ତେଜିଲା କୁଡ଼ୁମି ଆନେ୍ଦାଳନ
ଜନଜାତି ମାନ୍ୟତା ଦାବିରେ ୩ ରାଜ୍ୟରେ ରେଳ ରୋକ
ବାରିପଦା, ୨୦ା୯(ଆପ୍ର): କୁଡ଼ୁମି ଜାତିକୁ ପୁଣି ତଫସିଲଭୁକ୍ତ ଜନଜାତି (ଏସ୍ଟି) ବର୍ଗରେ ସାମିଲ କରିବା ଦାବିରେ ମଙ୍ଗଳବାର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ବଡ଼ଧରଣର ରେଳରୋକ କରାଯାଇଛି । ଆନେ୍ଦାଳନରେ ଶହଶହ ପୁରୁଷ, ମହିଳା ଓ ଶିଶୁ ସାମିଲ ହୋଇଛନ୍ତି । ରେଳରୋକ ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରୋଳ ରୋକ ଓ ରାସ୍ତା ରୋକ କରାଯିବ ବୋଲି କୁଡ଼ୁମି ସଂପ୍ରଦାୟ ପକ୍ଷରୁ ଚେତାବନୀ ଦିଆଯାଇଛି ।
କୁଡୁମି ସେନା, ଆଦିବାସୀ କୁଡୁମି ସମାଜ ଏବଂ ମିଳିତ କୁଡୁମି ସମାଜର ଆହ୍ୱାନକ୍ରମେ ଶହଶହ ପୁରୁଷ, ମହିଳା ଓ ଶିଶୁ ମୟୂରଭଞ୍ଜ ଜିଲ୍ଲାର ଭଞ୍ଜପୁର, ରାଇରଙ୍ଗପୁରର ଅଁଳାଯୋଡ଼ି ଓ ବେତନଟୀ ଷ୍ଟେସନରେ ଟ୍ରେନ ଲାଇନରେ ବସି ରହିବାରୁ ଏକାଧିକ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା ଏବଂ କେତେକ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିଲା । ବାରିପଦାରେ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପର୍ ଫାଷ୍ଟ ଏବଂ ବାରିପଦା-ସାଲିମାର କଲିକତା ଟ୍ରେନ୍ ଅଟକି ରହିଥିଲା ।
ଭଞ୍ଜପୁରରେ ଶିମିଳିପାଳ ଏକ୍ସପ୍ରେସ ୩ ଘଣ୍ଟା ଅଟକି ଥିଲା । ସେହିପରି ଟାଟା-ବାଦାମପାହାଡ଼ ମେମୁ, ବାଙ୍ଗିରିପୋଷି-ରୁପ୍ସା ମେମୁ ଅଁଳାଯୋଡ଼ିରେ ଅଟକି ରହିଥିଲା । ଫଳରେ ପ୍ରବଳ ବର୍ଷା ମଧ୍ୟରେ ଶହ ଶହ ଯାତ୍ରୀ ପିଲାଛୁଆଙ୍କୁ ଧରି ହଇରାଣ ହୋଇଥିଲେ ।
ରେଳ ରୋକ ଆନେ୍ଦାଳନ କାରଣରୁ ଦକ୍ଷିଣ-ପୂର୍ବ ରେଳବାଇର ୧୮ ଟ୍ରେନର ଚଳାଚଳ ରଦ୍ଦ କରାଯାଇଛି ଏବଂ ୧୩ ଟ୍ରେନ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ପୁରୀ-ନୂଆଦିଲ୍ଲୀ, ଭୁବନେଶ୍ୱର-ଦିଲ୍ଲୀ ଏକ୍ସପ୍ରେସ୍ ଚଳାଚଳ ପ୍ରଭାବିତ ହୋଇଛି । ଛାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ରେଳ ଚଳାଚଳ ପ୍ରଭାବିତ ହୋଇଛି ।
ସୂଚନା ଅନୁଯାୟୀ, କୁଡୁମି ସମ୍ପ୍ରଦାୟ ପୂର୍ବରୁ ଏସ୍ଟି ତାଲିକାଭୁକ୍ତ ଥିଲେ । କିନ୍ତୁ ତାଲିକାରୁ ବାଦ ଦିଆଯିବା ପରେ ସେମାନେ ବିଭିନ୍ନ ସଂରକ୍ଷଣ ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି । ତାଲିକାଭୁକ୍ତ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଆଦିବାସୀ କୁଡ଼ୁମି ସମାଜର ସାଧାରଣ ସମ୍ପାଦକ ଦୋଳଗୋବିନ୍ଦ ମହାନ୍ତ କହିଛନ୍ତି, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଥିବା ୧୩ ଜାତି ମଧ୍ୟରୁ ୧୨ ଜାତିକୁ ୧୯୫୦ରେ ଏସ୍ଟି ତାଲିକାଭୁକ୍ତ କରାଗଲା । ହେଲେ କୁଡ଼ୁମି ଜାତିକୁ ବାଦ ଦିଆଗଲା । ଦୀର୍ଘ ୭୨ ବର୍ଷ ହେଲା ଦାବି କରାଯାଇ ଆସୁଥିଲେ ବି କେହି ଶୁଣୁ ନାହାନ୍ତି । କୁଡ଼ୁମି ଜାତିକୁ ଆଦିବାସୀ ତାଲିକାଭୁକ୍ତ କରିବା ନିମିତ୍ତ କେନ୍ଦ୍ରକୁ ସୁପାରିଶ କରାଯିବ ବୋଲି ୨୦୦୪ରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏ ଯାଏ ତାହା ହୋଇପାରିନି । ଯେ ପର୍ଯ୍ୟନ୍ତ ସରକାର ଆମ କଥା ନ ଶୁଣିବେ ଆନେ୍ଦାଳ ଚାଲିବ । ଆଗାମୀ ଦିନରେ ରେଳରୋକ ଓ ରାସ୍ତା ରୋକ କରାଯିବ । ଆବଶ୍ୟକ ହେଲେ ଅଖଚକ ବନ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ରାଜ୍ୟସଭା ସାଂସଦ ମମତା ମହାନ୍ତ କହିଛନ୍ତି, ତଫସିଲଭୁକ୍ତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ ହେବା ନିମିତ୍ତ ଆନେ୍ଦାଳନ କରି ଆସୁଛୁ । ଏଥିପାଇଁ ମୋ’ ସ୍ୱରକୁ ଅଧିକ ଶାଣିତ କରିବି । ମୁଁ ଏ ଦାବିକୁ ପୂର୍ଣ୍ଣ ସମର୍ଥନ କରୁଛି… ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଡୁମୀ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ସଂସଦକୁ ପଠାଇ ସମ୍ମାନିତ କରିଛନ୍ତି । ଆନେ୍ଦାଳନରେ ମୋର ଯୋଗଦାନ ରାଜନୈତିକ ନୁହେଁ, କିନ୍ତୁ ବ୍ୟକ୍ତିଗତଭାବେ ମୁଁ ଏହାର ସମର୍ଥକ ।
ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ କୁଡ଼ୁମି ସଂପ୍ରଦାୟ କୁରୋମି, ମହତୋ, ମହାନ୍ତ, କୁଡ଼ୁମି ମହାନ୍ତ ନାମରେ ଜଣାଶୁଣା । ସେମାନଙ୍କ ଭାଷା କୁରମାଲୀ । ସମ୍ବିଧାନରେ କୁଡ଼ୁମିଙ୍କୁ ଏସ୍ଟି ରୂପେ ଘୋଷଣା କରାଯିବା ଓ ସେମାନଙ୍କ ଭାଷାକୁ ୮ମ ଅନୁଚ୍ଛେଦରେ ସାମିଲ କରିବାକୁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି । ଏହା ପୂରଣ ନ ହେବାରୁ ଆନେ୍ଦାଳନ ତେଜିଛି ।