ବର୍ଷାରେ ପିତୃପୁରୁଷଙ୍କୁ ପିଣ୍ଡଦାନ

ପୁରୀ (ବୁ୍ୟରୋ): ବର୍ତ୍ତମାନ ଜାରି ରହିଛି ମହାଳୟା । ଏହି ୧୫ ଦିନ ମଧ୍ୟରେ ପିତୃପୁରୁଷଙ୍କ ପିଣ୍ଡଦାନ ଦେବା ସହ ତର୍ପଣ କରିଥାନ୍ତି ଶ୍ରଦ୍ଧାଳୁ । ଅନେକ ଶ୍ରଦ୍ଧାଳୁ ନିଜ ଗ୍ରାମରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେଉଥିବା ବେଳେ ଅନେକ ଶ୍ରଦ୍ଧାଳୁ ପୁରୀ ଆସି ପିଣ୍ଡଦାନ କରିଥାନ୍ତି । ଅନ୍ୟପକ୍ଷରେ ବାଇଶି ପାହାଚରେ ପିଣ୍ଡଦାନ ଅନନ୍ୟ । କରୋନାଠାରୁ ବାଇଶି ପାହାଚରେ ପିଣ୍ଡଦାନ ଆଜିପର୍ଯ୍ୟନ୍ତ ବନ୍ଦ ରହିଛି । ଫଳରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରର ଉତ୍ତରଦ୍ୱାର ପାଶ୍ୱର୍ରେ ପିଣ୍ଡଦାନ କରୁଛନ୍ତି । ସୋମବାର ପୁରୀରେ ସକାଳୁ ସକାଳୁ ଲଗାଣ ବର୍ଷା ଜାରି ରହିଥିଲା । ପିଣ୍ଡଦାନ କରିବା ଲାଗି ଦୂରରୁ ଶତାଧିକ ଶ୍ରଦ୍ଧାଳୁ ଆସି ଅପେକ୍ଷା କରିଥିଲେ । ହେଲେ ବର୍ଷାର ପ୍ରକୋପ କମି ନ ଥିଲା । ଶେଷରେ ବ୍ରାହ୍ମଣ ଓ ଶ୍ରଦ୍ଧାଳୁମାନେ ବର୍ଷାରେ ଭିଜି ଭିଜି ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ପିଣ୍ଡଦାନ କରିଥିଲେ । ଏହି ସମୟରେ ବର୍ଷାର ମାତ୍ରା ଅତ୍ୟଧିକ ହେବାରୁ ଅନେକ ଶ୍ରଦ୍ଧାଳୁଙ୍କ ପିଣ୍ଡ ଭାସି ଯାଇଥିବା ଦେଖିବାକୁ ମିଳିଥିଲା । ବର୍ଷାକୁ ଦୃଷ୍ଟିରେ ରଖି ବ୍ରାହ୍ମଣମାନଙ୍କ ପକ୍ଷରୁ ଅସ୍ଥାୟୀ ଛତା ଟାଣିଥିଲେ ସୁଦ୍ଧା ବର୍ଷାକୁ ଅକ୍ତିଆର କରିବାରେ ଫେଲ୍ ମାରିଥିଲା । ଶେଷରେ ଶ୍ରଦ୍ଧାଳୁ ଓ ବ୍ରାହ୍ମଣମାନେ ବର୍ଷାରେ ଭିଜିଥିଲେ । ଏଭଳି ଦୃଶ୍ୟ ଆଜି ସମସ୍ତଙ୍କୁ ଚକିତ କରିଛି । ସିଂହଦ୍ୱାରର ଗାରିମା ବୃଦ୍ଧି କରିବା ଲାଗି ପ୍ରଶାସନ ପକ୍ଷରୁ ସିଂହଦ୍ୱାରରୁ ଭିକ୍ଷୁକଙ୍କୁ ହଟାଇ ଦିଆଯାଇଥିବାବେଳେ ଏବେ ବ୍ରାହ୍ମଣଙ୍କୁ ଅସମ୍ମାନ କରିବାକୁ ନେଇ ସମସ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି ।
ସୂଚନାଥାଉକି, ହିନ୍ଦୁମାନେ ସନାତନ ଧର୍ମର ଶାସ୍ତ୍ରୀୟ ଆଧାରରେ ନିଜ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ପିଣ୍ଡଦାନ କରିବାର ବିଧିବ୍ୟବସ୍ଥା ରହିଛି । ପୁରୀ ସମେତ ବାହାର ଜିଲ୍ଲାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନରେ ଦୃଢ଼ବିଶ୍ୱାସ ରହିଛି ଯେ, ବାଇଶିପାହାଚରେ ପିଣ୍ଡଦାନ କଲେ ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି । ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ହିନ୍ଦୁମାନଙ୍କର ଏହି ଧର୍ମୀୟ ବିଶ୍ୱାସକୁ ଅଣଦେଖା କରୁଛନ୍ତି । କରୋନାର ପ୍ରକୋପ କମିବା ପରେ ସବୁଆଡ଼େ ଖୁଲମ୍ଖୁଲା ହୋଇଥିବା ବେଳେ ବ୍ରାହ୍ମଣଙ୍କୁ ବାଇଶିପାହାଚରେ ପିଣ୍ଡଦାନ କରିବା ଲାଗି ଆଜି ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇ ନାହିଁ । ଏପରିକି ସେମାନେ ଶ୍ରୀମନ୍ଦିର ଉତ୍ତରଦ୍ୱାର ପାଶ୍ୱର୍ରେ ବସିଥିଲେ ମଧ୍ୟ ସେମାନଙ୍କ ଲାଗି ସୁରକ୍ଷିତ ସ୍ଥାନ ନାହିଁ । ସେମାନେ ରାସ୍ତା ଉପରେ ବସି ପିଣ୍ଡଦାନ କରୁଛନ୍ତି । ପିଣ୍ଡଦାନ କରିବାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ମନରେ ଆତ୍ମୀୟତା ନ ଥିବାବେଳେ କେବଳ ବାଧ୍ୟ ହୋଇ ପିଣ୍ଡଦାନ କରୁଥିବା ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କରେ ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ରଥ କୁହନ୍ତି, ସରକାର ଓ ପ୍ରଶାସନ ଶ୍ରୀମନ୍ଦିର ସମେତ ପୁରୀର ଉନ୍ନତି କରୁଥିବା ବେଳେ ଦିନକୁ ଦିନ ହିନ୍ଦୁନୀତିକୁ ଭୁଲି ଯାଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ପିଣ୍ଡଦାନ । ବାଇଶିପାହାଚରେ ପିଣ୍ଡଦାନ କେଉଁକାଳରୁ ଚାଲି ଆସିଥିଲା । ତାହାକୁ ବନ୍ଦ କରି ଦିଆଯାଇଛି । ତତ୍ସହିତ ବ୍ରାହ୍ମଣମାନଙ୍କୁ ଅସମ୍ମାନ କରାଯାଉଛି । ଫଳରେ ସେମାନେ ଖୋଲା ଆକାଶ ତଳେ ବର୍ଷାରେ ଭିଜିଭିଜି ପିଣ୍ଡଦାନ କରୁଛନ୍ତି । ଏଥିରେ ବ୍ରାହ୍ମଣ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଧର୍ମୀୟ ଭାବନା ନଷ୍ଟ ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *