର୍ଘଦିନ ଧରି ବେତନଟୀରେ କେହି ସ୍ଥାୟୀ ତହସିଲଦାର ନିଯୁକ୍ତ ନ ଥିବାରୁ ସେ ନିଜର କାର୍ଯ୍ୟବ୍ୟସ୍ତତା ପାଇଁ ବୈଶିଙ୍ଗାର ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଅହଲ୍ୟା ବେହେରା ଓ ରେଭିନୁ୍ୟ ସୁପରଭାଇଜର ଜଗନ୍ନାଥ ସିଂଙ୍କୁ ଫିଲ୍ଡ ଭେରୀଫିକେସନ କରି ରିପୋର୍ଟ ଦେବାକୁ କହିଥିଲେ । ତାଙ୍କ ରିପୋର୍ଟ ଅନୁଯାୟୀ ସେ ସମ୍ପୂର୍ଣ୍ଣ କାଗଜପତ୍ର କରିଥିଲେ । ହେଲେ ବୁଧବାର ଉକ୍ତ ସିଲିଂ ଜମିକୁ ନେଇ ଯେଉଁ ଅଭାବନୀୟ ପରିସ୍ଥିତି ଉପୁଜିଛି, ସେଥିପାଇଁ ବୈଶିଙ୍ଗା ଆର୍ଆଇଙ୍କୁ କାରଣ ଦର୍ଶାଅ ନୋଟିସ ମାଗିଛନ୍ତି । ଯଦି ଯାଞ୍ଚରେ କିଛି ତ୍ରୁଟି ବାହାରିବ ତେବେ ଆଗାମୀ ଦିନରେ ସଂଶୋଧନ କରାଯାଇ ସ୍ଥାନୀୟ ଗରିବ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି ।