ବଢ଼ିବ ବିପର୍ଯ୍ୟୟ ପରିଚାଳନା ଦକ୍ଷତା
ଭୁବନେଶ୍ୱର (ବୁ୍ୟରୋ): ବିପର୍ଯ୍ୟୟ ପରିଚାଳନାରେ ଆନ୍ତର୍ଜାତିକ ସ୍ୱୀକୃତି ହାସଲ ସହ ରାଜ୍ୟ ସରକାର ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ିଭୁତ ଏବଂ ଶାଣିତ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ କରିଛନ୍ତି । ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ବୈଠକରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ତଥ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପସ୍ଥାପନ କରିଥିଲେ ।
ଦୃତ ପରିବର୍ତ୍ତନଶୀଳ ଜଳବାୟୁ ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ ଓ ଶାଣିତ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ଏଥି ପାଇଁ ଓଡ଼୍ରାଫ୍, ଅଗ୍ନିଶ୍ରମ ସେବା ୟୁନିଟ୍, ପାନୀୟ ଜଳ ଓ ବିଦୁ୍ୟତ ଯୋଗାଣ ୟୁନିଟ୍କୁ ଅତ୍ୟାଧୂନିକ ଯନ୍ତ୍ରପାତି ଓ ଉପକରଣ ଯୋଗାଇ ଦିଆଯିବ । ନିୟମିତ ବ୍ୟବଧାନରେ ତାଲିମ ଦିଆଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ । ସମ୍ଭାବ୍ୟ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ନିମନ୍ତେ ବଡ଼ ବଡ଼ ସହରରେ ଥିବା ଡ୍ରେନ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସଠିକ୍ ଭାବେ ସଂଯୋଜିତ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଡ଼୍ରେନ୍ ଉପରୁ ଜବରଦଖଲ ହଟାଇବା, ପ୍ରଶସ୍ତିକରଣ ଏବଂ ସଂଯୋଗୀକରଣକୁ ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ କୁହାଯାଇଥିଲା ।
ବନ୍ୟା ପ୍ରବଣ ଅଞ୍ଚଳରେ ଅଧିକ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବାରମ୍ବାର ବନ୍ୟାରେ ପ୍ରଭାବିତ ହେଉଥିବା ଏବଂ ଆବଶ୍ୟକ ପରିମାଣର ଆଶ୍ରୟସ୍ଥଳୀ ନଥିବା ଗ୍ରାମକୁ ଚିହ୍ନଟ କରି ସେଠାରେ ବନ୍ୟା-ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେଇଥିଲେ । ବିପର୍ଯ୍ୟୟ ପରିଚାଳନା ଦକ୍ଷତା ଅବିବୃଦ୍ଧି ବାବଦରେ ପ୍ରାୟ ୪୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଜରୁରୀ ରିଲିଫ୍, ମରାମତି, ପୁନଃ ସ୍ଥାପନ ଏବଂ ପ୍ରଭାବିତ ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ବଣ୍ଟନ ଆଦି ବାବଦରେ ବିଭାଗଙ୍କୁ ଦିଆଯାଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିବା ପାଇଁ ମଧ୍ୟ ଉନ୍ନୟନ କମିଶନର ଶ୍ରୀ ଜେନା ନିଦେ୍ର୍ଦଶ ଦେଇଥିଲେ ।
ବିପର୍ଯ୍ୟୟ ପରବର୍ତ୍ତୀ ଆବଶ୍ୟକତା ଆକଳନ (ପି.ଡ଼ି.ଏନ୍.ଏ) ବିଷୟ ବୈଠକର ଆଲୋଚନାରେ ସ୍ଥାନ ପାଇଥିଲା । ଗତ ଅଗଷ୍ଟରେ ହୋଇଥିବା ପ୍ରବଳ ବର୍ଷା ଏବଂ ବନ୍ୟାର ପି.ଡ଼ି.ଏନ୍.ଏ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନଙ୍କ ବୈଷୟିକ ସହଯୋଗିତାରେ ଏହି ଆକଳନ କରିବା ପାଇଁ ଉନ୍ନୟନ କମିଶନର ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ମୁଖ୍ୟତଃ ବାସଗୃହ, ଆଶ୍ରୟସ୍ଥଳୀ, ପୁନର୍ବାସ, ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାନୁଷ୍ଠାନ ଆଦି ସର୍ବସାଧାରଣ ସମ୍ପତ୍ତି, ରାସ୍ତା ଓ ପୋଲ ଆଦି ସ୍ଥାନୀୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଆବଶ୍ୟକତା ଆଦି ଭିତ୍ତିରେ ଏହି ବିପର୍ଯ୍ୟୟ ପରବର୍ତ୍ତୀ ଆକଳନ କରାଯିବ ବୋଲି ଆଲୋଚନାରୁ ଜଣାପଡିଥିଲା । ଆସନ୍ତା ୧ ମାସ ମଧ୍ୟରେ ଏହି କାମ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଦଶ ଦେଇଥିଲେ । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।