ପ୍ରତିଶ୍ରୁତି ବଦଳରେ ପ୍ରତିବଦ୍ଧତା
ରାଜନୈତିକ ଚିନ୍ତାଧାରାରେ ପରିବର୍ତ୍ତନ କରୁଛି ବିଜେପି
ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଠାରୁ ଗାନ୍ଧୀ ଜୟନ୍ତୀ (୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର) ପର୍ଯ୍ୟନ୍ତ ସେବା ପକ୍ଷ ଭାବେ ପାଳନ କରୁଛି । ତେବେ ବିଜେପି ଏହି ସମୟକୁ ଏକ ନିଆରା ଢ଼ଙ୍ଗରେ ରାଜନୈତିକ ଲାଭ ଉଦେ୍ଦଶ୍ୟରେ ବ୍ୟବହାର କରିବାକୁ ପ୍ରୟାସ ଆରମ୍ଭ କରିଥିବା ଜାଣିବାକୁ ମିଳିଛି । ପ୍ରାପ୍ତ ସୂଚନାନୁସାରେ ବିଜେପି ଏହି ୧୫ଦିନ ମଧ୍ୟରେ କିଛି ନୂଆ ‘ଶବ୍ଦ’କୁ ନେଇ ଦେଶବାସୀଙ୍କ ନିକଟତର ହେବାକୁ ଚେଷ୍ଟା କରିବ । ବିଜେପି ନିଜ ରାଜନୈତିକ ପ୍ରଚାର ତଥା ଭାଷଣରେ ‘ପ୍ରତିଶ୍ରୁତି ବଦଳରେ ପ୍ରତିବଦ୍ଧତା’ ଶବ୍ଦକୁ ସାମିଲ କରିବା ନେଇ ପ୍ରସ୍ତୁତି ଚଳାଇଛି ।
ପ୍ରକାଶ, ବିଜେପି ଏହାପୂର୍ବରୁ ଦେଶବାସୀଙ୍କୁ ବିଶ୍ୱାସ ଜିତିବା ପାଇଁ ‘ପ୍ରତିଶ୍ରୁତି ବା ପ୍ରୋମିଜ୍’ ଶବ୍ଦର ବ୍ୟବହାର କରୁଥିବା ବେଳେ ଏଣିକି କିନ୍ତୁ ‘ପ୍ରତିବଦ୍ଧତା ବା କମିଟ୍ମେଣ୍ଟ’ ଶବ୍ଦର ପ୍ରୟୋଗ କରିବ । ଦଳର ହାଇକମାଣ୍ଡ ତଥା ଅନ୍ୟ ବରିଷ୍ଠ ନେତୃବୃନ୍ଦ ‘ପ୍ରତିବଦ୍ଧତା ବା କମିଟ୍ମେଣ୍ଟ’ ଶବ୍ଦର ପ୍ରୟୋଗ ଦ୍ୱାରା ସଂଗଠନ ତଥା ଦଳକୁ ବେଶ୍ ଲାଭ ମିଳିବ ବୋଲି ବିଶ୍ୱାସ କରୁଛନ୍ତି । ସରକାରଙ୍କ ପ୍ରତି ଦେଶବାସୀଙ୍କ ବିଶ୍ୱାସ ବୃଦ୍ଧି କରିବାରେ ଏହି ଶବ୍ଦ ସହାୟକ ହେବ ବୋଲି ଦଳୀୟ ବରିଷ୍ଠ ନେତାମାନେ ଅନୁମାନ ଲଗାଇଛନ୍ତି ।
ସେବା ପକ୍ଷକୁ ସଫଳ କରିବା ପାଇଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ପାର୍ଟିର ଅନ୍ୟ ବରିଷ୍ଠ ନେତାମାନେ ଗତ ୧୫ଦିନ ଧରି ବୈଠକ କରିଆସୁଛନ୍ତି । ସୂତ୍ର ଅନୁସାରେ ନଡ୍ଡା, ଏହି ସେବା ପକ୍ଷ ସମୟରେ ଦଳୀୟ କର୍ମୀ, ନେତା, ମନ୍ତ୍ରୀ ତଥା ସାଂସଦ ତୃଣମୂଳସ୍ତରରେ ରକ୍ତଦାନ, ଅଂଗଦାନ, ସ୍ୱଚ୍ଛତା ଅଭିଯାନ ଭଳି କାର୍ଯ୍ୟକ୍ରମର ଆୟୋଜନ କରିବା ଉପରେ ଫୋକସ୍ କରିବା ଜରୁରି । ଏତଦ୍ବ୍ୟତୀତ ଜନତାଙ୍କ ସହ ସମ୍ପର୍କ କାଳରେ ପ୍ରତିଶ୍ରୁତି ବଦଳରେ ପ୍ରତିବଦ୍ଧତା ଶବ୍ଦର ପ୍ରୟୋଗ କରିବାକୁ ମଧ୍ୟ ନଡ୍ଡା ଦଳୀୟ ନେତା ତଥା କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାହିଁ ବିଜେପି କର୍ମକର୍ତ୍ତାଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସବୁୂଠୁ ବଡ଼ ଜନ୍ମଦିନ ଉପହାର ହେବ ବୋଲି ନଡ୍ଡା କହିଛନ୍ତି । ନଡ୍ଡାଙ୍କ କହିବାନୁସାରେ ମୋଦି ନିଜ ରାଜନୈତିକ ଜୀବନରେ ପ୍ରତିବଦ୍ଧତା ଶବ୍ଦକୁ ସ୍ଥାନିତ କରିବା ପୂର୍ବକ କାମ କରୁଛନ୍ତି । ମୋଦିଙ୍କ ନେତୃତ୍ୱରେ ବିଜେପିକୁ ବିପୁଳ ସଫଳତା ମିଳିବା ପଛର କାରଣ ମଧ୍ୟ ‘ପ୍ରତିବଦ୍ଧତା’ ।
ବିଜେପି ଅନୁସାରେ ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ରାମ ମନ୍ଦିର ନିର୍ମାଣ, ଧାରା ୩୭ଠ ଉଚ୍ଛେଦ, ଟି୍ରପଲ୍ ତଲାକ୍ ଉଚ୍ଛେଦ ଭଳି ଏକାଧିକ କାର୍ଯ୍ୟ କରାଯାଇଥିବା ବେଳେ ଏସବୁ ବିଜେପିର ପ୍ରତିଶ୍ରୁୂତି ନଥିଲା ବରଂ ପ୍ରତିବଦ୍ଧତା ଥିଲା । ବିଜେପି ପ୍ରତିବଦ୍ଧତା ଆଧାରରେ କାମ କରିଆସିଛି ଏବଂ ଏହାକୁ ଆଗକୁ ମଧ୍ୟ ଜାରି ରହିବ । ବିଜେପିର ଏହି ପ୍ରତିବଦ୍ଧତା କାରଣରୁ ହିଁ ଦେଶବାସୀ ବିଜେପି ଉପରେ ବିଶ୍ୱାସ କରୁଛନ୍ତି । ୨ଠ୧୪ ଏବଂ ୨ଠ୧୯ ଲୋକସଭା ନିର୍ବାଚନରେ ମିଳିଥିବା ବୃହତ୍ ବିଜୟ କେବଳ ଏହି ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ଦଳର ଅନେକ ଅନୁଭବୀ ନେତା ମତବ୍ୟକ୍ତ କରିଛନ୍ତି ।