କ୍ଷତିଗ୍ରସ୍ତ ପ୍ରଜାଙ୍କ ସହିତ ଖେଳୁଛି ରିମ୍ଝିମ୍ କମ୍ପାନୀ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ରିମ୍ ଝିମ୍ କମ୍ପାନୀ ପ୍ରଜାସଙ୍ଘ ସହିତ ଆଉ ଏକ ଚାଲ ଖେଳିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇ ୬୨ ଜଣକୁ ନିଯୁକ୍ତି ପତ୍ର୍ର ପ୍ରଦାନ କରିଥିବା ବେଳେ, ନିଯୁକ୍ତି ପତ୍ରରେ ହଜାର ଭୁଲକୁ ନେଇ ତିବ୍ର ଅସନ୍ତୋଷ ଦେଖାଦେଇଛି । ଦିର୍ଘଦିନ ଧରି ନିଯୁକ୍ତି ପାଇଁ ଆଶା ରଖିଥିବା ପ୍ରଜାଙ୍କୁ ପୁଣି ଥରେ ଭୁଅାଁ ବୁଲାଇ ଜାନୁଆରୀ ୨୦୨୩କୁ ସମୟ ଧାର୍ଯ୍ୟ କରିଥିବାର ଜଣାପଡିଛି । ମଙ୍ଗଳବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ, ପ୍ରଶାସନ ଏବଂ ରିମ୍ଝିମ୍ କାରଖାନାକୁ ନେଇ ସପ୍ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଧାୟକ ସୁଧୀର କୁମାର ସାମଲଙ୍କ ସହିତ ପ୍ରଜାସଙ୍ଘର ସଭାପତି ଗଙ୍ଗାଧର ସାମଲ, ଅତିରିକ୍ତ ଜିଲ୍ଲାପାଳ, ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ରିମ୍ଝିମ୍ କମ୍ପାନୀ ମୁଖ୍ୟ ରୋହିତ ଅଗ୍ରୱାଲଙ୍କ ସହିତ କ୍ଷତିଗ୍ରସ୍ତ ପ୍ରଜା ଉପସ୍ଥିତ ଥିଲେ । ନିଯୁକ୍ତି ପତ୍ରପ୍ରଦାନ କରାଯାଇଥିବା ବେଳେ ସେହି ନିଯୁକ୍ତ ପତ୍ରରେ ନାମ, ଗ୍ରାମ, ବାପାଙ୍କ ନାମ ସହିତ ଠିକଣା ଭୁଲ ଥିବାକୁ ନେଇ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । କାରଖାନାକୁ ଜମି ଦେଇ ୧୭୫ ଜଣ ପ୍ରଜାଙ୍କୁ ନିଯୁକ୍ତି ଦେବା ନେଇ ୬୦ ଦିନ ସମୟ ମାଗିଥିଲେ ।
ପ୍ରଥମ ପର୍ଯ୍ୟାୟରେ ୬୨ ଜଣକୁ ନିଯୁକ୍ତି ପ୍ରଦାନ ସହିତ ଅନ୍ୟମାନଙ୍କୁ ନିଯୁକ୍ତି ପ୍ରଦାନ ନେଇ ଏକ ଏମ୍ଓୟୁ ସ୍ୱାକ୍ଷରିତ ହେବ ବୋଲି ଗତ ବୈଠକରେ ସ୍ଥିର ହୋଇଥିଲା । ଓଡାପଡା ବ୍ଲକ୍ କୁରୁଣ୍ଟି ଠାରେ ୨୦୦୩ ମସିହାରେ ବିଆର୍ଜି ଆଇରନ୍ ଆଣ୍ଡ ଷ୍ଟିଲ ପ୍ରାଇଭେଟ ଲିମିଟେଡ ସ୍ଥାପନ ହୋଇଥିଲା । ଜମି ଅଧିଗ୍ରହଣ ସମୟରେ ଗ୍ରାମବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ସହିତ ଯୋଗ୍ୟତା ଭିତ୍ତିରେ ନିଯୁ୍କ୍ତି ପ୍ରଦାନ କରିବାକୁ କାରଖାନା କର୍ତ୍ତୁପକ୍ଷ ପ୍ରତିଶୃତି ଦେଇଥିଲା ପ୍ରଜାସଙ୍ଘର ସଭାପତି ଗଙ୍ଗାଧର ସାମଲଙ୍କ କହିବା ଅନୁସାରେ ମୋଟ ୧୭୫ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କର ବୟସ ହୋଇସାରିଛି । ଅନ୍ୟ ମାନଙ୍କ ମଧ୍ୟରୁ ଆସନ୍ତା ୨ମାସ ମଧ୍ୟରେ ନିଯୁକ୍ତି ଦେବା ପାଇଁ ଦାବି କରିଥିଲେ । ଅକ୍ଟୋବର ମାସ ସୁଦ୍ଧା କମ୍ପାନୀ ନିଯୁକ୍ତି ପତ୍ର ପ୍ରଦାନ କରିବ ଏବଂ ଏହା ଜାନୁଆରୀ ୨୦୨୩ରୁ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତି ହୋଇଛି । ଏ ସଂକ୍ରାନ୍ତରେ ଏକ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହେବ ବୋଲି ସେ କହିଥିଲେ । ଏହି ଆଲୋଚନାରେ ସମସ୍ତେ ରାଜି ହୋଇଥିବାର ସଭାପତି ପ୍ରକାଶ କରିଛନ୍ତି । ସେହିପରି ପ୍ରଜାସଙ୍ଘ ତରଫରୁ ଦାବି ପୂରଣ ପାଇଁ ବାରମ୍ବାର ଦାବି କରାଯାଉଥିବା ବେଳେ ଯଦି କମ୍ପାନୀ ଧାର୍ଯ୍ୟ ସମୟ ଭିତରେ କିଛି ନ କରେ ତେବେ ପୁଣି ଥରେ ଆନେ୍ଦାଳନକୁ ଓହ୍ଲାଇବାକୁ ଚେତାବନି ଦେଇଛନ୍ତି । କାରଖାନାର ମୁଖ୍ୟ ରୋହିତ ଅଗ୍ରୱାଲଙ୍କ କହିବା ଅନୁସାରେ ଜାନୁଆରୀ ୨୦୨୩ ସୁଦ୍ଧା ସମସ୍ତଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ତେବେ ରିମ୍ଝିମ୍ କମ୍ପାନୀ ଦିର୍ଘଦିନ ହେବ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ସହିତ ଖେଳଖେଳୁଥିବାର ନିଯୁକ୍ତି ପ୍ରଦାନରେ ବିଳମ୍ବ ଘଟୁଛି ।