ଶୁଣାଣି ଶେଷ, ରାୟ ସଂରକ୍ଷିତ
ସୁପ୍ରିମକୋର୍ଟରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲା
ପୁରୀ (ବୁ୍ୟରୋ): ସୁପ୍ରିମ କୋର୍ଟରେ ମଙ୍ଗଳବାରଠାରୁ ପୁରୀ-କୋଣାର୍କ ବେଳାଭୂମି ନିକଟରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ହଜାର ହଜାର ଏକର ଜମି ଅଧିଗ୍ରହଣକୁ ନେଇ ଶୁଣାଣି ଆରମ୍ଭ ହୋଇ ଆଜି ଶେଷ ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଏମ୍ ଆର୍ ଶାହା ଓ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠରେ ପ୍ରଥମେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ଆଇନଜୀବୀ ଆର୍ୟମାନ୍ ସୁନ୍ଦରମ ଯୁକ୍ତି ଉପସ୍ଥାପନ କରିଥିଲେ । ମଙ୍ଗଳବାର ପ୍ରାୟ ନବେ ମିନିଟ୍ ଧରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଜମି ଅଧିଗ୍ରହଣ ସପକ୍ଷରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ପରେ ବିଶ୍ୱବିଦ୍ୟାଳୟ ବିରୋଧୀ ସଙ୍ଘର୍ଷ ସମିତି ଓ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ସଞ୍ଜୟ ପାରିଖ ଖଣ୍ଡପୀଠଙ୍କ ସମ୍ମୁଖରେ ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଏଥିପାଇଁ ହୋଇଥିବା ଜମି ଗ୍ରହଣ ସମ୍ପୂର୍ଣ୍ଣ ବେଆଇନ ବୋଲି ପ୍ରଶାନ୍ତ ଭୂଷଣ ଅନେକ ତଥ୍ୟ ସହ ତର୍କ ରଖିଥିଲେ । ପ୍ରାୟ ଛଅ ହଜାର ପରିବାରର ପ୍ରାୟ ତିରିଶ ହଜାର ଲୋକ ନିଜର ଚାଷ ଜମି ହରାଇବା ପରେ ସେମାନଙ୍କର ଜୀବନ ଜୀବିକା ଉଜୁଡ଼ିଯିବ ।
ବିଶ୍ୱବିଦ୍ୟାଳୟ ଉଦେ୍ଦଶ୍ୟ ନୁହେଁ, ବରଂ ପୁରୀ-କୋଣାର୍କ ବେଳାଭୂମି ନିକଟରେ ଥିବା ମୂଲ୍ୟବାନ ଜମିକୁ ଭିନ୍ନ ଭାବରେ ବ୍ୟବହାର ଓ ବେପାରହିଁ ଏକମାତ୍ର ଉଦେ୍ଦଶ୍ୟ । ଏହା ନିକଟରେ ଅଭୟାରଣ୍ୟ, ମୂଲ୍ୟବାନ ଖଣିଜ ବାଲି ଓ ମଧୁର ଜଳର ଉତ୍ସ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ ବୋଲି ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଫାଉଣ୍ଡେସନ ଆଜିପର୍ଯ୍ୟନ୍ତ କୌଣସି ସ୍ଥାନରେ ଏକ ଶିକ୍ଷାନୁଷ୍ଠାନ କରିବାର ଦୃଷ୍ଟାନ୍ତ ନ ଥିବା କଥା ପ୍ରଶାନ୍ତ ଭୂଷଣ କହିଥିଲେ । ଜମି ଅଧିଗ୍ରହଣ ଆଇନ, ପରିବେଶ ଆଇନ, ଫରେଷ୍ଟ ଆଇନ, କମ୍ପାନୀ ଆଇନ୍, ମାନବ ଅଧିକାର ଆଇନ ଇତ୍ୟାଦିର କିପରି ଘୋର ଉଲ୍ଲଙ୍ଘନ କରାଯାଇଛି, ସେ ସମ୍ପର୍କରେ ପ୍ରଶାନ୍ତ ଭୂଷଣ ଯୁକ୍ତି ରଖିଥିଲେ । ଆଇନଜୀବୀ ଚିନ୍ମୟ ମିଶ୍ର ଏହି ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ସହାୟତା କରିଥିଲେ ।
ଖଣ୍ଡପୀଠ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ, ଓଡ଼ିଶା ସରକାର ଓ ବେଦାନ୍ତ ବିଶ୍ୱବିଦ୍ୟାଳୟ ସଙ୍ଘର୍ଷ ସମିତି ପକ୍ଷରୁ ଜମି ହରାଇଥିବା ଏଗାର ଜଣ ଚାଷୀ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ପିଆଇଏଲ୍ ସହ ନଅଟି ପିଟିସନକୁ ଏକତ୍ର କରି ଶୁଣାଣି ଆଜି ଶେଷ ହୋଇଛି । ଏହି ମାମଲା ୨୦୧୦ ମସିହାରୁ ଓଡ଼ିଶା ହାଇକୋର୍ଟଙ୍କ ରାୟ ବିରୋଧରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ଓ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ । ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଙ୍ଘର୍ଷ ସମିତି, ଜମି ହରାଇଥିବା ଚାଷୀ ଓ ପୂର୍ବତନ ବିଧାୟକ ରଥଙ୍କ ପକ୍ଷରୁ ପ୍ରଶାନ୍ତ ଭୂଷଣଙ୍କ ସହ ବରିଷ୍ଠ ଓକିଲ ସଞ୍ଜୟ ପାରିଖ ଓ ଚିନ୍ମୟ ମିଶ୍ର ଏହି ମାମଲା ପରିଚାଳନାରେ ସହଯୋଗ କରିଥିଲେ । ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଅପେକ୍ଷା ।