ପ୍ରଥମ ଟି-୨୦ ଜିତିଲା ଅଷ୍ଟ୍ରେଲିଆ
ପୁଣି ଭାରତର ବୋଲିଂ ବିଫଳତା
ମୋହାଲି, ୨୦ା୯ (ଏଜେନ୍ସି): ଟିମ୍ ଇଣ୍ଡିଆର ପୁଣି ବୋଲିଂ ବିଫଳତା । ଯେଉଁ କାରଣରୁ ଏସିଆ କପ୍ରେ ରୋହିତ ସେନା ବିଫଳ ହୋଇଥିଲା, ଏବେ ବି ସେହି ସମସ୍ୟା ବଳବତ୍ତର ରହିଛି ଟିମ୍ରେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ୨୦୯ ରନ୍ର ବଡ଼ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିବା ସତ୍ତ୍ୱେ ମ୍ୟାଚ୍ ବଞ୍ଚାଇପାରି ନାହିଁ ଟିମ୍ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟା (୩୦ ବଲ୍ରୁ ଅପରାଜିତ ୭୧) ଓ ଲୋକେଶ ରାହୁଲ (୩୫ ବଲ୍ରୁ ୫୫)ଙ୍କ ଦମ୍ଦାର ଅର୍ଦ୍ଧଶତକ ନିଷ୍ପ୍ରଭ ହୋଇଛି ।
ଅଷ୍ଟ୍ରେଲିଆ ୪ ବଲ୍ ବାକି ଥାଇ ୪ ୱିକେଟ୍ରେ ମ୍ୟାଚ୍ ଜିତିଛି ଏବଂ ତିନି ମ୍ୟାଚ୍ର ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛି । ଟିମ୍ ପକ୍ଷରୁ କ୍ୟାମେରନ୍ ଗ୍ରୀନ୍ ୩୦ ବଲ୍ରୁ ସର୍ବାଧିକ ୬୧ ରନ୍ର ଇନିଂସ୍ ଖେଳିଥିବା ବେଳେ ମାଥୁ୍ୟ ୱେଡ୍ ୨୧ ବଲ୍ରୁ ଅପରାଜିତ ୪୫ ରନ୍ କରିଥିଲେ ।
ଅଷ୍ଟ୍ରେଲୀୟ ଟିମ୍ ୧୯.୨ ଓଭର୍ରେ ୬ ୱିକେଟ୍ ହରାଇ ୨୧୧ ରନ୍ କରି ବିଜୟୀ ହୋଇଥିଲା । ଅଧିନାୟକ ଆରୋନ୍ ଫିଞ୍ଚ୍ ୨୨ ରନ୍ କରି ଅକ୍ଷର ପଟେଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଫଳରେ ୩୯ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ଏହାପରେ ଅନ୍ୟତମ ଓପନର୍ ନୂଆ ବ୍ୟାଟର୍ ଷ୍ଟିଭେନ୍ ସ୍ମିଥ୍ଙ୍କ ସହ ମିଶି ଇନିଂସ୍କୁ ୧୦୯ ଯାଏଁ ପହଞ୍ଚାଇ ଆଶା ବଳବତ୍ତର ରଖିଥିଲେ । ଗ୍ରୀନ୍ ୬୧ ରନ୍ କରି ଅକ୍ଷରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ୧୨ତମ ଓଭର୍ରେ ସ୍ମିଥ୍ (୩୫) ଓ ଗ୍ଲେନ୍ ମ୍ୟାକ୍ସୱେଲ୍ (୧)ଙ୍କୁ ପାଭିଲିଅନ୍ ପଠାଇ ପ୍ରତିପକ୍ଷକୁ ବଡ଼ ଝଟ୍କା ଦେଇଥିଲେ ଉମେଶ ଯାଦବ । ଏହାପରେ ଜୋଶ୍ ଇଙ୍ଗଲିସ୍ ୧୭ ରନ୍ କରି ଅକ୍ଷରଙ୍କ ଆଉ ଏକ ଶିକାର ହୋଇଥିଲେ ।
୧୪୫ ରନ୍ ମଧ୍ୟରେ ଅଧା ଟିମ୍ ଆଉଟ୍ ହୋଇଥିଲା । ଏହାପରେ ଟିମ୍ ଡେଭିଡ୍ ଓ ମାଥୁ୍ୟ ୱେଡ୍ ମିଶି ଇନିଂସ୍କୁ ୨୦୦ ପାରି କରାଇ ବିଜୟ ଆପାତତଃ ସୁନିଶ୍ଚିତ କରାଇଥିଲେ । ଡେଭିଡ୍ ୧୮ ରନ୍ କରି ଯୁଜବେନ୍ଦ୍ର ଚହଲଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ୱେଡ୍ ୪୫ ଓ ପାଟ୍ କମିନ୍ସ ୪ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟିମ୍ ଡେଭିଡ୍ ଅଷ୍ଟ୍ରେଲିଆ ପକ୍ଷରୁ ପଦାର୍ପଣ କରିଥିଲେ । ଭାରତୀୟ ଏକାଦଶରେ ପେସର୍ ଯଶପ୍ରୀତ ବୁମ୍ରା ଓ ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ ସ୍ଥାନ ପାଇ ନ ଥିଲେ । ଦିନେଶ କାର୍ତ୍ତିକଙ୍କୁ ଟିମ୍ରେ ସାମିଲ୍ କରାଯାଇଥିବା ବେଳେ ସାଢ଼େ ତିନି ବର୍ଷ ପରେ ପେସର୍ ଉମେଶ ଯାଦବ ଟି-୨୦ ଆନ୍ତର୍ଜାତିକ ଟିମ୍ର ଅଂଶବିଶେଷ ହୋଇଛନ୍ତି ।
ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲ ଭାରତୀୟ ଇନିଂସ୍ ଓପନ୍ କରିଥିଲେ । ତେବେ କେବଳ ୨୧ ରନ୍ରେ ଯୋଡ଼ି ଭାଙ୍ଗିଥିଲା । ରୋହିତ ୧୧ ରନ୍ କରି ଜୋଶ୍ ହାଜଲ୍ଉଡ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ବିରାଟ କୋହଲି (୨) ବି ନିରାଶ କରିଥିଲେ । ତାଙ୍କ ୱିକେଟ୍ ନାଥନ୍ ଏଲିସ୍ଙ୍କ ଖାତାକୁ ଯାଇଥିଲା ।
ଏହାପରେ ରାହୁଲ ପରବର୍ତ୍ତୀ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ତୃତୀୟ ୱିକେଟ୍ ପାଇଁ ୬୮ ରନ୍ର ଭାଗୀଦାରୀ ହୋଇଥିଲା । ରାହୁଲ ୩୫ ବଲ୍ରୁ ୪ ଚୌକା ଓ ୩ ଛକା ସହାୟତାରେ ୫୫ ରନ୍ କରି ହାଜଲ୍ଉଡ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ସୂର୍ଯ୍ୟକୁମାର (୨୫ ବଲ୍ରୁ ୪୬) ଗ୍ରୀନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟପଟେ ପାଣ୍ଡ୍ୟା ଜୋର୍ଦାର ବ୍ୟାଟିଂ ଜାରି ରଖିଥିଲେ । ଇତ୍ୟବସରେ ଅକ୍ଷର ୬ ଓ ଦିନେଶ କାର୍ତ୍ତିକ ୬ ରନ୍ କରି ଆଉଟ୍ ହୋଇଥିଲେ । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୨୦୮ ରନ୍ ସଂଗ୍ରହ କରିଥିଲା । ପାଣ୍ଡ୍ୟା ୭୧ ଓ ହର୍ଷଲ ୭ ରନ୍ କରି ଅପରାଜିତ ଥିଲେ ।