ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତି ମା’
ଭୁବନେଶ୍ୱର (ବୁ୍ୟରୋ): ସୋମବାର ନବୀନ ନିବାସରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡା ଓ ଅନୁଗୁଳ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା’ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମା’ମାନେ ଜାତୀୟ ପତାକା ତିଆରି ଦାୟିତ୍ୱ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା’ଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରି କହିଥିଲେ, କମ୍ ସମୟ ମଧ୍ୟରେ ଜାତୀୟ ପତାକା ପ୍ରସ୍ତୁତ କରିବା ଗୁରୁ ଦାୟିତ୍ୱ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆପଣଙ୍କ ଉପରେ ଭରସା ରଖି ଏ ଦାୟିତ୍ୱ ଦେଇଥିଲେ ଏବଂ ଆପଣମାନେ ଏହାକୁ ସଫଳତାର ସହ ନିର୍ବାହ କରି ମୁଖ୍ୟମନ୍ତ୍ରୀଙ୍କ ଭରସାକୁ ସାକାର କରିପାରିଛନ୍ତି । ଏପରି ମର୍ଯ୍ୟଦାପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିଥିବାରୁ ମିଶନ ଶକ୍ତିର ମା’ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
ମହିଳା’ଙ୍କ ବିକାଶ ଓ କଲ୍ୟାଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସେମାନେ ଆଜି ବିଭିନ୍ନ କ୍ଷେତ୍ରରେ ସକ୍ଷମ ହୋଇପାରିଛନ୍ତି ବୋଲି ମିଶନ୍ ଶକ୍ତି ମା’ମାନେ ମତ ଦେଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁ ସେମାନେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ଓ ସବୁବେଳେ ରହିବେ ବୋଲି କହିଥିଲେ । ଚଳିତ ବର୍ଷ ସ୍ୱାଧୀନତା ଦିବସରେ ରାଜ୍ୟ ସରକାର ମିଶନ ଶକ୍ତି ମା’ଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ୱ ଦେଇଥିଲେ ।