ପରଲୋକରେ ରାଜୁ ଶ୍ରୀବାସ୍ତବ
ମୃତୁ୍ୟ ସହ ୪୨ ଦିନ ଲଢ଼ି ହାରିଗଲେ, ଦିଲ୍ଲୀ ଏମ୍ସରେ ହେଲା ଭର୍ଚୁଆଲ୍ ପୋଷ୍ଟମର୍ଟମ୍
ନୂଆଦିଲ୍ଲୀ, ୨୧ା୯: ଲୋକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ ଓରଫ ଗଜୋଧର ଭୈୟାଙ୍କର ବୁଧବାର ଦିଲ୍ଲୀ ଏମ୍ସ ହସ୍ପିଟାଲ୍ରେ ୫୮ ବର୍ଷ ବୟସରେ ପରଲୋକ ଘଟିଛି । ଅଗଷ୍ଟ ୧୦ ସକାଳେ ଟ୍ରେଡ୍ ମିଲ୍ରେ ଦୌଡ଼ିବା ବେଳେ ସେ ହୃଦ୍ଘାତର ଶିକାର ହୋଇଥିଲେ । ତା’ପରଠାରୁ ତାଙ୍କୁ ଏମ୍ସର ଭେଣ୍ଟିଲେଟରରେ ରଖାଯାଇଥିଲା । ମୃତୁ୍ୟ ସହ ୪୨ ଦିନ ସଂଘର୍ଷ କରିବା ପରେ ବୁଧବାର ହୃଦ୍ଘାତରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ଡାକ୍ତରମାନେ ଶ୍ରୀବାସ୍ତବଙ୍କୁ ବଞ୍ଚାଇବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କ ମସ୍ତିଷ୍କକୁ ଅମ୍ଳଜାନ ପହଞ୍ଚôପାରି ନ ଥିଲା । କ୍ରମାଗତ ସେ ବେହୋସ ଅବସ୍ଥାରେ ରହିଥିଲେ ଯାହାକି କୋମାର ଅନୁରୂପ । ତାଙ୍କ ହୃତପିଣ୍ଡ କାମ କରୁ ନ ଥିଲା । ତାଙ୍କୁ ଚିକିତ୍ସକମାନେ ବ୍ରେଡ୍ ଡେଡ୍ ଘୋଷଣା କରିଥିଲେ । ପରିବାର ସଦସ୍ୟଙ୍କ ଅନୁରୋଧକ୍ରମେ ବୁଧବାର ତାଙ୍କର ଭର୍ଚୁଆଲ୍ ପୋଷ୍ଟ୍ମର୍ଟମ୍ ହୋଇଛି ଅର୍ଥାତ୍ ଶରୀରରେ ଅସ୍ତ୍ରୋପଚାର କରା ନଯାଇ ସ୍କାନିଂ ମାଧ୍ୟମରେ ପୋଷ୍ଟମର୍ଟମ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ଶ୍ରୀବାସ୍ତବଙ୍କ ମୃତୁ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଟିଭି ଓ ସିନେମା ଶିଳ୍ପର ବ୍ୟକ୍ତିମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
୨୦୨୦ରେ ସେ ସିନେ ଆୱାର୍ଡସ୍ରେ ଯୋଗଦେବା ପାଇଁ ଓଡିଶା ଆସିଥିଲେ । ୨୦୧୪ରେ ସମାଜବାଦୀ ପାର୍ଟି ପକ୍ଷରୁ ତାଙ୍କୁ ଲୋକସଭା ଟିକେଟ୍ ଦିଆଯାଇଥିଲା । ସେ କିନ୍ତୁ ବିଜେପିରେ ଯୋଗ ଦେଇଥିଲେ । ଉତ୍ତର ପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ସେ ଥିଲେ ଅଧ୍ୟକ୍ଷ ।