ବ୍ୟାଙ୍କ୍ରେ କ୍ୟାସ୍ ଅଭାବ
ରିଜର୍ଭ ବ୍ୟାଙ୍କ ଭରିଲା ୨୧,୮ଠଠ କୋଟି
ମୁମ୍ବାଇ, ୨୧ା୯: ମୁଦ୍ରାସ୍ଫୀତି ଉପରେ ଲଗାମ ଟାଣିବା ଉଦେ୍ଦଶ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନେକ ନୀତିଗତ ନିଷ୍ପତ୍ତି ନେବା ସତ୍ତ୍ୱେ ୪୦ ମାସ ଭିତରେ (୨୦୧୯ ମେ ମାସ ପରେ) ପ୍ରଥମ ଥର ପାଇଁ ବ୍ୟାଙ୍କିଂ ସିଷ୍ଟମ୍ରେ ନଗଦ ଟଙ୍କାର ଅଭାବ ଦେଖାଦେଇଛି । ପରିସ୍ଥିତି ସୁଧାରିବାକୁ ଯାଇ ମଙ୍ଗଳବାର ରିଜର୍ଭ ବ୍ୟାଙ୍କକୁ ବ୍ୟାଙ୍କିଂ ସିଷ୍ଟମ୍ରେ ୨.୭୩ ବିଲିୟନ୍ ଡଲାର୍ ଅର୍ଥାତ୍ ୨୧୮୦୦ କୋଟି ଟଙ୍କା ଭରିବାକୁ ପଡ଼ିଛି ।
ଚଳିତ ବର୍ଷ ମେ ୪ ତାରିଖ ଦିନ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତିକୁ କାବୁରେ ରଖିବା ଲାଗି ମନିଟରିଂ ପଲିସି ବୈଠକରେ କ୍ୟାସ୍ ରିଜର୍ଭ ରେସିଓ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲା । ବ୍ୟାଙ୍କିଂ ବ୍ୟବସ୍ଥାରେ ଉପଲବ୍ଧ ଅତିରିକ୍ତ ନଗଦ ଟଙ୍କା କମ୍ କରିବା ପାଇଁ ଆର୍ବିଆଇ କ୍ୟାସ୍ ରିଜର୍ଭ ରେସିଓ (ସିଆର୍ଆର୍)ରେ ୫୦ ବେସିସ୍ ପଏଣ୍ଟ ବଢ଼ାଇଥିଲା । ଫଳତଃ ସିଆର୍ଆର୍ ୪ ପ୍ରତିଶତରୁ ବଢ଼ି ୪.୫ ପ୍ରତିଶତ ହୋଇଥିଲା ।
ସିଆର୍ଆର୍ରେ ବୃଦ୍ଧି ନିଷ୍ପତ୍ତି ଗତ ମେ ୨୧ରୁ ଲାଗୁ ହେବା ଦ୍ୱାରା ବ୍ୟାଙ୍କିଂ ସିଷ୍ଟମ୍ର ଅତିରିକ୍ତ କ୍ୟାସ୍ରୁ ୯୦ ହଜାର କୋଟି ଟଙ୍କା କମିଗଲା । ବ୍ୟାଙ୍କିଂ ସିଷ୍ଟମ୍ରେ ନଗଦ ଟଙ୍କା କମିଯିବା ପରେ କଲ୍ ମନିରେଟ୍ ବଢ଼ି ୫.୮୫ ପ୍ରତିଶତ ହୋଇଛି ।
ମହଙ୍ଗା ହାର କ୍ରମାଗତ ବଢ଼ୁଥିବାରୁ ବଜାରରେ ଏବେ ଅଧିକ ନଗଦ କ୍ୟାସ୍ ରହୁଛି । ଏହି କାରଣରୁ ବ୍ୟାଙ୍କମାନଙ୍କ ପାଖରେ ନଗଦ କ୍ୟାସ୍ କମିଯାଉଛି । ତେଣୁ ବ୍ୟାଙ୍କମାନେ ବୁଝିବିଚାରି ଋଣ ମଞ୍ଜୁର କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କ ପାଖରେ ବ୍ୟାଙ୍କମାନେ ରଖୁଥିବା ସିଆର୍ଆର୍ ବାବଦରେ ସୁଧ ଦିଆଯାଉନାହିଁ ।