ଛାଡ଼ିଲାଣି ପ୍ଲାଷ୍ଟର ଫାଟିଲାଣି କାନ୍ଥ
ଆଦର୍ଶ ହରାଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ
ମାହାଙ୍ଗା (ଆପ୍ର): ମାହାଙ୍ଗା ବ୍ଲକ୍ କଉଡୁକୋଲା ଠାରେ ୨୦୧୯ ମସିହାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ଏଥି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଆଦର୍ଶ ବିଦ୍ୟାଳୟର ଗୃହ ନିର୍ମାଣ କରାଯାଇଥିଲା । ବିଲ ମଝିରେ ଥିବା ପଡ଼ିଆରେ ଗୃହ ନିର୍ମାଣ କରାଯାଇଥିବାରୁ ଅତ୍ୟଧିକ ବର୍ଷା ହେଲେ ଆଦର୍ଶ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ହୋଇଥାଏ । ନିମ୍ନମାନର ଗୃହ କାର୍ଯ୍ୟ ଯୋଗୁ ଏବେ କାନ୍ଥର ପ୍ଲାଷ୍ଟର ଝଡି ପଡୁଥିବା ବେଳେ ଅନେକ ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହେଲାଣି । ଏଥିପାଇଁ କାହାର ଦୋଷ ବାଲିର ନା ସିମେଣ୍ଟର ।
ଅପରପକ୍ଷେ, ଆଦର୍ଶ ବିଦ୍ୟାଳୟ ପରିସରରେ ପାନୀୟଜଳ ସମସ୍ୟା ଦେଖାଦେଇଛି । ଲୁଣି ପାଣି ପଡୁଥିବାରୁ ବିଦ୍ୟାଳୟରେ ପିଲାମାନେ ପାଣିକୁ ପିଉ ନାହାନ୍ତି । ଏ ପର୍ଯ୍ୟନ୍ତ ଭୂତଳ ପାନୀୟଜଳ ଯୋଗାଣ ପାଇପ୍ ସଂଯୋଗକାର୍ଯ୍ୟ ହୋଇନାହିଁ । ଆଦର୍ଶ ବିଦ୍ୟାଳୟ ପରିସରରେ ସାଇକେଲ ଷ୍ଟାଣ୍ଡ ନ ଥିବାରୁ ବର୍ଷା ଦିନେ ଛାତ୍ରଛାତ୍ରୀମାନଙ୍କ ସାଇକେଲ ଓଦା ହେଉଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ କଥା ହେଉଛି ଯେ ଓଡ଼ିଶା ସରକାର ଆଦର୍ଶ ବିଦ୍ୟାଳୟ ପ୍ରତି ବ୍ଲକ୍ରେ ଖୋଲିଛନ୍ତି ହେଲେ ବିଷୟ ଭିତ୍ତିକ ଶିକ୍ଷକ ଯୋଗାଇ ଦିଆଯାଇ ନାହିଁ । ଫଳରେ ଆଦର୍ଶ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ଏକ ପ୍ରହସନରେ ପାଲଟିଛି । ମାହାଙ୍ଗା ସ୍ଥିତ ଏହି ଆଦର୍ଶ ବିଦ୍ୟାଳୟରେ ୩ ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲା ବେଳେ ଷଷ୍ଠ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇଟି ସେକ୍ସନ ରହିଛି । ମାତ୍ର ୮ ଜଣ ଶିକ୍ଷକ ରହିଛନ୍ତି ।
ଅଭିଭାବକମାନଙ୍କ ଅଭିଯୋଗ ହେଉଛି ଯେ ଜନୈକ ଶିକ୍ଷୟିତ୍ରୀ ବାରମ୍ବାର ଛୁଟିରେ ଯାଉଛନ୍ତି । ଏହି ବିଦ୍ୟାଳୟରେ ଠିକ୍ଭାବରେ ଶିକ୍ଷାଦାନକୁ ନେଇ ଅଭିଭାବକ ମହଲରେ ଦିନକୁଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି । ମାହାଙ୍ଗାରେ ଆଦର୍ଶ ବିଦ୍ୟାଳୟ ଆଦର୍ଶ ହରାଉଛି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଲାଣି । ଦ୍ୟାଳୟରେ ଅବ୍ୟବସ୍ଥା ଓ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଶିକ୍ଷକ ଯୋଗାଇଦେବାକୁ ଅଭିଭାବକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସର୍ବସାଧାଣରେ ଦୃଷ୍ଟି ଆକର୍ଷଣ କରାଯାଇଛି ।