ଛାତ୍ରୀଙ୍କୁ ଅସଦାଚରଣ: ବନ୍ଧା ହେଲେ ଖେଳ ଶିକ୍ଷକ
ବାରିପଦା (ଆପ୍ର): ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲ ପରିସରରେ ଉତ୍ତେଜନା ସହିତ ବନ୍ଧା ହେଲେ ଖେଳ ଶିକ୍ଷକ । ଖେଳ ଶିଖାଇବା ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗରେ ମଙ୍ଗଳବାର ସ୍କୁଲରେ ଉତ୍ତେଜନା ସୃଷ୍ଟି ହୋଇଛି । ବାରିପଦା ସହର ଉପକଣ୍ଠ ଶ୍ରୀପଦଗଞ୍ଜ ସରକାରୀ ହାଇସ୍କୁଲ ପିଇଟି ପ୍ରଦୀପ କୁମାର ମହାନ୍ତଙ୍କ ବିରୋଧରେ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଥାନରେ ଅଟକ ରଖିଛି । ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ।
ସେ ଦୀର୍ଘଦିନ ହେଲା ସ୍କୁଲରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ବିଭିନ୍ନ ସମୟରେ ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଆସୁଥିଲା । ନିକଟରେ ଅସଦାଚରଣର ଶିକାର ହୋଇଥିବା ଜଣେ ଛାତ୍ରୀ ଅଭିଭାବକଙ୍କୁ ଏ ସଂକ୍ରାନ୍ତରେ କହିଥିଲେ । ଫଳସ୍ୱରୂପ ଏକାଧିକ ଅଭିଭାବକ ଏକାଠି ହୋଇ ପ୍ରତିବାଦ କରିବା ସହିତ ତାଙ୍କର ବହିଷ୍କାର ଦାବି କରିଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଛି ଓ ପୁଲିସ ତଦନ୍ତ ଚଳାଇଛି । ତେବେ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଯାଇଛି । ହେଲେ ଶିକ୍ଷକଙ୍କୁ ପୁଲିସ ଛାଡ଼ି ନାହିଁ ।
ଅନ୍ୟପକ୍ଷରେ ଖେଳ ଶିକ୍ଷକ ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ଖେଳ ଶିକ୍ଷକଙ୍କ ବିରୋଧରେ ପୂର୍ବରୁ ଏଭଳି କିଛି ଅଭିଯୋଗ ଶୁଣି ନାହାନ୍ତି ଓ ଘଟଣାର ତଦନ୍ତ କରି ସତ୍ୟତା ଥିଲେ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।