ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ରେ ଗ୍ରାହକ ସେବା ବ୍ୟାହତ
ବୈଶିଙ୍ଗା (ଆପ୍ର): ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ୍୍ ଶାଖାରେ ସୋମବାର ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ୍ ଆଗ୍ରିଆ ଶାଖାରେ ଦୀର୍ଘ ୬ ମାସରୁ ଅଧିକ ସମୟଧରି ପ୍ରିଣ୍ଟର ନ ଥିବାରୁ ଗ୍ରାହକମାନେ ବ୍ୟାଙ୍କ୍ ଜମାଖାତାକୁ ଅପଡେଟ୍ କରିପାରୁ ନାହାନ୍ତି । ପୁନଶ୍ଚ ନୂତନ ପାସ୍ବହି ନ ଥିବା ବେଳେ ନୂତନ ପାସ୍ବହି ପାଇଁ ଆବେଦନ କରିବାକୁ ଆବଶ୍ୟକ ଫର୍ମ ମଧ୍ୟ ଉପଲବ୍ଧ ନାହିଁ । ବ୍ୟାଙ୍କ୍ କର୍ତ୍ତୃପକ୍ଷ ଗୋଟିଏ ଫର୍ମ ରଖିଥିବା ବେଳେ ଯେଉଁ ଗ୍ରାହକଙ୍କର ନୂତନ ପାସବହି ପାଇଁ ଆବେଦନ କରିବାକୁ ଥାଏ ସେହି ଗ୍ରାହକଙ୍କୁ ଗୋଟିଏ ଫର୍ମଦେଇ ଜେରକ୍ସ ଆଣିବାକୁ କହି ମୂଳ ଫର୍ମକୁ ପୁଣି ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଫେରାଇବାକୁ ଗ୍ରାହକଙ୍କୁ କୁହାଯାଉଛି ।
ସେହିଭଳି ବର୍ତ୍ତମାନ ରାଜ୍ୟ ସରକାର ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆଣି ବାର୍ଦ୍ଧକ୍ୟ ଭତ୍ତାରୁ ଆରମ୍ଭ କରି ଭିନ୍ନକ୍ଷମ ଭଳି ମାସିକଭତ୍ତା ଏଣିକି ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା ହେବ । ତେବେ ଭିନ୍ନକ୍ଷମମାନେ ବ୍ୟାଙ୍କ ଆସି ଟଙ୍କା ଉଠାଇବା ଆଦୌ ସମ୍ଭବପର ନୁହେଁ । ଏଭଳି କ୍ଷେତ୍ରରେ ପ୍ରତ୍ୟେକ ବ୍ୟାଙ୍କ୍ ପକ୍ଷରୁ ଭିନ୍ନକ୍ଷମଙ୍କୁ ଘରେ ଯାଇ ଟଙ୍କା ଦେବାର ବ୍ୟବସ୍ଥା ଥିବାବେଳେ ଆଗ୍ରିଆ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଶାଖାରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ସେମାନେ ଏହି ସୁବିଧା ଭିନ୍ନକ୍ଷମଙ୍କୁ ଯୋଗାଇ ପାରିନାହାନ୍ତି ବୋଲି କହିଛନ୍ତି । ଯେଉଁଥିପାଇଁ ଭିନ୍ନକ୍ଷମମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ବ୍ୟାଙ୍କ ଆସିବାକୁ ବାଧ୍ୟ ହେଉଛନ୍ତି । ଏଭଳି ବହୁ ଗୁରୁତର ସମସ୍ୟାକୁ ମାସମାସ ଧରି ସମ୍ମୁଖୀନ ହୋଇଆସୁଥିବା ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ସୋମବାର ଏହା ତୀବ୍ରରୂପ ନେଇଥିଲା । ଯୁବସଂଗଠକ ଜୀବନ ପରିଡ଼ାଙ୍କ ସମେତ ବହୁ ଉପଭୋକ୍ତା ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଥିଲେ । ଯାହାକୁ ନେଇ ସେଠାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା । ସରପଞ୍ଚ ମିନତୀ ସିଂ ଘଟଣାସ୍ଥଳରେ ପହଞ୍ଚି ଗ୍ରାହକଙ୍କ ଅଭିଯୋଗ ଏବଂ ସମସ୍ୟା ଶୁଣି ସାରିବା ପରେ ବ୍ୟାଙ୍କ ଶାଖା ପରିଚାଳକଙ୍କ ସହିତ ଆଲୋଚନା କରିଥିଲେ । ଆସନ୍ତା ତିନିଦିନ ମଧ୍ୟରେ ଗ୍ରାହକ ସମସ୍ୟା ସମାଧାନ ନ ହେଲେ ହଜାର ହଜାର ଅଞ୍ଚଳବାସୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚତୁର୍ଥଦିନ ବ୍ୟାଙ୍କ୍ରେ ତାଲା ପକାଇ ଆନେ୍ଦାଳନ କରିବାନେଇ ଆଗ୍ରିଆ ସରପଞ୍ଚ ମିନତୀ ସିଂ ଚେତାବନୀ ଦେଇଛନ୍ତି ।