ନିଘୋଡ଼ ନିଦ୍ରାରେ ଅବକାରୀ ଓ ପୁଲିସ୍ ବିଭାଗ

ସହରରେ ଖୁଲମ୍ଖୁଲା ବିକ୍ରି ହେଉଛି ବ୍ରାଉନ୍ ସୁଗର ଓ ବାଜା ସିଗାରେଟ୍
ପୁରୀ (ବୁ୍ୟରୋ): ଅନ୍ତର୍ଜାତୀୟ ପର୍ଯ୍ୟଟନ ସହରରେ ଖୁଲମ୍ଖୁଲା ବିକ୍ରି ହେଉଛି ବ୍ରାଉନ୍ ସୁଗର ଓ ବାଜା ସିଗାରେଟ୍ । ଏପରିକି ସହରର ମୁଖ୍ୟ ବଡ଼ଦାଣ୍ଡ ଠାରୁ ଆରମ୍ଭ କରି ବିଭିନ୍ନ ଗଳିକନ୍ଦିରେ ଥିବା ପାନ ଦୋକାନରେ ମିଳୁଛି । ଏହି ନିଶା ସେବନ କଲା ପରେ ସହରର ଯୁବକଙ୍କ ସମେତ ଦୁର୍ବୃତ୍ତମାନେ ନିଶାଖୋର ହୋଇ ବୁଲୁଛନ୍ତି । କେତେବେଳେ ଏହି ନିଶା ପାଇଁ ସହରରେ ଘଟୁଛି ବଡ଼ ବଡ଼ ଦୁର୍ଘଟଣା । ଏପରିକି ନିଶା ଖାଇବା ପାଇଁ ପାଖରେ ଟଙ୍କା ନ ଥିଲା ବେଳେ ସେମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଯାହାଦ୍ୱାର ପର୍ଯ୍ୟଟକମାନେ ଗୁରୁତର ଆହତ ହେଉଛନ୍ତି ତ କେତେବେଳେ ସେମାନଙ୍କ ଜୀବନ ମଧ୍ୟ ଯାଉଛି । ଏହାଦ୍ୱାରା ପର୍ଯ୍ୟଟକଙ୍କ ମନର ଘୋର ଭୟ ସୃଷ୍ଟି ହେଉଛି । ଏପରି ଘଟଣା ସହରରେ ବାରମ୍ବାର ଘଟୁଥିଲେ ସୁଦ୍ଧା ପୁଲିସ ଓ ଅବକାରୀ ବିଭାଗର ଚେତା ପଶୁନି । କେବଳ ଅଭିଯୋଗ ହେଲା ପରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରି ଚୁପ୍ ହୋଇ ବସୁଛି । ଫଳରେ ଦୁର୍ବୃତ୍ତମାନେ ଜେଲ୍କୁ ଯାଇ ବେଲ୍ରେ ଆସି ପୁଣି ସେହି କାର୍ଯ୍ୟରେ ଲିପ୍ତ ରହୁଛନ୍ତି ।
ଗୋଟିଏ ପରେ ଗୋଟିଏ ଘଟଣା ଘଟେଇବାରେ ସେମାନ ସଫଳ ହେଉଛନ୍ତି । ଆଜିର ଯୁବକ ଆସନ୍ତାକାଲିର ଭବିଷ୍ୟତ ବୋଲି କହୁଥିଲା ବେଳେ ସେମାନେ ପାନ ଦେକାନରୁ ସୁବିଧାରେ ପାଉଛନ୍ତି ବାଜା ସିଗାରେଟ୍ । ଯେତେବେଳେ ଟଙ୍କା ଅଭାବ ପଡ଼େ ସେମାନେ ସହରରେ କ୍ରାଇମ୍ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଫଳରେ ଦିନକୁ ଦିନ ଅଶାନ୍ତ ହେଉଛି ସହର । ଅନ୍ୟପକ୍ଷରେ ନିଶା କାରବାରକୁ ରୋକିବା ପାଇଁ ସ୍ୱତନ୍ତ୍ର ଭାବେ ଅବକାରୀ ବିଭାଗ ରହିଥିଲା ବେଳେ ସେହି ବିଭାଗ ନିଘୋଡ଼ ନିଦ୍ରାରେ ଶୋଇଛି ବୋଲି କହିଛନ୍ତି ଜଣେ ବୁଦ୍ଧିଜୀବୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସହରରେ କ୍ରାଇମ୍ ବୃଦ୍ଧି ପାଉଥିବାର ମୁଖ୍ୟ କାରଣ ହେଉଛି ନିଶା । ଛୋଟ ଛୋଟ ପିଲାମାନଙ୍କୁ ସହରର ବଡ଼ ବଡ଼ ଅପରାଧୀମାନେ ସେମାନଙ୍କ ହାତକୁ ନେଇ ସେମାନଙ୍କୁ ନିଶା ସେବନ କରିବାର ତରିକା କହିବା ସହିତ ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଲିପ୍ତ କରୁଛନ୍ତି । ଫଳରେ ସେମାନେ ନିଶା ଖାଇ କାଣ୍ଡ ଭିଆଇବାରେ ଲାଗି ପଡ଼ିଛନ୍ତି । ସେମାନଙ୍କୁ ସୁରକ୍ଷା ଦେବା ପାଇଁ ବିଭାଗର କିଛି ଅଧିକାରୀଙ୍କ ସହିତ ବନ ବଡ଼ ଅପରାଧୀଙ୍କ ହାତ ରହିଛି । ସେମାନଙ୍କ ଠାରୁ ମାସିକ ହିସାବରେ ମୋଟା ଅଙ୍କର ଅର୍ଥ ନେଇ ଚୁପ୍ ହୋଇ ବସି ରହୁଛନ୍ତି । ସେହିପରି ଭାବରେ ସହରରେ ମଧ୍ୟ ବ୍ରାଉନ୍ ସୁଗର ମଧ୍ୟ ଖୁଲମ୍ଖୁଲା ବିକ୍ରି ହେଉଛି ହେଲେ ତାହାକୁ ରୋକିବାରେ ମଧ୍ୟ ଉଭୟ ବିଭାଗ ଫେଲ୍ ମାରିଛି । ଆଗକୁ ସାଧାରଣ ନିର୍ବାଚନ ଥିଲାବେଳେ ଏବେ ଠାରୁ ସହରର ରାଜନୈତିକ ବାତାବରଣ ଉଷ୍ଣତା ଦେଖାଗଲାଣି । ଆଗକୁ ସହରରେ ପୁଲିସ ଓ ଅବକାରୀ ବିଭାଗର ଅଧିକାରୀମାନେ ଚୋରା ନିଶା ବେପାରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ । ଫଳରେ ଏଥିରୁ ସ୍ପଷ୍ଟ ହୋଇଛି ନିଘୋଡ଼ ନିଦ୍ରାରେ ଅବକାରୀ ଓ ପୁଲିସ ବିଭାଗ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *