କେବେ କାର୍ଯ୍ୟକ୍ଷମ ହେବ ନୂତନ କୋଠା?
ଜରାଜୀର୍ଣ୍ଣ କୋଠାରେ କେନ୍ଦ୍ରୀୟ ବିଦ୍ୟାଳୟ
ଆସିକା (ଆପ୍ର): ଦୀର୍ଘ ବର୍ଷ ଧରି ବିପଦ ସଙ୍କୁଳ କୋଠାରେ ପରିଚାଳିତ ହୋଇଆସୁଥିବା ଆସିକା କେନ୍ଦ୍ରୀୟ ବିଦ୍ୟାଳୟକୁ ନବନିର୍ମିତ କୋଠାରେ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ଼ ଦାବି ହେଉଛି । ଅଭିଭାବକ ସଂଘର ଏକ ଜରୁରୀ ବୈଠକ ସ୍ଥାନୀୟ ଓଡିଆ ସମାଜ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସକ୍ରିୟ ସଦସ୍ୟ ଶଙ୍କର ସାହୁ, ବିଶେଶ୍ୱର ପ୍ରଧାନ, ଶ୍ୟାମସୁନ୍ଦର ପାଢୀ, ସନ୍ତୋଷ ସେଠୀ, ସୁକାନ୍ତ କୁମାର ଜେନା, ଅରୁଣ କୁମାର ସେଠୀ, ମିହିରକାନ୍ତ ସାହୁ, ଅକ୍ଷୟ କୁମାର ସ୍ୱାଇଁ, ଅଶୋକ କୁମାର ବିଶ୍ୱାଳ, ସୁନୀଲ କୁମାର ମିଶ୍ର, ପ୍ରଫୁଲ କୁମାର ଜାନୀ, ଏସ୍.କେ. ମହାନ୍ତିଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ ।
ଗତ ୨୦୧୦ ରୁ ଦୀର୍ଘ ୧୨ବର୍ଷ ଧରି ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରାବସରେ ପରିଚାଳିତ ହୋଇଆସୁଛି । ରକ୍ଷଣାବେକ୍ଷଣ ଅଭାବରୁ କୋଠା ଜରାଜୀର୍ଣ୍ଣ ହୋଇପଡ଼ିଛି । ଛାତରୁ ଖଣ୍ଡଖଣ୍ଡ ସିମେଣ୍ଟ ପଲସ୍ତରା ଖସୁଥିବା ଅଭିଯୋଗ ହେଉଛି । କେନ୍ଦ୍ର ସରକାରଙ୍କ ଆର୍ଥôକ ଅନୁଦାନରେ ପ୍ରାୟ ୧୭କୋଟି ବ୍ୟୟ ଅଟକଳରେ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ୱ କୋଠା ନିର୍ମାଣ କାର୍ଯ୍ୟ ଗତ ମାର୍ଚ୍ଚ ମାସରୁ ଶେଷ ହୋଇ ସାରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା ଲୋକାର୍ପିତ ହୋଇ ନ ଥିବା ଯୋଗୁଁ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପୁରୁଣା କୋଠାରେ ପାଠପଢୁଛନ୍ତି । ସେହିଭଳି ଆସିକା କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ୨ ପାଠ୍ୟକ୍ରମ ଖୋଲି ନ ଥିବାରୁ ଗତ ୨୦୨୧-୨୨ ଶିକ୍ଷାବର୍ଷରେ ଦଶମ ଶ୍ରେଣୀରେ ପାସ କରିଥିବା ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିବାରୁ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ନାନା ସମସ୍ୟା ସୃଷ୍ଟି ହେଉଛି । ନୂତନ କୋଠାକୁ ବିଦ୍ୟାଳୟ ସ୍ଥାନାନ୍ତର ତାଇଁ ଦିନ ଗଡ଼ିଚାଲିଛି । ଆସିକା କେନ୍ଦ୍ରୀୟ ବିଦ୍ୟାଳୟରେ ଲାଗି ରହିଥିବା ବହୁବିଧ ସମସ୍ୟାର ସମାଧାନ ଲାଗି ଅତୀତରେ ଅଭିଭାବକ ସଂଘ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ସଂଘର ସଦସ୍ୟଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ବିପଦ ସଙ୍କୁଳ କୋଠାକୁ ପାଠ ପଢ଼ା ବନ୍ଦ କରି ନୂତନ କୋଠା କାର୍ଯ୍ୟକ୍ଷମ କରିବା, ଆସିକା କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ୨ ପାଠ୍ୟକ୍ରମ ଖୋଲିବା, ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରିବା ଆଦି ଦାବି କରାଯିବା ସହ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।