ରାଜନୈତିକ ଦଳଙ୍କ ଚାନ୍ଦା ଉପରେ ଲାଗିବ ଅଙ୍କୁଶ
କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଇସିଙ୍କ ଚିଠି, ନିୟମ ପ୍ରଣୟନ ପାଇଁ ଦେଲେ ପ୍ରସ୍ତାବ
ନୂଆଦିଲ୍ଲୀ (ଏଜେନ୍ସି): ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଅଙ୍କୁଶ ଲାଗିବ । କେନ୍ଦ୍ର ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି) ରାଜୀବ କୁମାର, ମଙ୍ଗଳବାର କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟକୁ ଏସମ୍ପର୍କରେ ଚିଠି ଲେଖିଛନ୍ତି । ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦା ପରିମାଣ ୨ଠ ହଜାରରୁ ୨ ହଜାରକୁ ହ୍ରାସ କରିବାକୁ ତଥା ନଗଦ ଚାନ୍ଦା ପରିମାଣକୁ ୨ଠ% କିମ୍ବା ସର୍ବାଧିକ ୨ଠ କୋଟି ମଧ୍ୟରେ ସୀମିତ (କ୍ୟାପ୍) ରଖିବାକୁ ସିଇସି ଆଇନ୍ ମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ସିଇସି ନିଜ ଚିଠିରେ ଜନପ୍ରତିନିଧି (ଆର୍ପି) ଆଇନ୍ ଏବଂ ବିଦେଶୀ ଅନୁଦାନ ନିୟମାବଳୀ (ଏଫ୍ସିଆର୍ଏ)-୨ଠ୧ଠରେ ଅନେକ ସଂଶୋଧନ କରିବାକୁ ମଧ୍ୟ ଆଇନ୍ ମନ୍ତ୍ରୀଙ୍କୁ ସୁପାରିଶ କରିଥିବା ଜଣାପଡିଛି ।
ପ୍ରାପ୍ତ ସୂଚନାନୁସାରେ ସିଇସି ନିଜ ଚିଠିରେ ନିର୍ବାଚନ ସମୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପକ୍ଷରୁ କରାଯାଉଥିବା ଖର୍ଚ୍ଚକୁ ସ୍ୱଚ୍ଛତା ପରିସରକୁ ଆଣିବା ଉପରେ ଜୋର ଦେଇଛନ୍ତି । ଅର୍ଥାତ୍ ନିର୍ବାଚନ କାଳରେ ପ୍ରାର୍ଥୀ କରୁଥିବା ଖର୍ଚ୍ଚ ସମ୍ପର୍କରେ ପ୍ରମାଣ ଦେବାକୁ ବାଧ୍ୟତାମୂଳକ କରିବାକୁ ନିର୍ବାଚନ ଆୟୋଗ, ଆଇନ୍ ମନ୍ତ୍ରୀଙ୍କୁ ସୁପାରିଶ କରିଛନ୍ତି । ୨ଠଠଠରୁ ଅଧିକ ଖର୍ଚ୍ଚ ପାଇଁ ପ୍ରାର୍ଥୀଙ୍କୁ ଡିଜିଟାଲ ପେମେଣ୍ଟ କିମ୍ବା ଆକାଉଣ୍ଟ ପେମେଣ୍ଟ ଚେକ୍ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯିବା ପାଇଁ ଆୟୋଗ ପ୍ରସ୍ତାବ ଦେଇଛି । ସେହିପରି ଏଫ୍ସିଆର୍ଏ ଆଇନ୍ ଅନ୍ତର୍ଗତ ରାଜନୈତିକ ଦଳଗୁଡ଼ିକ କୌଣସି ବିଦେଶୀ ପାଣ୍ଠି ଗ୍ରହଣ କରିନଥିବା ସମ୍ପର୍କରେ ମଧ୍ୟ ସୁନିଶ୍ଚିତ କରିବାର ପ୍ରାବଧାନ ପ୍ରସ୍ତୁତ କରାଯିବା ଉଚିତ୍ ବୋଲି ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଛନ୍ତି ।
ବର୍ତ୍ତମାନ ସମୟରେ ନିର୍ବାଚନ ସମୟରେ ଏକ ପୃଥକ୍ ବ୍ୟାଙ୍କ୍ ଆକାଉଣ୍ଟ ରଖିବା ନିୟମ ବଳବତ୍ତର ରହିଛି । କିନ୍ତୁ ନିର୍ବାଚନ ଆୟୋଗ ଏବେ ଏହାକୁ ନିର୍ବାଚନ ଆଚରଣ ବିଧିରେ ସାମିଲ କରାଯିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏତଦ୍ବ୍ୟତୀତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ନିଜର ଏହି ପୃଥକ୍ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ନିର୍ବାଚନ କାଳରେ ସଂଗ୍ରହ କରୁଥିବା ଚାନ୍ଦା ଠାରୁ ଆରମ୍ଭ କରି ଖର୍ଚ୍ଚଆଦିର ସବିଶେଷ ହିସାବ ବା ବିବରଣୀ ଦାଖଲ କରିବାକୁ ନିର୍ବାଚନ ଆୟୋଗ ଆଇନ୍ ପରିସରଭୁକ୍ତ କରାଯିବା ଉଚିତ୍ ବୋଲି ଦର୍ଶାଇଛନ୍ତି । ମୋଟାମୋଟି ନିର୍ବାଚନ ଚାନ୍ଦାରୁ କଳାଧନକୁ ଶେଷ କରିବାକୁ ଅଜଣା ରାଜନୈତିକ ଚାନ୍ଦା ପରିମାଣରେ ହ୍ରାସ କରିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ସିଇସି ନିଜ ଚିଠିରେ ଆଇନ୍ ମନ୍ତ୍ରୀଙ୍କୁ ଦେଇଥିବା ପ୍ରସ୍ତାବ ମଧ୍ୟରୁ କେତେକ ପ୍ରସ୍ତାବକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାଜନୈତିକ ଦଳଗୁଡ଼ିକ ଦ୍ୱାରା ପ୍ରାପ୍ତ ଦାନରେ ସଂସ୍କାର ଏବଂ ସ୍ୱଚ୍ଛତା ଆଣିବା ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ଦ୍ୱାରା ହେଉଥିବା ଖର୍ଚ୍ଚକୁ ମଧ୍ୟ ସଂଶୋଧନ କରାଯିବା ଉପରେ ଦୃଷ୍ଟି ଦେବାକୁ କେନ୍ଦ୍ର ଆଇନ୍ ମନ୍ତ୍ରୀଙ୍କୁ ଆୟୋଗଙ୍କ ପ୍ରସ୍ତାବ ରହିଛି । ପ୍ରକାଶ, ଏସମ୍ପର୍କରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ପଦକ୍ଷେପ ଗ୍ରହଣ କଲେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପରିମାଣ ଆପାତତଃ ହ୍ରାସ ପାଇବ ଏବଂ ନିର୍ବାଚନ କାଳରେ ଆୟ ବ୍ୟୟର ସଠିକ୍ ହିସାବ ରହିପାରିବ । ସୂଚନାଯୋଗ୍ୟ, ନିକଟରେ ୨୮୪ (ଏମାନଙ୍କ ମଧ୍ୟରୁ ୨୫୩ରୁ ଅଧିକଙ୍କୁ ନିର୍ବାଚନ ଆୟୋଗ ନିଷ୍କ୍ରିୟ ଘୋଷଣା କରିଛନ୍ତି)ଟି ଡିଫଲ୍ଟ ଏବଂ ନିୟମ ପାଳନ କରୁନଥିବା ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (ଆର୍ୟୁପିପି)କୁ ଅଣତାଲିକାଭୁୂକ୍ତ କରାଯିବା ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ଏପ୍ରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି ।