ସଂକଳ୍ପ ପାରିତ କଲେ ୭ ପ୍ରଦେଶ କଂଗ୍ରେସ
ରାହୁଲଙ୍କ ସପକ୍ଷରେ ପ୍ରସ୍ତାବ ପରେ ପ୍ରସ୍ତାବ
ନୂଆଦିଲ୍ଲୀ (ଏଜେନ୍ସି): କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ କିଏ ହେବ? ଦଳ ପାଇଁ ଏହା ସବୁଠୁ ବଡ ପ୍ରଶ୍ନ । ପାର୍ଟିର ବଡ ଗୋଷ୍ଠୀ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରାଇବା ନେଇ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଏହି କ୍ରମରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସ କମିଟିରେ ରାହୁଲଙ୍କୁ ଅଧ୍ୟକ୍ଷ କରାଇବା ନେଇ ସଂକଳ୍ପ ପାରିତ ହେବାରେ ଲାଗିଛି । ଦିନକ ପୂର୍ବେ ଦୁଇଟି ରାଜ୍ୟ ରାଜସ୍ଥାନ ଏବଂ ଛତିଶଗଡ କଂଗ୍ରେସ ଏଭଳି ସଂକଳ୍ପ ପତ୍ର ପାରିତ କରାଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଅର୍ଥାତ୍ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୫ ରାଜ୍ୟର କଂଗ୍ରେସ ୟୁନିଟ୍ ନିଜ ଆଡୁ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଜଣାଇ ଏକ ପ୍ରସ୍ତାବ ଆଗତ କରିବା ସହ ସର୍ବସହମତିକ୍ରମେ ଏହାକୁ ପାରିତ ମଧ୍ୟ କରାଇଛନ୍ତି । ପ୍ରାପ୍ତ ସୂଚନାନୁସାରେ ଗୁଜରାଟ, ତାମିଲନାଡୁ, ବିହାର, ମହାରାଷ୍ଟ୍ର ଏବଂ ଜମ୍ମୁ କାଶ୍ମୀର ଆଦି ପ୍ରଦେଶ କଂଗ୍ରେସ ୟୁନିଟ୍ରେ ରାହୁଲ ହିଁ ଦଳର ଅଧ୍ୟକ୍ଷ ରହିବା ନେଇ ସଂକଳ୍ପ ପାରିତ କରାଇଛନ୍ତି । ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ଯେବେଠାରୁ କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା ସେବେଠାରୁ ରାଜସ୍ଥାନ କଂଗ୍ରେସର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ରାହୁଲ ଗାନ୍ଧୀଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ । ଏହିକ୍ରମେ ରାଜସ୍ଥାନ କଂଗ୍ରେସ ପ୍ରଥମ କରି ରାହୁଲଙ୍କୁ ପାର୍ଟି ପ୍ରମୁଖ କରାଇବା ନେଇ ପ୍ରସ୍ତାବ ପାରିତ କରିଥିଲା । ଏହି ଧାରାରେ ଛତିଶଗଡ ମଧ୍ୟ ସାମିଲ ହୋଇଥିଲା । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗତକାଲି କହିଥିଲେ ରାଜସ୍ଥାନ ଏବଂ ଛତିଶଗଡ ପରେ ଏବେ ଅନ୍ୟ ପ୍ରଦେଶ କଂଗ୍ରେସଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି । ଯଦି ଏହି ପ୍ରସ୍ତାବ ଅନ୍ୟ ରାଜ୍ୟମାନଙ୍କରୁ ଆସିବ ତେବେ ଏବାବଦେ ରାହୁଲ ଗାନ୍ଧୀ ପୁନର୍ବିଚାର କରିବାକୁ ବାଧ୍ୟ ହେବେ ।
ସଂପ୍ରତି ଭାରତ ଯୋଡୋ ପଦଯାତ୍ରାରେ ଥିବା ରାହୁଲ ଗାନ୍ଧୀ, ଆସନ୍ତା ମାସରେ ହେବାକୁ ଥିବା ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁର ପ୍ରଶ୍ନର ମଧ୍ୟ ସିଧାସଳଖ କୌଣସି ଜବାବ ଦେଇନଥିବାରୁ (ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି) ସେ ଏସମ୍ପର୍କରେ ପୁନର୍ବିଚାର କରିବେ ବୋଲି ଅନୁମାନ କରାଯାଉଛି । ତେବେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସେପ୍ଟେମ୍ବର ୨୨ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲ ପାଇଁ ୨୪ରୁ ୩୦ ତାରିଖ ଯାଏ ଦିନ ଧାର୍ଯ୍ୟ କରାଯାଇଛି । ଅକ୍ଟୋବର ୮ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ । ଅକ୍ଟୋବର ୧୭ରେ ନିର୍ବାଚନ ହେବା ନେଇ ଅନୁମାନ କରାଯାଉଛି ।