ସିବିଆଇ ରାଡାରରେ ୯୫% ବିରୋଧୀ ନେତା
ନୂଆଦିଲ୍ଲୀ, ୨୦ା୯: ବିରୋଧୀ ଦଳର ଅନେକ ନେତା ଏବେ ସିବିଆଇ ସ୍କାନରେ ଅଛନ୍ତି । ପ୍ରାୟ ୯୫ ପ୍ରତିଶତ ବିରୋଧୀ ଦଳ ନେତାଙ୍କ ଉପରେ ଝୁଲୁଛି ସିବିଆଇ ଖଣ୍ଡା । ଏକ ସର୍ଭେ ଅନୁଯାୟୀ ୟୁପିଏ ଶାସନ କାଳରେ ୬୦% ବିରୋଧୀ ଦଳ ନେତାଙ୍କ ବିରୋଧରେ ସିବିଆଇ ତଦନ୍ତ ଚାଲିଥିଲା । ୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏ-୧ ଓ ୟୁପିଏ-୨ କାର୍ଯ୍ୟକାଳରେ ମୋଟ ୭୨ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଯାଞ୍ଚ୍ ଜାରି ରଖିଥିଲା । ସେମାନଙ୍କ ମଧ୍ୟରେ ଥିଲେ ବିରୋଧୀ ଦଳର ୪୩ ନେତା । ଏହି ପ୍ରସଙ୍ଗରେ ସିବିଆଇ ପକ୍ଷରୁ କୁହାଯାଇଛି, ଆମେ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରୁ ନାହୁଁ; କେବଳ ସଂଯୋଗକ୍ରମେ ବିରୋଧୀଙ୍କ ବିରୋଧରେ ମାମଲାର ତଦନ୍ତ ଏହି ସମୟରେ ସାମ୍ନାକୁ ଆସୁଛି ।
୨୦୧୪ରେ ଏନ୍ଡିଏ କେନ୍ଦ୍ରରେ କ୍ଷମତାକୁ ଆସିବା ପରଠାରୁ ୨୦୨୨ ସୁଦ୍ଧା ମୋଟ୍ ୧୨୪ ନେତା ସିବିଆଇ ଯାଞ୍ଚ୍ର ସମ୍ମୁଖୀନ ହୋଇଛନ୍ତି । ସେଥିରୁ ବିରୋଧୀ ନେତାଙ୍କ ସଂଖ୍ୟା ୧୧୮ । ମାତ୍ର ୬ଜଣ ବିଜେପି ନେତା ସିବିଆଇ ସ୍କାନରରେ ଅଛନ୍ତି ।
ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ ୟୁପିଏ କାର୍ଯ୍ୟକାଳରେ ନେତାମାନେ ଦଳ ବଦଳ କରିବା ପରେ ପରେ ସେମାନଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ କରୁଥିଲା । କୌଣସି ନେତା ୟୁପିଏ ମେଣ୍ଟକୁ ଆସୁଥିଲେ ତାଙ୍କ ବିରୋଧରେ ସିବିଆଇ ଆଉ ଯାଞ୍ଚ୍ କରୁ ନ ଥିଲା । ୨୦୧୩ରେ ଡିଏମ୍କେ ୟୁପିଏ ମେଣ୍ଟରୁ ବାହାରି ଆସିବା ପରେ ଦଳର ନେତା ଏମ୍କେ ଷ୍ଟାଲିନ୍ଙ୍କ ଘରେ ସିବିଆଇ ଚଢ଼ଉ କରିଥିଲା । ୟୁପିଏ ସରକାରରେ ଅଧିକାଂଶ ପ୍ରମୁଖ ବିରୋଧୀ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଥିଲେ ବିଏସ୍ପି ଓ ଟିଏମ୍ସି ନେତୃବୃନ୍ଦ ।
ଏନ୍ଡିଏ-୨ କାର୍ଯ୍ୟକାଳରେ ମମତା ବାନାର୍ଜୀଙ୍କ ଦଳ ଟିଏମ୍ସିର ଅଧିକାଂଶ ପ୍ରମୁଖ ନେତା ସିବିଆଇ ସ୍କାନରେ ଅଛନ୍ତି । ଏପରି ୩୦ ଟିଏମ୍ସି ନେତାଙ୍କ ବିରୋଧରେ ସିବିଆଇ ତଦନ୍ତ ଜାରି ରହିଛି । ସେହିପରି କଂଗ୍ରେସର ୨୬ ଓ ଲାଲୁ ଯାଦବଙ୍କ ଦଳ ଆରଜେଡିର ୧୦ଜଣ ନେତା ସିବିଆଇ ତଦନ୍ତର ସମ୍ମୁଖୀନ ହୋଇଛନ୍ତି ।
ରିପୋର୍ଟ ଅନୁଯାୟୀ, ଶାରଦା ଚିଟ୍ଫଣ୍ଡ୍ ସ୍କାମ୍, ନାରଦା ଷ୍ଟି୍ରଙ୍ଗ୍ ଅପରେସନ୍, ସ୍କୁଲ ଶିକ୍ଷକ ନିଯୁକ୍ତି କେଳେଙ୍କାରୀରେ ଅଧିକାଂଶ ଟିଏମ୍ସି ନେତାଙ୍କ ସମ୍ପୃକ୍ତି ଅଭିଯୋଗର ତଦନ୍ତ କରୁଛି ସିବିଆଇ । ଏବେ ବିହାରରେ ଏନ୍ଡିଏ ମେଣ୍ଟରୁ ନୀତିଶ କୁମାରଙ୍କ ଦଳ ଜେଡିୟୁ ବାହାରି ଯାଇ ତେଜସ୍ୱୀ ଯାଦବଙ୍କ ଆରଜେଡି ସହ ମିଶି ନୂଆ ସରକାର ଗଢ଼ିଛି । ବିଜେପି ସହ ନୀତିଶ ସମ୍ପର୍କ ଛିନ୍ନ କରି ନୂଆ ସରକାର ଗଢ଼ିବା ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବାସଭବନରେ ହୋଇଥିଲା ଚଢ଼ଉ ।