ମଧ୍ୟାହ୍ନ ଭୋଜନରେ ପୋକ!
ହିଞ୍ଜିଳିକାଟୁ (ଆପ୍ର): ହିଞ୍ଜିଳିକାଟୁ ବ୍ଲକ ସାରୁ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଛାତ୍ରଛାତ୍ରୀଙ୍କ ପାଇଁ ଯୋଗାଣ ହୋଇଥିବା ମଧ୍ୟାହ୍ନ ଭୋଜନରେ ପୋକ ବାହାରିବା ଫଟୋ ଓ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ବାରମ୍ବାର ଏପରି ଘଟଣା ଘଟୁଛି ବୋଲି ସ୍କୁଲ ପରିଚାଳନା କମିଟି ଓ ଅବିଭାବକ ମହଲରେ ଅଭିଯୋଗ ହୋଇଛି । ତେବେ ଗଣଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ ଏପରି ଅଭିଯୋଗକୁ ବାରମ୍ବାର ଅଣଦେଖା କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।
ବୁଧବାର ସାରୁ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନ ବେଳେ ଡାଲମାରେ ପୋକ ଭାସୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ । ସେତେବେଳକୁ ଅନେକ ପିଲା ଖାଇ ସାରିଥିଲେ । ଖବର ପାଇ ପରିଚାଳନା ସଭାପତି ସୁନିଳ କୁମାର ପାଢ଼ୀ ଓ ୱାର୍ଡ ମେମ୍ବର ପ୍ରଶାନ୍ତ କୁମାର ପାଢ଼ୀ କିଛି ଅଭିଭାବକଙ୍କ ସହ ବିଦ୍ୟାଳୟରେ ପହଞ୍ଚô ଖାଦ୍ୟରେ ପୋକ ଭାସୁଥିବା ଦେଖିଥିଲେ । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରାଙ୍କ ସହ ଆଲୋଚନା କରିବା ପରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରଧାନ ଶିକ୍ଷକ ବେହେରା କହିଛନ୍ତି । ବିଦ୍ୟାଳୟରେ ୩୧୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିଛି ଦିନ ତଳେ ବିଦ୍ୟାଳୟକୁ ଆସିଥିବା ମଧ୍ୟାହ୍ନ ଭୋଜନରେ ଗୋଡ଼ି ଓ ପୋକ ବାହାରିବା ପରେ ସ୍ଥାନୀୟ ଅଭିଭାବକ ଉକ୍ତ ଘଟଣା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା । ପ୍ରାୟ ୨୦ କମି ଦୂର ବ୍ରହ୍ମପୁରଠାରୁ ଏହି ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ବେଳେ ବେଳେ ଖାଦ୍ୟ ଆସୁଥିବା ପାତ୍ରର ଘୋଡ଼ଣୀ ନଥିବା ନିମ୍ନମାନର ଖାଦ୍ୟ ଯୋଗାଣ ହେଉଛି । ଅଭିଯୋଗ କରାଯାଉଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଉନଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଛି । ଉକ୍ତ ବିଦ୍ୟାଳୟ ପରିସରରେ ରୋଷେଇ କରାଯାଇ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦେବା ନିମନ୍ତେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଭାପତି ସୁନିଳ କୁମାର ପାଢ଼ୀ, ଉପସଭାପତି ସୀମାଞ୍ଚଳ ସାହୁ, ୱାର୍ଡ଼ ମେମ୍ବର ସଭ୍ୟ ପ୍ରଶାନ୍ତ କୁମାର ପାଢ଼ୀ ପ୍ରମୁଖ ଦାବି କରିଛନ୍ତି ।