ପୁଣି ନକଲି ଔଷଧ ଜବତ
ମିଳିଲା ୩ ଲକ୍ଷ ଟଙ୍କାର ୧୩୫୦ ଷ୍ଟ୍ରିପ୍
କଟକ (ବୁ୍ୟରୋ): କଟକରୁ ପୁଣି ଥରେ ନକଲି ଟେଲମା-୪୦ ଔଷଧ ଜବତ କରିଛି ପୁରୀଘାଟ ଥାନା ପୁଲିସ । ଦୋଳମୁଣ୍ଡାଇସ୍ଥିତ ମହତାବ ରୋଡ଼ରେ ଏକ ଟ୍ରାନ୍ସପୋର୍ଟ ଏଜେନ୍ସିରୁ ୩ଲକ୍ଷ ଟଙ୍କାର ମୂଲ୍ୟର ୧୩୫୦ ଷ୍ଟ୍ରିପର ଟେଲମା ୪୦ ନକଲି ଔଷଧ ଜବତ କରିଛି । ସୂଚନାମୁତାବକ, ମାଣିକଘୋଷ ବଜାରର ଭି.ଆର ଏଜେନ୍ସି କଲିକତାର ଏକ ସଂସ୍ଥା ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ନକଲି ଟେଲମା-୪୦ ଔଷଧ ଅର୍ଡ଼ର କରିଥିଲା । ଯାହା ଗତ ୧୦ ତାରିଖ ଦିନ ଏହି ଔଷଧ କଲିକତାରୁ ପରିବହନ ଯୋଗେ କଟକରେ ଆସି ପହଞ୍ଚିଥିଲା । କିନ୍ତୁ ସେହି ଦିନ ଭିଆର ଏଜେନ୍ସିର ମାଲିକ ଗିରଫ ହୋଇଥିବାରୁ ତାହା ରିସିଭ ନ ହୋଇ ଟ୍ରାନ୍ସପୋର୍ଟ ଏଜେନ୍ସିରେ ରହିଯାଇଥିଲା । ତେବେ ଏହି ନକଲି କାରବାର ତଦନ୍ତ ସମୟରେ ମହାତାବ ରୋଡ଼ସ୍ଥିତ ଏକ ଟ୍ରାନ୍ସପୋର୍ଟ ଏଜେନ୍ସିରେ ଟେଲିମା ୪୦ ଔଷଧ ଗଚ୍ଛିତ ଥିବା ସମ୍ବନ୍ଧରେ ପୁଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗକୁ ସୂଚନା ମିଳିଥିଲା । ଏହି ଖବରକୁ ଭିତ୍ତି କରି ପୁରୀଘାଟ ଥାନା ପୁଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ମିଳିତ ଭାବେ ଏହି ଟ୍ରାନ୍ସପୋର୍ଟରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ପ୍ରାୟ ଟେଲମା-୪୦ ଔଷଧର ୧୩୫୦ ଷ୍ଟ୍ରିପ୍ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଥିଲା । ତେବେ ଏହିଭଳି ଅନେକ ଟ୍ରାନ୍ସପୋର୍ଟରେ ଭିଆର ଏଜେନ୍ସିର ଔଷଧ ଗଚ୍ଛିତ ଥିବା ଆଶଙ୍କା କରାଯାଇଛି । ସେଥିପାଇଁ କଟକରେ ଥିବା ବିଭିନ୍ନ ଟ୍ରାନ୍ସପୋର୍ଟର ଷ୍ଟକ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି ।