ଦକ୍ଷିଣ ଓଡ଼ିଶାର ଦୁଃଖ ଏମ୍କେସିଜି

ବ୍ରହ୍ମପୁର (ଶିବରାମ ଚୌଧୁରୀ): ଦକ୍ଷିଣ ଓଡ଼ିଶାର ସ୍ୱାସ୍ଥ୍ୟ ସମସ୍ୟାକୁ ପ୍ରତିହତ କରିବା ଲକ୍ଷ୍ୟରେ ଏମ୍କେସିଜି ମେଡିକାଲ କଲେଜ ସ୍ଥାପନ କରାଯାଇଥିଲା । ଗଞ୍ଜାମ ତଥା ପଡ଼ୋଶୀ ଜିଲ୍ଲା ପାଇଁ ଏହା ପ୍ରମୁଖ ରେଫରାଲ ହସ୍ପିଟାଲ । ବର୍ତ୍ତମାନ ଏହି କଲେଜରେ ଅଣ୍ଡର ଗ୍ରାଜୁଏଟ୍ (ଏମ୍ବିବିଏସ୍), ପୋଷ୍ଟ ଗ୍ରାଜୁଏଟ୍ (ଏମ୍ଡି/ଏମ୍ଏସ୍)ର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ବିଭିନ୍ନ ପାରା ମେଡିକାଲ୍ ସିଟ୍ ମଧ୍ୟ ରହିଛି । ଅଣ୍ଡର ଗ୍ରାଜୁଏଟ ସିଟ୍ ସଂଖ୍ୟା ୧୫୦ରୁ ୨୫୦ହୋଇଛି ।
ବହୁ ସମସ୍ୟା ଭିତରେ ଗତି କରୁଥିବା ଏହି ମେଡିକାଲ୍ ଦକ୍ଷିଣାଞ୍ଚଳର ପ୍ରାଣକେନ୍ଦ୍ରରେ ଥିବା ବେଳେ ହଜାର ହଜାର ରୋଗୀ ଦୈନନ୍ଦିନ ଚିକିତ୍ସା ପାଇଁ ଆସିଥାନ୍ତି । ଉନ୍ନତ ଧରଣର ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ସ୍ୱାସ୍ଥ୍ୟସେବାରୁ ବଞ୍ଚôତ ହେଉଛନ୍ତି ସାଧାରଣ ରୋଗୀ । ଏଠାରେ ଗୁରୁତର ହୃଦ୍ରୋଗୀଙ୍କ ପାଇଁ ଚବିଶଘଣ୍ଟିଆ ଚିକିତ୍ସା ସୁବିଧା ନାହିଁ । ସେହିପରି ବର୍ନ ୟୁନିଟ୍, କିଡ୍ନୀ ଓ ଲିଭର୍ ଭଳି ଜଟିଳ ରୋଗର ଉପଯୁକ୍ତ ଚିକିତ୍ସା ଉପଲବ୍ଧ ହେଉନି । ଯେଉଁ ଲକ୍ଷ୍ୟ ନେଇ ଏମକେସିଜି ମେଡ଼ିକାଲ କଲେଜ ସ୍ଥାପନ ହୋଇଥିଲା ତାହା ବାସ୍ତବତା ଠାରୁ ବହୁ ଦୂରରେ । ସେଥିପାଇଁ ରୋଗୀ ଏବେ ଏମ୍କେସିଜି ଆସିବାକୁ ଭୟ କଲେଣି ।
ଏହି ମେଡିକାଲ୍ରେ ୧୦ଟି ସୁପର ସ୍ପେଶିଆଲିଟି ବିଭାଗକୁ ମିଶାଇ ମୋଟ ୨୬ ବିଭାଗରେ ଡାକ୍ତର ଓ ଇନ୍ଚାର୍ଜମାନେ ଅଛନ୍ତି । ଏଥିରେ ବହୁ ସୁପର ସ୍ପେଶିଆଲିଟି ଡାକ୍ତର ଓ ବିଭାଗର ମୁଖ୍ୟ ପଦ ଖାଲି ପଡ଼ିଛି । ଏମ୍କେସିଜିରେ ୧୫୦୬ଟି ଶଯ୍ୟା ଅଛି । ସେଣ୍ଟ୍ରାଲ ଆଇସିୟୁ ଅଭାବ ଯୋଗୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେଡିସିନ ବିଭାଗରେ ଆଇସିୟୁ ପର୍ଯ୍ୟାପ୍ତ ନ ଥିବା ବେଳେ ଗୁରୁତର ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଏମ୍କେସିଜି କର୍ତ୍ତୃପକ୍ଷ ବିଫଳ ହେଉଛନ୍ତି । ଆଇସିୟୁ ଟେକ୍ନିସିଆନ୍ଙ୍କ ସମେତ ଷ୍ଟାଫ୍ ଅଭାବ ସମସ୍ୟା ଭିତରେ ଗତି କରୁଛି ବ୍ରହ୍ମପୁର ବଡ଼ ମେଡିକାଲ୍ । ମାଇକ୍ରୋ ବାୟୋଲଜି, କ୍ୟାନ୍ସର ୱାର୍ଡ, କାଡିଓଲୋଜି ୱାର୍ଡ, ମେଡିସିନ୍ ୱାର୍ଡ, ପ୍ରସୂତି ବିଭାଗ ଭଳି ଜରୁରୀ ବିଭାଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି । ମେଡିକାଲ୍ କଲେଜରେ ୮ଟି ବିଭାଗ ଥିବାବେଳେ ହସ୍ପିଟାଲରେ ରହିଛି ୧୭ଟି ବିଭାଗ । ଏ ନେଇ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଓ ଡାକ୍ତରଙ୍କ ନିଯୁକ୍ତି ହୋଇ ନ ଥିବା ନେଇ ବହୁ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିବା ସହ ବିରୋଧୀ ଦଳମାନେ ଧାରଣା ଓ ବିକ୍ଷୋଭ ମଧ୍ୟ କରିସାରିଲେଣି ।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୨୫୦କୋଟିରୁ ଊଦ୍ଧ୍ୱର୍ ଟଙ୍କା ବିନିମୟରେ ନୂଆ ନୂଆ କୋଠା ମଧ୍ୟ ନିର୍ମାଣ ହୋଇଛି । ନିର୍ମାଣରେ ଅନିୟମିତତା ମଧ୍ୟ ହୋଇଥିବା ଅଭିଯୋଗ ଆସିଛି । ଏହିମେଡିକାଲ୍ କଲେଜ ଦକ୍ଷିଣ ଓଡ଼ିଶାର ପ୍ରମୁଖ କଲେଜ ଭାବେ ଜଣାଶୁଣା ଥିଲେ ମଧ୍ୟ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ବହୁ ରୋଗୀ ଦୈନନ୍ଦିନ ଉନ୍ନତମାନର ଚିକିତ୍ସା ପାଇଁ ଏହି ମେଡିକାଲ୍ ଉପରେ ଆସ୍ଥା ପ୍ରକଟକରି ଆସିଥାନ୍ତି । ହେଲେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁ ସୁଚିକିତ୍ସା ନ ପାଇ ଫେରୁଛନ୍ତି । ଏମ୍କେସିଜି ରୋଗୀ ପରିଚାଳନା ସମିତିର ଅଧ୍ୟକ୍ଷ ଅଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର । ନିୟମିତ ବୈଠକ ହେଉନାହିଁ । ବୈଠକ ବିବରଣୀ ମଧ୍ୟ ଗୋପନ ରଖାଯାଉଛି ।
ହସ୍ପିଟାଲ କୋଠାର ବହୁ ସ୍ଥାନରେ ଫାଟ ହେଲାଣି, ପଲସ୍ତରା ଖସୁଛି । ଖଟ, ହ୍ୱିଲ୍ଚେୟାର ଓ ଷ୍ଟ୍ରେଚର ପ୍ରଭୃତି ଭଙ୍ଗାଦଦରା ଅବସ୍ଥାରେ । ନିକଟରେ ହସ୍ପିଟାଲର ଭେଷଜ ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଠା ନିର୍ମାଣ କରାଯାଇଛି । କିନ୍ତୁ ପୁରୁଣା କୋଠା ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୧୦ବର୍ଷ ପୂର୍ବେ ବିପଦସଙ୍କୁଳ ଦର୍ଶାଯାଇଥିଲେ ମଧ୍ୟ ସେଠାରେ ରୋଗୀ ଚିକିତ୍ସା ଚାଲିଛି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାେରେ ପ୍ରାୟ ୧୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ମହଲା ବିଶିଷ୍ଟ ସୁପରସ୍ପେଶିଆଲିଟି କୋଠାରେ ରୋଗୀସେବା ଚାଲିଥିବା ବେଳେ ପ୍ରାୟ ପ୍ରତ୍ୟେକ ଦିନ କୋଠାର ପଞ୍ଚମ ଓ ତୃତୀୟ ମହଲାରୁ ପଲସ୍ତରା ଖସୁଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଭୟଭୀତ ରହୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *