ଉପକୂଳ ଅଞ୍ଚଳକୁ ଅଧିକ ବିପର୍ଯ୍ୟୟ-ସହନଶୀଳ କରାଯିବ
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟରେ ଆରମ୍ଭ କରାଯାଇଥିବା ବିପର୍ଯ୍ୟୟ ନିରୋଧି ପ୍ରଚେଷ୍ଟାକୁ ଦୃଢ଼ିଭୁତ କରିବା ଦିଗରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଜ୍ୟ ସରକାର ନୂତନ କାର୍ଯ୍ୟ ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱିତ ଉପକୂଳ ଅଞ୍ଚଳ ପରିଚାଳନା ସୋସାଇଟିର ଷ୍ଟିଅରିଂ କମିଟିରେ ୨୬୧.୫୦ କୋଟି ଟଙ୍କା ଆକଳନର କାର୍ଯ୍ୟ ଯୋଜନାକୁ ଅନୁମୋଦନ ଦିଆଯାଇଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କାର୍ଯ୍ୟଯୋଜନା ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଉପସ୍ଥାପନ କରିଥିଲେ । ଉପକୂଳ ଜୈବ-ବ୍ୟବସ୍ଥାର ପୁନଃସଂସ୍ଥାପନ ଏବଂ ବିପର୍ଯ୍ୟୟ ସହନଶୀଳ ଜିବୀକା ନିର୍ବାହ ପନ୍ଥାଗୁଡିକ ଉପରେ ଗୁରୁତ୍ୱାରୋପ ପୂର୍ବକ ଏଥିପାଇଁ ଲକ୍ଷ୍ୟଭିତ୍ତିକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେଇଥିଲେ । ଗ୍ରାମ ସମୁଦାୟ ସହ ସିଧାସଳଖ ଆଲୋଚନା କରି ଲୋକଙ୍କ ଆବଶ୍ୟକତା ଓ ସମ୍ପୃକ୍ତ ଅଞ୍ଚଳର ସମ୍ବଳ ଅନୁସାରେ ନିରନ୍ତର ଜିବୀକା କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।
ଲଗାତରଭାବେ ଜଳବାୟୁ ଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଗ୍ରାମଚୁ ଅଗ୍ରାଧିକାର ଭିତ୍ତିରେ ଏଥିରେ ସାମିଲ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେଇଥିଲେ । ଉପକୂଳ ଅଞ୍ଚଳରେ ମଙ୍ଗଳାଯୋଡ଼ି ଓ ଭିତରକନିକା ପରି ଅଧିକ ଇକୋ-ଟୁରିଜିମ୍ ଯୋଗ୍ୟ ସ୍ଥାନଗୁଡିକୁ ଚିହ୍ନଟ କରି ଗ୍ରାମ ସମୁଦାୟ ମାଧ୍ୟମରେ ସେଗୁଡିକର ବିକାଶ କରିବା ପାଇଁ ଜଙ୍ଗଲ ଓ ପରିବେଶ ଏବଂ ପର୍ଯ୍ୟଟନ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ସ୍ଥାନଗୁଡିକରେ ବୋଟିଂ, ବନ୍ୟଜନ୍ତୁ ଦର୍ଶନ ଓ ଫୁଡ଼କୋର୍ଟ ଆଦିର ସୁବିଧା କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଉପକୂଳ ଅଞ୍ଚଳରେ ହେନ୍ତାଳ ବଣର ଘନତା ଏବଂ ସମୁଦ୍ର ଘାସ ଆଦି ବୃଦ୍ଧି କରିବା ପାଇଁ କହିଥିଲେ । ଏହା ଲୁଣା ଜୁଆର ଏବଂ ସାମୁଦ୍ରିକ ବାତ୍ୟାର ପ୍ରଭାବକୁ ଅନେକାଂଶରେ ନିୟନ୍ତ୍ରଣ କରିବ ବୋଲି କହିଥିଲେ ।
ସୋସାଇଟିର ପ୍ରକଳ୍ପ ନିଦେ୍ର୍ଦଶକ ସୁଶାନ୍ତ ନନ୍ଦ ଯୋଜନା ଚଳିତ ବର୍ଷରୁ ଆରମ୍ଭ ହୋଇ ୨୦୨୬-୨୭ ବର୍ଷ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବ ବୋଲି କହିଥିଲେ । ମୁଖ୍ୟତଃ ବାଲେଶ୍ୱର ଜିଲ୍ଲାର ତଳସାରୀ, କେନ୍ଦ୍ରାପଡାର ଭିତରକନିକା, ଗଞ୍ଜାମର ବାହୁଡା ଓ ଚିଲିକା ଏବଂ ପୁରୀ ଜିଲ୍ଲାର ଦେବୀ ମୁହାଣ ଓ ଚିଲିକା ଆଦି ଅଞ୍ଚଳ ଏଥିରେ ସାମିଲ ହେବ । ୩୩୯ ଗ୍ରାମ ପଞ୍ଚୟତ ଏବଂ ୫ ବନ୍ୟଖଣ୍ଡ ଅନ୍ତର୍ଗତ ପ୍ରାୟ ୩,୭୫,୩୨୧ ହେକ୍ଟର ଉପକୂଳ ଅଞ୍ଚଳକୁ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ କରାଯିବ । ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ କୃଷି ଏବଂ ନୂଆ ଜିବୀକା ପନ୍ଥା ସୃଷ୍ଟି କରି ଲୋକଙ୍କୁ ଅଧିକ ସାହସୀ ଏବଂ ଆତ୍ମନିର୍ଭରଶୀଳ କରାଯିବ । ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବହୁ ବିଭାଗର ପ୍ରମୁଖ ଓ ବରିଷ୍ଠ ପ୍ରଶାସକ ଅଂଶଗ୍ରହଣ କରିଥିଲେ ।