ରାହୁଲ ହେବେ ଅଧ୍ୟକ୍ଷ, ସଂକଳ୍ପ ପାରିତ

ରାଜସ୍ଥାନ ପରେ ଏବେ ଛତିଶଗଡ଼ ଅନ୍ୟ ପ୍ରଦେଶ କଂଗ୍ରେସଙ୍କ ନିଷ୍ପତ୍ତିକୁ ଅପେକ୍ଷା
ଜୟପୁର (ଏଜେନ୍ସି): କଂଗ୍ରେସ ଅଧ୍ୟକ୍ଷ କିଏ ହେବେ, ସେସମ୍ପର୍କରେ ଏବେ ଯାଏ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିନି । ଅନ୍ୟପକ୍ଷେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରାଇବ ଏବଂ ତଦନୁସାରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିରିକୃତ ହୋଇଛି । କେବଳ ସେତିକି ନୁହେଁ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । କଂଗ୍ରେସର ଅନେକ ନେତା ରାହୁଲ ଗାନ୍ଧୀ ହିଁ ପୁୂନର୍ବାର ଦଳର ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ ବୋଲି ଚାହୁଁଛନ୍ତି । ତେବେ ଏନେଇ ଏବେ ପ୍ରଦେଶସ୍ତରରେ କଂଗ୍ରେସ ନେତାମାନେ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି ।
କେରଳ ୱାୟନାଡର ସାଂସଦ ଥିବା ରାହୁଲ ଗାନ୍ଧିଙ୍କୁ ଦଳର ସ୍ଥାୟୀ ସଭାପତି କରିବାକୁ ନିକଟରେ ରାଜସ୍ଥାନ କଂଗ୍ରେସ ସର୍ବସମ୍ମତିକ୍ରମେ ଏକ ସଂକଳ୍ପ ପାରିତ କରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଗେହଲଟ୍ଙ୍କ ନେତୃତ୍ୱରେ ଏପରି ଏକ ସଂକଳ୍ପ ପାରିତ ହୋଇଛି । ତେବେ ରାଜସ୍ଥାନ ପରେ ଏବେ ଛତିଶଗଡ଼ କଂଗ୍ରେସ ମଧ୍ୟ ଏଭଳି ଏକ ସଂକଳ୍ପ ପାରିତ କରିଛି । ଏଥିଲାଗି ରବିବାର ଛତିଶଗଡ଼ କଂଗ୍ରେସର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏସମ୍ପର୍କରେ ଆଗତ ପ୍ରସ୍ତାବକୁୂ ଗୃହୀତ କରାଯାଇଛି । ଏସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବାଘେଲ ସୂଚନା ଦେଇଛନ୍ତି । ତାଙ୍କ କହିବାନୁସାରେ ପୂର୍ବରୁ ରାଜସ୍ଥାନ କଂଗ୍ରେସ, ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି କରାଯିବା ନେଇ ପ୍ରସ୍ତାବ ଗୃହୀତ କରିସାରିଥିବା ବେଳେ ଏବେ ଛତିଶଗଡ କଂଗ୍ରେସ ମଧ୍ୟ ସମାନ ପ୍ରସ୍ତାବକୁ ପାରିତ କରିଛି । ଏଥିସହ ବର୍ତ୍ତମାନ ସୁଦ୍ଧା ଦୁଇଟି ରାଜ୍ୟରେ ରାହୁଲଙ୍କ ଅଧ୍ୟକ୍ଷତା ପ୍ରସ୍ତାବ ପାରିତ ହୋଇସାରିଛି । ଏବେ ଅନ୍ୟ ପ୍ରଦେଶ କଂଗ୍ରେସଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି । ଯଦି ଏହି ପ୍ରସ୍ତାବ ଅନ୍ୟ ରାଜ୍ୟମାନଙ୍କରୁ ଆସିବ ତେବେ ଏବାବଦେ ରାହୁଲ ଗାନ୍ଧୀ ପୁନର୍ବିଚାର କରିବାକୁ ବାଧ୍ୟ ହେବେ ବୋଲି ବାଘେଲ କହିଛନ୍ତି ।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ୨ଠ୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାମ କରୁଛନ୍ତି । ଏସବୁ ମଧ୍ୟରେ ବାରମ୍ବାର ଦଳରେ ସାଂଗଠନିକ ନିର୍ବାଚନ କରାଇବା ନେଇ ଦାବି ଉଠିବା ପରେ ଏବେ ଦଳ ସ୍ଥାୟୀ ଅଧ୍ୟକ୍ଷ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ସେପ୍ଟେମ୍ବର ୨୨ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *