ବାବରଙ୍କୁ ଟପିଲେ ସୂର୍ଯ୍ୟକୁମାର

ଆଇସିସି ଟି-୨୦ ଆନ୍ତର୍ଜାତିକ ମାନ୍ୟତା
ଦୁବାଇ, ୨୧ା୯ (ଏଜେନ୍ସି): ଭାରତର ସୂର୍ଯ୍ୟକୁମାର ଯାଦବ ବୁଧବାର ଜାରି କରାଯାଇଥିବା ଆଇସିସି ଟି-୨୦ ଆନ୍ତର୍ଜାତିକ ମାନ୍ୟତାର ବ୍ୟାଟର୍ ତାଲିକାରେ ପାକିସ୍ତାନର ଅଧିନାୟକ ବାବର ଆଜମ୍କୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ।
ମୋହାଲି ଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ରେ ୪୬ ରନ୍ର ଦୃଢ଼ ଇନିଂସ୍ ଖେଳିଥିଲେ । ତାଙ୍କ ରେଟିଂ ୭୮୦ରେ ପହଞ୍ଚିଛି । ପାକ୍ ଓପନର୍ ମହମ୍ମଦ ରିଜୱାନ୍ କ୍ୟାରିଅର-ଶ୍ରେଷ୍ଠ ୮୨୫ ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି । କରାଚୀ ଠାରେ ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ଠାରୁ ପାକିସ୍ତାନ ପରାଜିତ ହୋଇଥିଲା, ଯେଉଁଥିରେ ରିଜୱାନ୍ ଅର୍ଦ୍ଧଶତକ ଲଗାଇଥିଲେ । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଏଡେନ୍ ମାର୍କରାମ (୭୯୨ ପଏଣ୍ଟ) ।
ବାବର ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି । ଏସିଆ କପ୍ରେ ସେ ଆଶାଜନକ ପ୍ରଦର୍ଶନ କରିପାରି ନ ଥିଲେ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ସେ ୩୧ ରନ୍ର ଇନିଂସ୍ ଖେଳିଥିଲେ । ଇଂଲଣ୍ଡର ଡେଭିଡ୍ ମଲାନ୍ (୭୨୫) ଓ ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚ୍ (୭୧୫) ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି ।
ଅନ୍ୟ ଭାରତୀୟଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୨୨ ସ୍ଥାନ ଉଠି ୬୫ତମ ସ୍ଥାନରେ ପହଞ୍ଚିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ମୋହାଲି ମ୍ୟାଚ୍ରେ ଅପରାଜିତ ୭୧ ରନ୍ କରିଥିଲେ । ସେହିପରି ୩ ୱିକେଟ୍ ନେଇଥିବା ଅକ୍ଷର ପଟେଲ୍ ବୋଲର୍ ମାନ୍ୟତାରେ ୨୪ ସ୍ଥାନ ଉଠି ୩୩ତମ ସ୍ଥାନକୁ ଚାଲିଆସିଛନ୍ତି ।
ବୋଲର୍ ତାଲିକାରେ ଅଷ୍ଟ୍ରେଲୀୟ ସିମର୍ ଜୋଶ୍ ହାଜଲ୍ଉଡ୍ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସେ ମ୍ୟାଚ୍ରେ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ୱିକେଟ୍ ନେଇଥିଲେ । ପାକିସ୍ତାନର ହାରିସ୍ ରାଉଫ୍ ଚାରି ସ୍ଥାନ ଉଠି ୨୧ତମ ସ୍ଥାନରେ ପହଞ୍ଚିଛନ୍ତି ।
ଇଂଲଣ୍ଡର ତାବରେଜ୍ ଶାମସୀ ଦ୍ୱିତୀୟ ଓ ସ୍ପିନର୍ ଅଦିଲ୍ ରଶିଦ୍ ତୃତୀୟ ସ୍ଥାନରେ ରହିଛନ୍ତି । ଭେଟେରାନ୍ ଆଲେକ୍ସ ହେଲ୍ସ ତିନି ବର୍ଷ ପରେ ଟି-୨୦ ବ୍ୟାଟର୍ ମାନ୍ୟତାକୁ ପୁନଃ ପ୍ରବେଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *