ଭୂକମ୍ପରେ ଥରିଲା ୬ ଦେଶ

ତାଇପେ, ୧୮ା୯: ଗତ ୨୪ ଘଣ୍ଟା ଭିତରେ ଭୂକମ୍ପରେ ୬ଟି ଦେଶ କମ୍ପି ଉଠିଛି । ତାଇୱାନ୍ ଜାପାନ, ଚୀନ୍, ଆଫଗାନିସ୍ତାନ, ମିଆଁମାର ଓ ଭାରତ (ମେଘାଳୟ ସମେତ କେତେକ ରାଜ୍ୟ)ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ତେବେ ସବୁଠୁ ଅଧିକ କ୍ଷତି ହୋଇଛି ତାଇୱାନ୍ରେ । ସେଠାରେ ରବିବାର ସ୍ଥାନୀୟ ସମୟ ଅପରାହ୍ଣ ୨.୪୪ରେ ୬.୯ ମାତ୍ରା ତୀବ୍ରତାର ଭୂକମ୍ଫ ଆସିଥିଲା । ତା’ର ଝଟ୍କା ଏତେ ତୀବ୍ର ଥିଲା ଯେ, ଅନେକ କୋଠାବାଡ଼ି ମୁହୂର୍ତ୍ତକ ମଧ୍ୟରେ ଭୁଶୁଡ଼ି ପଡିଥିଲା ।
ତାଇୱାନ୍ରେ ଅନେକ ରାସ୍ତା ଫାଟି ଯାଇଛି । ବହୁ ନଦୀ ବନ୍ଧ ଭାଙ୍ଗିଛି । ଗୋଟିଏ ଷ୍ଟେସନ୍ରେ ଏକ ଯାତ୍ରୀବାହୀ ଟ୍ରେନ୍ର କେତେକ ଡବା ଓଲଟି ପଡ଼ିଛି । ଭୂକମ୍ପ ପରେ ପରେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ଶନିବାରଠାରୁ ରବିବାର ମଧ୍ୟରେ ତାଇୱାନ୍ ଜାପାନ ଓ ଚୀନ୍ରେ ୫୦ରୁ ଅଧିକ ଥର ଭୂକମ୍ପ ହୋଇଛି । ତାଇୱାନ୍ ସରକାର ସୁନାମୀ ଚେତାବନୀ ଜାରି କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ଲାଗି ପରାମର୍ଶ ଦେଇଛନ୍ତି । ସେହିପରି ଅତିକମ୍ରେ ଏକ ମିଟର ଉଚ୍ଚତାର ସୁନାମୀ ଆସିବା ଆଶଙ୍କା ରହିଛି । ଭୂକମ୍ପ ପ୍ରଭାବରେ ଏହି ତିନି ଦେଶରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଉଲ୍ଲେଖଯୋଗ୍ୟ ଯେ, ଭୂଗର୍ଭର ଏକାଧିକ ଟେକ୍ଟୋନିକ୍ ପ୍ଲେଟ୍ର ଜଙ୍କ୍ସନ୍ ସ୍ଥଳରେ ତାଇୱାନ୍ ଅବସ୍ଥିତ । ଏହି କାରଣରୁ ପ୍ରତିବର୍ଷ ସେଠାରେ ଶହଶ୍ରାଧିକ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥାଏ । ୧୯୦୦ରୁ ୧୯୯୦ ମସିହା ମଧ୍ୟରେ ତାଇୱାନ୍ରେ ପ୍ରତିବର୍ଷ ପ୍ରାୟ ୨୨ ଶହ ଭୂକମ୍ପ ଆସିଥିଲା । ୧୯୯୯ର ଭୂକମ୍ପରେ ତାଇୱାନର ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଓ ଦେଢ଼ ଲକ୍ଷରୁ ଅଧିକ ଲୋକ ବେଘର ହୋଇଥିଲେ । ୨୦୧୬ରେ ମଧ୍ୟ ଅନୁରୂପ ଭୂକମ୍ପ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *