ବୈତରଣୀ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଆନନ୍ଦପୁର (ଆପ୍ର): କେନ୍ଦୁଝର ଜିଲ୍ଲା ଚମ୍ପୁଆ ସବ୍ଡିଭିଜନର ବିଲେଇପଦାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ କାରଖାନାର ମଇଳା ପାଣି ମୁର୍ଗା ନାଳକୁ ଛାଡୁଥିବାରୁ ବୈତରଣୀ ନଦୀ ପ୍ରଦୂଷଣ ହେଉଥିବାରୁ ସୋମବାର ବିଜେପି ନଦୀ ସୁରକ୍ଷା ସମିତି ନନାମୀ ଗଙ୍ଗେର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହାର ପ୍ରତିକାର ପାଇଁ ଆଞ୍ଚଳିକ ଅଧିକାରୀ କେନ୍ଦୁଝର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣକୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ।
ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ କାରଖାନାର ମଇଳା ପାଇ ନଦୀକୁ ଛାଡ଼ିବା ଦ୍ୱାରା ଲୋକମାନେ ନାନାଦି ସଂକ୍ରମଣ ରୋଗରେ ପୀଡ଼ିତ ହୋଇ ମୃତୁ୍ୟବରଣ କରିଥିବା ସାଧାରଣରେ ଅଭିଯୋଗ ହୋଇଛି । ନାସନାଲ୍ ଗ୍ରୀନ ଟ୍ରିବୁ୍ୟନାଲ୍ ଗାଇଡ୍ ଲାଇନ୍ ଅନୁଯାୟୀ ୱାଟର ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ବସାଇ ମଇଳା ପାଣିକୁ ସଫା କରି ସେହି ପାଣିକୁ ପୁନର୍ବାର ବ୍ୟବହାର କରିବା କଥା । କିନ୍ତୁ ଜିନ୍ଦଲ କମ୍ପାନୀ କାରଖାନାର ମଇଳା ପାଣିକୁ ସିଧା ମୁର୍ଗା ନାଳକୁ ଛାଡୁଥିବାରୁ ବୈତରଣୀ ନଦୀର ପାଣି ସମ୍ପୂର୍ଣ୍ଣ ବିଷାକ୍ତ ହୋଇ ଲୋକମାନେ ନାନାଦି ରୋଗରେ ସଂକ୍ରମିତ ହୋଇ ମୃତୁ୍ୟ ମୁଖରେ ପଡୁଛନ୍ତି । ଜିନ୍ଦଲ ଆଣ୍ଡ ପାୱାର ଲିମିଟେଡ୍ କାରଖାନାର ଚିମିନିର ଧୂଆଁଧୂଳିରେ ବିଲେଇପଦା ଅଞ୍ଚଳର ୫କିମି ବ୍ୟାପୀ ପରିବେଶ ଦୂଷିତ ହୋଇ ଲୋକମାନେ ଯକ୍ଷ୍ମା ଓ ଶ୍ୱାସ ଜନିତ ଲୋଗରେ ଆକ୍ରାନ୍ତ ହେଉଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯଥାଶିଗ୍ର ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ କାରଖାନା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ପ୍ରତିନିଧି ଦଳ ଦାବି କରିଛି । ଆଗାମୀ ଦିନରେ ବିଜେପି ତରଫରୁ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ପ୍ରତିନିଧି ଦଳ ଚେତାବନୀ ଦେଇଛନ୍ତି । ତତ୍ସହିତ ଗ୍ରୀନ୍ ଟ୍ରିବୁ୍ୟନାଲ୍ରେ ଏ ବାବଦରେ କେସ୍ କରାଯିବ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ବିଜେପି ନଦୀ ସୁରକ୍ଷା ସମିତିର ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ମହାନ୍ତି, ବିଜେପି ଜିଲ୍ଲା ଉପସଭାପତି ଦେବୀପ୍ରସାଦ ମିଶ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ କିରଣବାଳା ନାଏକ, ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ସାବିତ୍ରୀ ବିଶ୍ୱାଳ, ଅଖିଳ ଚନ୍ଦ୍ର ନାୟକ ପ୍ରମୁଖ ସାମିଲ ଥିଲେ ।