ଆରପାରିରେ ବିଧାୟକ ବିଷ୍ଣୁ ସେଠୀ
ଭୁବନେଶ୍ୱର/ଧାମନଗର, ୧୯ା୯ (ବୁ୍ୟରୋ/ଆପ୍ର): ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀଙ୍କର ସୋମବାର ସକାଳେ ପରଲୋକ ହୋଇଛି । ମାତ୍ର ୬୧ ବର୍ଷ ବୟସରେ ବିଜେପିର ଟାଣୁଆ ନେତା ବିଷ୍ଣୁ ଆଖି ବୁଜିଛନ୍ତି । ପ୍ରାୟ ବର୍ଷେ ହେଲା ବିଷ୍ଣୁ କିଡନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କର ନିୟମିତ ଡାଇଲିସିସ୍ ଚାଲିଥିଲା । ମାସକ ତଳେ ତାଙ୍କର ଲଙ୍ଗ୍ସ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସୋମବାର ସକାଳେ ତାଙ୍କର ହୃଦଘାତ ହୋଇଥିଲା, ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ସକାଳ ପ୍ରାୟ ୭ଟା ୪୫ ମିନିଟ୍ରେ ସେ ଆଖି ବୁଜିଥିବା ଏମ୍ସର ଆଡିସନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି ।
ବିଷ୍ଣୁଙ୍କର ପତ୍ନୀଙ୍କ ସମେତ ପୁଅ ଓ ଝିଅ ଅଛନ୍ତି । ବିଷ୍ଣୁ ବିଜେପି ବିଧାୟକ ଭାବେ ପ୍ରଥମେ ଚାନ୍ଦବାଲି ଓ ପରେ ଧାମନଗରରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ରାଜ୍ୟ ରାଜନୀତିରେ ସେ ବିଜେଡି ସରକାରଙ୍କର ଜଣେ କଡା ସମାଲୋଚକ ଭାବେ ପରିଚିତ ଥିଲେ । ଜଣେ ରାଜନେତା ବାଦ୍ ସେ ଜଣେ ସାହିତି୍ୟକ ଭାବେ ମଧ୍ୟ ବେଶ୍ ପରିଚିତ ଥିଲେ ।
ଏମ୍ସରୁ ବିଷ୍ଣୁଙ୍କ ମରଶରୀରକୁ ପ୍ରଥମେ ବିଧାନସଭା ନିଆଯାଇଥିଲା । ସେଠାରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ସମେତ ବିଧାନସଭା ସଦସ୍ୟ ଓ କର୍ମଚାରୀମାନେ ବିଷ୍ଣୁଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ସେଠାରୁ ବିଜେପି ପାର୍ଟି ଅଫିସ୍ରେ ବିଷ୍ଣୁଙ୍କ ମରଶରୀରକୁ ନିଆଯାଇଥିଲା । ପାର୍ଟିର ନେତା ଓ କର୍ମୀମାନେ ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଷ୍ଣୁ ଏକାଧାରରେ ଜଣେ ରାଜନେତା ଓ ସାହିତି୍ୟକ ଥିଲେ । ସେ ୨୦୦୦ରୁ ୨୦୦୪ଯାଏ ଚାନ୍ଦବାଲି ବିଧାନସଭା ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ । ୨୦୦୬ରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ କରାଯାଇଥିଲା । ୨୦୧୯ରେ ସେ ଧାମନଗର ଆସନରୁ ଜିତି ବିଧାୟକ ହୋଇଥିଲେ ।
ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବିଷ୍ଣୁ ଘେରୁଥିଲେ । ରାଜନୈତିକ ଜୀବନ ପୂର୍ବରୁ ସେ ଆରଏସଏସରେ ସକ୍ରିୟ ସଦସ୍ୟ ଥିଲେ । ପରବର୍ତ୍ତୀ ସମୟରେ ବିଜେପି ଯୁବମୋର୍ଚ୍ଚାରେ ସାମିଲ ହୋଇଥିଲେ । ପରେ ବିଜେପି ଜାତୀୟ କାଉନସିଲର ସଦସ୍ୟ, ଭଦ୍ରକ ଜିଲ୍ଲା ବିଜେପି ସଭାପତି, ଜନଜାତି ମୋର୍ଚ୍ଚାର ଉପସଭାପତି, ବିରୋଧୀ ଦଳ ଉପନେତା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ । ଏତିକିରେ ବିଷ୍ଣୁଙ୍କ ପରିଚୟ ସୀମିତ ନଥିଲା । ସାମ୍ବାଦିକତା ଓ ସାହିତି୍ୟକ କ୍ଷେତ୍ରରେ ମଧ୍ୟ ତାଙ୍କର ସୁନାମ ରହିଛି । ବିଶେଷ ଖବର, ଘାସଫୁଲ, ଶିରୋନାମା ଶିରୋଧାର୍ଯ୍ୟ ଭଳି ଏକାଧିକ ମାଗାଜିନର ଦାୟିତ୍ୱ ବିଷ୍ଣୁ ସମ୍ଭାଳିଛନ୍ତି । ‘ ନିରାମୟ ଆକାଶ ତଳେ’ ଓ “ନିଶ୍ୱ ମାଟିର ସ୍ୱର’ ନାମକ ଦୁଇଟି କାବ୍ୟ ପୁସ୍ତକର ରଚୟିତା ଥିଲେ ବିଷ୍ଣୁ ।
୧୯୬୧ ମସିହା ଜୁନ୍ ୫ରେ ସେ, ଭକ୍ରକ ଜିଲ୍ଲା ତିହିଡିରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ମା’ଙ୍କୁ ହରାଇଥିବା ବିଷ୍ଣୁଙ୍କୁ ବାପା ଗୟାଧର ସେଠୀ ମଣିଷ କରିଥିଲେ । ଭଦ୍ରକ ଜିଲ୍ଲା ତିହିଡି ହାଇସ୍କୁଲରୁ ମାଟ୍ରିକ ପରେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ କରିଥିଲେ । ପରେ ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ । ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମଧ୍ୟ ସେ ଜନସେବାକୁ ନିଜ ଜୀବନର ବ୍ରତ କରିଥିଲେ । ତାଙ୍କ ମୃତୁ୍ୟ ପରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟତଃ ତାଙ୍କ ମୃତୁ୍ୟ ଖବର ଶୁଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା, ବିଜେଡ଼ି ନେତା ଓ ବିଧାୟକଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଶୋକବ୍ୟକ୍ତ କରିଛନ୍ତି । ବିଷ୍ଣୁଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ ବୋଲି ରାଜ୍ୟ ବିଜେପି ପକ୍ଷରୁ ପ୍ରକାଶ ପାଇଛି ।