ମାନ୍ଧାନା ଦ୍ରୁତତମ ଭାରତୀୟ ମହିଳା

ଦିନିକିଆ ଆନ୍ତର୍ଜାତିକରେ ୩୦୦୦ ରନ୍
କାଣ୍ଟରବରୀ (ୟୁକେ), ୨୧ା୯ (ଏଜେନ୍ସି): ଭାରତର ତାରକା ବ୍ୟାଟର୍ ସ୍ମୃତି ମାନ୍ଧାନା ବୁଧବାର ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ରେ ୩୦୦୦ ରନ୍ ମାଇଲ୍ଖୁଣ୍ଟ ଅତିକ୍ରମ କରିଛନ୍ତି । ସେ ମହିଳା ଦିନିକିଆରେ ତୃତୀୟ ଭାରତୀୟ ବ୍ୟାଟର୍ ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି । ତେବେ ଏହି ସଂଖ୍ୟା ଛୁଇଁବାରେ ସେ ଦ୍ରୁତତମ ଭାରତୀୟ ବ୍ୟାଟର୍ ।
ମନ୍ଧାନା ୭୬ତମ ଦିନିକିଆ ଇନିଂସ୍ରେ ଏହି ସଫଳତା ପାଇ କିମ୍ବଦନ୍ତୀ ମିତାଲୀ ରାଜ୍ଙ୍କୁ ଅତିକ୍ରମ କରିଛନ୍ତି, ଯିଏକି ୮୮ ଇନିଂସ୍ରେ ୩୦୦୦ ରନ୍ କରିଥିଲେ । ମାନ୍ଧାନା ୪୩+ ଆଭରେଜ୍ ଓ ପ୍ରାୟ ୮୫ ଷ୍ଟ୍ରାଇକ୍ ରେଟ୍ରେ ଏହି ସ୍କୋର୍ କରିଛନ୍ତି । ସେ କାଣ୍ଟରବରୀରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ସମୟରେ ଏହି ଗୌରବ ଅର୍ଜନ କରିଛନ୍ତି । ସେ ଏହି ମ୍ୟାଚ୍ରେ ୪୦ ରନ୍ର ଇନିଂସ୍ ଖେଳିଛନ୍ତି । ସେ ପ୍ରଥମ ମ୍ୟାଚ୍ରେ ୯୯ ବଲ୍ରୁ ୯୧ ରନ୍ କରିଥିଲେ ଏବଂ ଭାରତ ଏହି ମ୍ୟାଚ୍ ଜିତିଥିଲା ।
ମାନ୍ଧାନା ଏହି ଉପଲବ୍ଧି ହାସଲ କରିବାରେ ଭାରତୀୟ ମହିଳାଙ୍କ ମଧ୍ୟରେ ଦ୍ରୁତତମ ଏବଂ ଉଭୟ ପୁରୁଷ ଓ ମହିଳା ଦିନିକିଆକୁ ବିଚାରକୁ ନେଲେ, ଶିଖର ଧାବନ୍ ଓ ବିରାଟ କୋହଲିଙ୍କ ପରେ ତୃତୀୟ ଦ୍ରୁତତମ । ଧାବନ୍ ୭୨ ଇନିଂସ୍ ଓ କୋହଲି ୭୫ ଇନିଂସ୍ ଖେଳି ୩୦୦୦ ଦିନିକିଆ ରନ୍ କରିଥିଲେ ।
୨୦୧୩ରେ ଦିନିକିଆ କ୍ରିକେଟ୍ରେ ପଦାର୍ପଣ କରିଥିବା ବାମହାତି ଓପନର୍ ମାନ୍ଧାନା  ଏହି ଫର୍ମାଟ୍ରେ ପାଞ୍ଚ ଶତକ ଓ ୨୪ ଅର୍ଦ୍ଧଶତକ ଲଗାଇଛନ୍ତି । ମହିଳା ଦିନିକିଆରେ ମିତାଲୀ ରାଜ୍ ଓ ହରମନପ୍ରୀତ ୩୦୦୦ ରନ୍ ସଂଖ୍ୟା ଅତିକ୍ରମ କରିଛନ୍ତି ।
ବିଶ୍ୱରେ ୨୨ ମହିଳା ଖେଳାଳି ୩୦୦୦ରୁ ଅଧିକ ଦିନିକିଆ ରନ୍ ସଂଗ୍ରହ କରିଛନ୍ତି । ସେମାନଙ୍କ ମଧ୍ୟରେ କେବଳ ଦୁଇ ଜଣ – ବେଲିଣ୍ଡା କ୍ଲାର୍କ (୬୨ ଇନିଂସ୍) ଓ ମେଗ୍ ଲାନିଙ୍ଗ୍ (୬୪ ଇନିଂସ୍) ମାନ୍ଧାନାଙ୍କ ଠାରୁ ଦ୍ରୁତତମ ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *